ଚକ୍‌ ଦେ ଇଣ୍ଡିଆ…

ଭାରତ ଖେଳରେ ବିଦେଶୀ ବିଭୋର୍‌

ବାଜି ସାରିଥିଲା ବିଗୁଲ୍‌। ଅପେକ୍ଷା ଥିଲା କେତେବେଳେ ହେବ ଲଢ଼େଇ। କଳିଙ୍ଗ ଷ୍ଟାଡିୟମ୍‌ ମଇଦାନରେ ମୁହାଁମୁହିଁ ହେବେ ଦୁଇ ଦେଶ। ଓଡ଼ିଶା ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଠିକ୍‌ ୫ଟା ବେଳେ ମଇଦାନକୁ ଓହ୍ଲାଇଥିଲେ ବେଲଜିୟମ୍‌ ଓ କାନାଡା। ପରସ୍ପର ମଧ୍ୟରେ ହୋଇଥିଲା ଲଢ଼େଇ। ଆଉ ବାଜି ମାରିଥିଲା ବେଲଜିୟମ୍‌। କାନାଡାକୁ ୨-୧ ଗୋଲ୍‌ରେ ପରାସ୍ତ କରିଥିଲା। ଘରୋଇ ଦଳ ମଇଦାନରେ ନ ଥିଲେ ମଧ୍ୟ ଗ୍ୟାଲେରିରେ ଧୀରେ ଧୀରେ ବଢ଼ିଥିଲା ଦର୍ଶକଙ୍କ ଭିଡ଼। ଇଷ୍ଟ, ୱେଷ୍ଟ, ସାଉଥ୍‌, ନର୍ଥ ଷ୍ଟାଣ୍ଡରେ ବସିଥିବା ଦର୍ଶକ ଅପେକ୍ଷା କରି ରହିଥିଲେ କେ‌ତେବେଳେ ଆରମ୍ଭ ହେବ ଦ୍ବିତୀୟ ମ୍ୟାଚ୍‌। ଯେଉଁ ମ୍ୟାଚ୍‌ରେ ଘରୋଇ ଦଳ ଭାରତ ଭେଟିବ ଦକ୍ଷିଣ ଆଫ୍ରିକାକୁ। ଘଣ୍ଟାରେ ସନ୍ଧ୍ୟା ୭ଟା ବାଜିବା କ୍ଷଣି କଳିଙ୍ଗ ଷ୍ଟାଡିୟମ୍‌ର କେଳାହଳ ବୃଦ୍ଧି ପାଇଥିଲା। ଗୋଟିଏ ସ୍ବରରେ ସମସ୍ତ ଦର୍ଶକ କହିଥିଲେ ଜୟ ହୋ… ଇଣ୍ଡିଆ। ଦେଢ଼ ଘଣ୍ଟା ଧରି ପରସ୍ପର ମଧ୍ୟରେ ଚାଲିଥିଲା ଲଢ଼େଇ। କିଏ ବାଜି ମାରିବ ତା’କୁ ଅପେକ୍ଷା କରି ରହିଥିଲେ ସଭିଏଁ। ସମସ୍ତଙ୍କ ମୁହଁରେ ଶୁଭୁଥିଲା ଇଣ୍ଡିଆ… ଇଣ୍ଡିଆ… ଆଉ ଇଣ୍ଡିଆ। ଶେଷରେ ୯୦ ମିନିଟ୍‌ର ସଂଘର୍ଷ ପରେ ବାଜି ମାରିଥିଲା ଘରୋଇ ଦଳ ଭାରତ। ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଥିଲା। ପ୍ରଥମରୁ ଭାରତ ବିଜୟ ହୋଇଥିବାରୁ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳିଥିବା ଗୋଟିଏ କଥା ‘ଚକ୍‌ ଦେ ଇଣ୍ଡିଆ…’।

ଭୁବନେଶ୍ବର: ‘ଭାରତ ଭଲ ଖେଳିଲା। ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଆଗକୁ ବଢ଼ିଛି। ଖେଳାଳିଙ୍କ ଖେଳ ବେଶ୍‌ ଉଚ୍ଚକୋଟୀର ହୋଇଥିଲା’। ଭାରତ-ଦକ୍ଷିଣଆଫ୍ରିକା ମ୍ୟାଚ୍‌ ପରେ ନେଦରଲ୍ୟାଣ୍ଡରୁ ଆସିଥିବା ଦର୍ଶକ ପଲ୍‌ ୱନ୍‌ ଟି ହେକ୍‌, ଫ୍ରାନ୍ସ ଓରଜର ଓ ଜିଟେକ୍‌ ୱାନ୍‌ ଟି ହେକ୍‌ ଏହା କହିଛନ୍ତି। ଦୁଇ ଦିନ ହେଲା ସେମାନେ ହୋଟେଲ ଏକ୍ସଲେନ୍ସରେ ରହୁଛନ୍ତି। ନେଦରଲ୍ୟାଣ୍ଡ ହକି ଟିମ୍‌କୁ ଚିଅର ଅପ୍‌ କରିବାକୁ ଆସିଥିବା ଏହି ଦର୍ଶକମାନେ ପ୍ରଥମ ଦିନରେ ଭାରତର ଖେଳ ଦେଖି ଉତ୍ସାହିତ ହୋଇପଡ଼ିଛନ୍ତି। ଆଗକୁ ଆହୁରି ଭଲ ଖେଳ ଦେଖିବାକୁ ମିଳିବ ବୋଲି ସେମାନେ ଆଶା ବ୍ୟକ୍ତ କରିବା ସହ ଓଡ଼ିଶା ଲେଖାଥିବା ଏକ ଟି’ ସାର୍ଟ କିଣି ପାନ୍ଧିଛନ୍ତି। ଭୁବନେଶ୍ବର ସମ୍ପର୍କରେ କହିଛନ୍ତି ଯେ, ସହର ଭଲ ଲାଗିଲା। ଦୁଇ ଦିନ ହେଲା ବିଭିନ୍ନ ସ୍ଥାନ ବୁଲୁଛୁ। କୌଣସି ଅସୁବିଧା ହେଉ ନାହିଁ। ଏଭଳି ଷ୍ଟାଡିୟମ୍‌ ବିଶ୍ବର କମ୍‌ ସ୍ଥାନରେ ଦେଖିବାକୁ ମିଳିଥାଏ। ଗୋଲ୍‌ ବେଳେ ଆତସବାଜି ହେବା ପ୍ରଥମ ଥର ଦେଖିବାକୁ ପାଇଲୁ। ଆଗକୁ ନେଦରଲ୍ୟାଣ୍ଡ ଖେଳ ଥିବାରୁ ସେଥିପାଇଁ ଆମେ ପ୍ରସ୍ତୁତ ହେଉଛୁ।

ମୁହଁରେ ତ୍ରିରଙ୍ଗା

ଷ୍ଟାଡିୟମ୍‌ରେ ସମସ୍ତ ଚିତ୍କାର କରୁଥିଲେ ଇଣ୍ଡିଆ… ଇଣ୍ଡିଆ…। ମଥାରେ ଭାରତ ପତାକାର ହେଡ୍‌ ବ୍ୟାଣ୍ଡ୍‌। ହାତରେ ତ୍ରିରଙ୍ଗା ବ୍ୟାଣ୍ଡ୍‌, ଗାଲ, ନାକ ଓ ହାତରେ ତ୍ରିରଙ୍ଗା ରଙ୍ଗ ଚିତ୍ର। ଏହା ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଥିଲା ପୁଣି ଦର୍ଶକଙ୍କ ଦେଶପ୍ରେମର ମୂକସାକ୍ଷୀ ହୋଇଥିଲା। ଏହା ପୁଣି ଯେ କାହା ରୋଜଗାରର ପନ୍ଥା ପାଲଟିଥିଲା। ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରୁଥିବା ସମୟରେ ପାର୍ଶ୍ବରେ ଦେଖିବାକୁ ମିଳିବ କିଛି ଯୁବକଙ୍କୁ। ଯାହାଙ୍କ ହାତରେ ହକି ବିଶ୍ବ କପ୍‌ ଲେଖା ବାଇଗଣୀ ରଙ୍ଗ ଟି-ସାର୍ଟ, କ୍ୟାପ୍‌ ସହ ତ୍ରିରଙ୍ଗା ତିନି ରଙ୍ଗର ବୋତଲ ଓ ତୂଳୀ, ତ୍ରିରଙ୍ଗା ପତାକା, ତ୍ରିରଙ୍ଗା ହେଡ୍‌ ବ୍ୟାଣ୍ଡ୍‌, ହାଣ୍ଡ ବ୍ୟାଙ୍ଗ ଆଦି ଧରି ବୁଲୁଥା’ନ୍ତି। ଦର୍ଶକମାନେ ମଧ୍ୟ ଷ୍ଟାଡିୟମ୍‌ ପ୍ରବେଶ ପୂର୍ବରୁ ହାତରେ, ନାକରୁ ଗାଲ ପର୍ଯ୍ୟନ୍ତ ଓ ଗାଲରେ ତ୍ରିରଙ୍ଗା ପେଣ୍ଟିଂ କରି ଟି-ସାର୍ଟ ଓ କ୍ୟାପ୍‌ ଲଗାଇ ସେଲ୍‌ଫି ନେବାକୁ ଭୁଲନ୍ତି ନାହିଁ। ତେବେ ଏହି ଟି-ସାର୍ଟର ଦାମ୍‌ ୩୦୦ ଟଙ୍କା ଥିବା ବେଳେ କ୍ୟାପ୍‌ ୫୦ ଟଙ୍କା, ହେଡ୍‌ ବ୍ୟାଣ୍ଡ୍‌ ୨୦, ତ୍ରିରଙ୍ଗା ଚିତ୍ରିତ କରିବାକୁ ୨୦ ଟଙ୍କା ଲେଖାଏଁ ରହିଛି ବୋଲି କହିଛନ୍ତି କୋଲ୍‌କାତାରୁ ଆସି ଏଠାରେ ଏସବୁ ଅସ୍ଥାୟୀ ଭାବେ ବିକୁଥିବା କାର୍ତ୍ତିକ ରାହା କହିଛନ୍ତି।

