ସ୍କୁଲ ପିଲାଙ୍କୁ ବିପଜ୍ଜନକ ପରିବହନ, ୪୫ ଗାଡ଼ି ମାଲିକଙ୍କ ନାମରେ ହେବ ମକଦ୍ଦମା

ଭୁବନେଶ୍ବର: ବିପଜ୍ଜନକ ଭାବେ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ୪୫ଗାଡ଼ି ମାଲିକଙ୍କ ବିରୋଧରେ କୋର୍ଟରେ ମକଦ୍ଦମା କରାଯିବ। ଶିଶୁମାନଙ୍କୁ ସ୍କୁଲ୍‌ରୁ ନେବା ଆଣିବା ପାଇଁ ଜାରି ସରକାରୀ ନିର୍ଦ୍ଦେଶନାମା ପାଳନ କରୁନଥିବା ଅଭିଯୋଗରେ ଗତ ମାସରେ ଏହି ଗାଡ଼ି ମାଲିକଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ବାବଦରେ ଜୁଲାଇ ୩୧ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ ଥିଲା। ମାତ୍ର ସେମାନଙ୍କ ମଧ୍ୟରୁ କିଛି ଚାଳକ ଉତ୍ତର ଦେଇନଥିବା ବେଳେ ଆଉ କିଛିଙ୍କ ଉତ୍ତର ସନ୍ତୋଷଜନକ ନୁହେଁ। ତେଣୁ ଏହି ଗାଡ଼ିମାଲିକମାନଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ-୧ ପ୍ରଦୀପ୍ତ ମହାନ୍ତି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଏହା କେବଳ ଜୁଲାଇ ମାସର କାର୍ଯ୍ୟାନୁଷ୍ଠାନ। ଓଭରଲୋଡିଂ, ଦ୍ରୁତ ଚାଳନା ଓ ଛାତ୍ରଛାତ୍ରୀମାନଙ୍କୁ ପରିବହନ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ପାଳନ କରୁନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ହୋଇଛି। ଏହା ଏକ ନିୟମିତ ପ୍ରକ୍ରିୟା। ପ୍ରତି ମାସରେ ଏଭଳି ନିୟମ ଭାଙ୍ଗୁଥିବା ଗାଡ଼ି ଉପରେ ଚଢ଼ଉ ହେବା ସହ ଚିହ୍ନଟ କରାଯାଇ ନୋଟିସ୍‌ ପଠାଯାଉଛି। ଗାଡ଼ିଗୁଡ଼ିକ ନୋଟିସ୍‌ ପାଇ ଉପଯୁକ୍ତ ଜରିମାନା ଦାଖଲ କରୁଛନ୍ତି। ଆଇନ ଅନୁଯାୟୀ କିଛି ଦିନ ପାଇଁ ଗାଡ଼ିର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଉଛି। କିନ୍ତୁ ଏହି ଗାଡ଼ିଗୁଡ଼ିକ ଜରିମାନା ଦେଇ ନାହାନ୍ତି କିମ୍ବା ଉତ୍ତର ମଧ୍ୟ ଦେଇନଥିବାରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଜନା ହୋଇଛି। ଗାଡ଼ିଗୁଡ଼ିକ ମଧ୍ୟରେ ଅଧିକାଂଶ ଅଟୋ ଓ ଟାଟା ମ୍ୟାଜିକ୍‌ ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତ ପାଇଁ ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶାବଳୀକୁ ଆଧାର କରି ପରିବହନ ଆୟୁକ୍ତ ଚିଠି ପରେ ଚିଠି ପଠାଉଛନ୍ତି। ହେଲେ କିଛି କାଟୁ କରୁନି। ଗାଡ଼ି ଚାଳକକୁ ଜଗିବା ସମ୍ଭବ ହେଉନି। କେବଳ ଦୁର୍ଘଟଣା ଘଟିଲେ କିଛି ଦିନ ପାଇଁ କଟକଣାକୁ କଡ଼ାକଡ଼ି କରାଯାଉଛି। ସ୍କୁଲ ବସ୍‌ର ସ୍ବତନ୍ତ୍ର ରଙ୍ଗ, ଜରୁରୀ ଫାଟକ, ରିଫ୍ଲେକ୍ଟିଂ ଟେପ୍‌, ଚାଳକର ସ୍ବତନ୍ତ୍ର କ୍ୟାବିନ, ବ୍ୟାଗ୍‌ ପାଇଁ ସ୍ବତନ୍ତ୍ର ରୢାକ୍‌, ଫାଷ୍ଟଏଡ୍‌ ବକ୍ସ, ଅଗ୍ନି ନିର୍ବାପକ ସହ ଗାଡ଼ିରେ ଯାତାୟାତ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ବ୍ଲଡଗ୍ରୁପ୍‌ ରଖିବାକୁ ଏହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି। ମାତ୍ର ଏହା କୌଣସି ଗାଡ଼ିରେ ହେଉନାହିଁ। ତିନିଚକିଆ ଅଟୋରେ ଛାତ୍ରଛାତ୍ରୀଙ୍କୁ ବୋହିବା ବେଆଇନ ହୋଇଥିବା ବେଳେ ଏହାକୁ କେହି ମାନୁ ନାହାନ୍ତି। ଏହାର ତଦାରଖ ବା ଅନୁପାଳନ ହେଉଛି କି ନାହିଁ ଦେଖିବା ସହ ପରିବର୍ତ୍ତିତ ପରିସ୍ଥିତିକୁ ‌ଦେଖି ସରକାରଙ୍କୁ ପରାମର୍ଶ ଦେବା ପାଇଁ ଜିଲ୍ଲାସ୍ତରୀୟ ଅନ୍ତଃବିଭାଗୀୟ ସମିତି ଗଠନ ହୋଇଥିଲା। ତାହା ମଧ୍ୟ କାମ କରୁନାହିଁ।

ସମ୍ବନ୍ଧିତ ଖବର