ହୋଲି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା

ହୋଲି ଅବସରରେ ରଙ୍ଗ ଖେଳରେ ଯେପରି ଲୋକେ କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ବେଶି କ୍ଷତିଗ୍ରସ୍ତ ନହୁଅନ୍ତି ସେନେଇ କ୍ୟାପିଟାଲ ହସ୍ପିଟାଲ୍‌ରେ ସ୍ବତନ୍ତ୍ର ଚିକିତ୍ସା ସୁବିଧା କରାଯାଇଛି। କାଜୁଆଲିଟିରେ ୩ ଜଣ ଡାକ୍ତର ରହୁଥିବା ବେଳେ ହୋଲି ଦିନ ଆଉ ଜଣେ ଡାକ୍ତର ରହିବେ। ଗୋଟେ ଡ୍ରେସିଂ କେନ୍ଦ୍ର ଖୋଲା ରହୁଥିବା ବେଳେ ହୋଲି ଦିନ ୨ଟା ଡ୍ରେସିଂ କେନ୍ଦ୍ର ଖୋଲିବ। ଚର୍ମ, ଚକ୍ଷୁ, କାନର ସ୍ବତନ୍ତ୍ର ସ୍ପେସାଲିଷ୍ଟ ମଧ୍ୟ ରହିବେ। ଏଥିସହ ଆଟେଣ୍ଡାଣ୍ଟ ଓ ନର୍ସମାନେ ମଧ୍ୟ ସଜାଗ ରହିବେ।

ହୋଲିରେ ପୁଲ୍‌ ସାଇଡ୍‌ ପାର୍ଟି
ହୋଲି ଅବସରରେ ରଙ୍ଗ ଉତ୍ସବରେ ବିଭୋର ହେବା ପାଇଁ କିଛି ଇଭେଣ୍ଟ୍‌ ସଂସ୍ଥା ଓ ଅନ୍ୟ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କପଲ୍‌ମାନଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ରଙ୍ଗ ଦେ ମାହି’ ଭଳି କାର୍ଯ୍ୟକ୍ରମ ଚନ୍ଦକା ନେଚର ରେଷ୍ଟୁରାଣ୍ଟରେ ଅନୁଷ୍ଠିତ ହେବ। ଏଥିରେ ପୁଲ୍‌ ସାଇଡ୍‌ ପାର୍ଟି, ରେନ୍‌ ଡ୍ୟାନସ, ହୋଲି ସ୍ପେସାଲ୍‌ ଥଣ୍ଡା ସହ ଖାଦ୍ୟ ଉପଲବ୍ଧ ହେବ। ହୋଲି ଦିନ ନାଲ୍‌କୋ ଛକ ନିକଟସ୍ଥ ମାର୍କ ଭିଜନରେ ରଙ୍ଗ ବରଷେ ୨.୦ କାର୍ଯ୍ୟକ୍ରମ ସକାଳ ସାଢ଼େ ୯ଟାରେ ଆୟୋଜିତ ହେବାକୁ ଯାଉଛି। ସେହିପରି ଅବହେଳିତ ଛାତ୍ରଛାତ୍ରୀମାନଙ୍କୁ ନେଇ ନାଲ୍‌କୋ ଛକ ନିକଟରେ ଏକ ହୋଲି ଉତ୍ସବ ଆୟୋଜିତ ହେବ। ହୋଟେଲ ଗ୍ରିନ ଫିଲ୍‌ଡରେ ମଧ୍ୟ ରେନ୍‌ ବୁମ ୩.୦ ଏ କଲର ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ବାରଣ ପରେ ବି ଛାତ୍ରଛାତ୍ରୀ ଖେଳିଲେ ହୋ‌ଲି
କରୋନା ପାଇଁ ସତର୍କତା ଜାରି ହୋଇଥିବା ବେଳେ ହୋଲି ନଖେଳିବାପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ବାରଣ କରାଯାଇଥିଲା। ହେଲେ ହୋଲି ପୂର୍ବରୁ ଛାତ୍ରଛାତ୍ରୀମାନେ ଶନିବାର ଶିକ୍ଷାନୁଷ୍ଠାନ ବାହାରେ ରଙ୍ଗ ଖେଳିଥିଲେ। ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ ବାହାରେ ଏପରି ରଙ୍ଗ ଖେଳ ଦେଖିବାକୁ ମିଳିଛି। କେବଳ ‌କଲେଜ୍ ପଢ଼ୁଆ କିମ୍ବା ଇଂଜିନୟରିଂ କଲେଜ୍ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ରଙ୍ଗ ଖେଳୁଥିଲେ। ଏକ ଘରୋଇ ସ୍କଲ୍ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟ ଭିତରେ ହୋଲି ଖେଳକୁ ନେଇ ବାରଣ କରାଯାଇଥିବାରୁ ଅନୁଷ୍ଠାନ ଭିତରେ ହୋଲି ଉତ୍ସବ ପୂର୍ବରୁ ପାଳନ କରାଯାଉଥିବା ଉତ୍ସବକୁ ବାତିଲ କରିଦିଆଯାଇଛି। ଏନେଇ ଶନିବାର ପିଲାମାନଙ୍କ ବ୍ୟାଗ୍‌ ମଧ୍ୟ ଚେକିଂ କରାଯାଇଥିଲା। ହେଲେ ଶନିବାର ଅଧା ଛୁଟି ପରେ ପିଲାମାନେ କ୍ୟାମ୍ପସ୍‌ରୁ ବାହାରି ସ୍କୁଲ୍ ବାହାରେ ଥିବା ରଙ୍ଗ ଷ୍ଟଲ୍‌ରୁ ରଙ୍ଗ କିଣି ବୋଳା ବୋଳି ହୋଇଥିଲେ। ଅନ୍ୟପକ୍ଷରେ ସ୍କୁଲ୍ ବସ୍ ଭିତରେ ମଧ୍ୟ ରଙ୍ଗ ଖେଳକୁ ନେଇ ବାରଣ କରାଯାଇଛି। ମାତ୍ର ଏଥିରେ ମଧ୍ୟ ରୋକ ଲାଗିପାରିନାହିଁ। ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ କରୋନା ନିରାପତ୍ତା ପାଇଁ ସୂଚନା ଫଳକ ଲଗାଯାଇଥିଲେ ମଧ୍ୟ ଏହା ପ୍ରଭାବ ପକାଇପାରିନାହିଁ।

ସମ୍ବନ୍ଧିତ ଖବର