ହାପ୍‌ ଟାଇମ୍‌ରେ ତାରକା ଭ୍ରମ
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ର ହାପ୍‌ ଟାଇମ୍‌ରେ ଉତ୍ତର ଓ ପୂର୍ବ ପାର୍ଶ୍ବ ଷ୍ଟାଣ୍ଡର ଗ୍ୟାଲେରିରେ ତାରାର ଭ୍ରମ ସୃଷ୍ଟି ହୋଇଥିଲା। ଅଧା ବେଳକୁ ଭାରତ ୨-୦ ଗୋଲ୍‌ରେ ଆଗୁଆ ଥିବାରୁ ଦର୍ଶକମାନେ ଖୁସି ମନାଇଥିଲେ। ମୋବାଇଲ୍‌ ଲାଇଟ୍‌ ମାରି ଭାରତୀୟ ଦଳକୁ ଉତ୍ସାହିତ କରିଥିଲେ। ଏହି ସମୟରେ ଏ ଆର ରହେମାନ ଗାଇଥିବା ଗୀତ ଜୟ ହିନ୍ଦ୍‌ ହିନ୍ଦ୍‌… ଜୟ ଇଣ୍ଡିଆ ଗୀତ ବାଜିବା‌ କ୍ଷଣି ଷ୍ଟାଡିୟମ୍‌ ସାରା ଦର୍ଶକ ଛିଡ଼ା ହୋଇ ମଜା ଉଠାଇଥିଲେ। ଏହି ସମୟରେ ୬ଟି ପାଇପ୍‌ ଯୋଗେ ପଡ଼ିଆରେ ପାଣି ପକାଯାଉଥିବାର ଦୃଶ୍ୟ ମଧ୍ୟ ବେଶ୍‌ ଉଚ୍ଚକୋଟୀର ଥିଲା। ଦର୍ଶକମାନେ ଏହାକୁ ବି କ୍ୟାମେରା ଲେନ୍ସରେ ତୋଳି ଧରିଥି‌ଲେ।

ଗେଟ୍‌ରେ ବସିଲା କଏନ୍‌ ବାକ୍ସ
ଷ୍ଟାଡିୟମ୍‌ ଭିତରକୁ ଖୁଚୁରା ମନା। ଦର୍ଶକମାନଙ୍କୁ ଏନେଇ ବ୍ୟାପକ ସଚେତନ କରାଯାଇପାରିନି। ଫଳରେ ପ୍ରଥମ ଦିନରେ ବିଭିନ୍ନ ଗେଟ୍‌ରେ ଲୋକଙ୍କୁ ହଟହଟା ହେବାକୁ ପଡ଼ିଛି। ସାଙ୍ଗରେ ଆଣିଥିବା କଏନ୍‌କୁ ଫୋପାଡ଼ିଛନ୍ତି। ଗତକାଲି ଦର୍ଶକଙ୍କଠାରୁ ସଂଗ୍ରହ ହେଉଥିବା କଏନ୍‌ଗୁଡ଼ିକୁ ଟେବୁଲ୍‌ ଉପରେ ରଖୁଥିଲେ। କିନ୍ତୁ ଆଜି ସମସ୍ତ ଗେଟ୍‌ ନିକଟରେ କଏନ୍‌ ପକାଇବା ଲାଗି ଟିଣ ଓ ପ୍ଲାଷ୍ଟିକ୍‌ ବାକ୍ସ ଲଗାଯାଇଥିଲା। ‌ଯାଞ୍ଚ ବେଳେ ଯେଉଁ କଏନ୍‌ ମିଳୁଥିଲା ତାହାକୁ ସେଥିରେ ପକାଉଥିଲେ ସୁରକ୍ଷା କର୍ମୀ। ‌ଫେରିଲା ‌ବେ‌ଳକୁ ବା‌କ୍ସରୁ କିଏ ପଇସା ନେଉଥିଲେ ତ ଆଉ କିଏ ନେଉ ନ ଥିଲେ।

ସମ୍ବନ୍ଧିତ ଖବର