ରାଜ୍ୟରେ ଶିଶୁ ଯୌନ ନିର୍ଯାତନା ବଢ଼ିୁଛି : ସିଭିଲ୍‌ ସୋସାଇଟି

ଭୁବନେଶ୍ବର : ପ୍ରଶାସନିକ ଅବ୍ୟବସ୍ଥା, ପୁଲିସ ତଦନ୍ତରେ ଅବହେଳା, ଆଦିବାସୀ ନିବାସଗୁଡ଼ିକରେ ମନିଟରିଙ୍ଗ୍‌ର ଅଭାବ ଯୋଗୁ ରାଜ୍ୟରେ ଶିଶୁ ଯୌନ ନିର୍ଯାତନା ବଢ଼ିବାରେ ଲାଗିଛି। ବିଶେଷକରି କନ୍ଧମାଳ ଜିଲ୍ଲାରେ ଏଭଳି ସମସ୍ୟା ବଢ଼ିବଢ଼ି ଚାଲିଛି। ଏଭଳି ଅଭିଯୋଗ ଆଣିଛି ସିଭିଲ ସୋସାଇଟି। ସୋସାଇଟିର ୫ ଜଣ ଜଣିଆ ତଥ୍ୟାନୁସନ୍ଧାନକାରୀ ଦଳ କନ୍ଧମାଳ ଜିଲ୍ଲା ଯାଇ ଶିଶୁ ଯୌନ ଶୋଷଣର ଶିକାର ହୋଇଥିବା ପରିବାରଗୁଡ଼ିକୁ ଭେଟିବା ପରେ ଘଟଣାର ସତ୍ୟାସତ୍ୟ, ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାର ସ୍ଥିତି, ପଡ଼ୋଶୀମାନଙ୍କ ଦ୍ବାରା ଲଗାତାର ଅପମାନର ଶିକାର ହେଉଥିବା ପରିବାର ସର୍ବୋପରି ପୁଲିସ ତଦନ୍ତରେ ଅବହେଳା, ପରିବାରକୁ ସୁରକ୍ଷା ଦେବାରେ ପ୍ରଶାସନିକ ବିଫଳତା ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

ସିଭିଲ ସୋସାଇଟି ପକ୍ଷରୁ ଆଜି ସ୍ଥାନୀୟ ନେହେରୁ ଯୁବ ପ୍ରତିଷ୍ଠାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆବାହକ ପ୍ରଦୀପ ପ୍ରଧାନ କହିଥିଲେ, ଗତ କିଛି ଦିନ ତଳେ ଦାରିଙ୍ଗବାଡ଼ି ଉଚ୍ଚ ବିଦ୍ୟାଳୟର ଅଷ୍ଟମଶ୍ରେଣୀର ଛାତ୍ରୀ ଶିଶୁପୁତ୍ର ଜନ୍ମ ଦେବା ଘଟଣା ସାରା ରାଜ୍ୟକୁ ବ୍ୟଥିତ କରିଛି। କେବଳ ଏହି ଘଟଣା ନୁହେଁ, ଗତ ଦୁଇ ବର୍ଷ ମଧ୍ୟରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, ଫିରିଙ୍ଗିଆ, ଦାରିଙ୍ଗବାଡ଼ି ବ୍ଲକରେ ଏଭଳି ୪ଟି ଘଟଣା ଘଟି ସାରିଲାଣି। ଏ ନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ଯେଉଁଭଳି ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରିନାହିଁ। ପ୍ରଶାସନ ମଧ୍ୟ ନିରବଦ୍ରଷ୍ଟା।

ତେଣୁ ସିଭିଲ ସୋସାଇଟି ପକ୍ଷରୁ ଦାବି କରାଯାଇଛି ଯେ ଶିଶୁ ଯୌନ ନିର୍ଯାତନା ଅଭିଯୋଗଗୁଡ଼ିକୁ ତୁରନ୍ତ ଥାନାରେ ପଞ୍ଜୀକୃତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ପୀଡ଼ିତାମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉ। ଏହି ସବୁ ଦାବି ପୂରଣ ପାଇଁ ଆସନ୍ତା ମାସ ପ୍ରଥମ ସପ୍ତାହରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପାଇଁ ଯୋଜନା ହେ‌ଉଛି ବୋଲି ସୋସାଇଟି ତରଫରୁ ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସୁଧୀର ମହାନ୍ତି, ସମାଜସେବୀ ପ୍ରତାପ ପ୍ରଧାନ, ଆଶୋକ ପରିଡ଼ା, ମଧୁମିତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର