ଭୁବନେଶ୍ୱର: କୋଲକତାରୁ ଆସୁଥିବା ବସ୍ରୁ ୧୪ ଲକ୍ଷ ଟଙ୍କାର କଏନ୍ ଜବତ ହୋବ ଘଟଣାକୁ ସପ୍ତାହେ ପୂରିଛି। ହେଲେ ଏହି କଏନ୍କୁ ନେଇ କାର୍ଯ୍ୟାନୁଷ୍ଠାନ ହୋଇପାରୁନି। ଜବତ କଏନ୍କୁ ନେଇ ଅକଳରେ ପଡ଼ିଛି କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିଜିଏସ୍ଟି)ର ନିବାରଣ ଉଇଙ୍ଗ୍। ୩୫ ବସ୍ତାରୁ ୧୪ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ବାବଦରେ ଆର୍ବିଆଇ ସ୍ପଷ୍ଟ କରୁନାହିଁ। ରେଜା କାରବାରରେ ସମ୍ପୃକ୍ତ ବିଭାଗର କୌଣସି ନେଣଦେଣ ନଥିବାରୁ ରେଜାକୁ କଣ କରାଯିବ ସେ ନେଇ ହରଡ଼ଘଣାରେ ପଡ଼ିଛି ସିଜିଏସ୍ଟି। ୧୫ ତାରିଖରେ କାର୍ଯ୍ୟାନୁଷ୍ଠାନ ବାବଦରେ ସିଜିଏସ୍ଟି ଆରବିଆଇଠାରୁ ଉତ୍ତର ଚାହିଁଥିଲେ ମଧ୍ୟ ଏଯାବତ୍ ସ୍ପଷ୍ଟ ନିର୍ଦ୍ଦେଶ ଆସିନାହିଁ। ଏଣୁ ଆଜି ପୁଣି ଥରେ ସିଜିଏସ୍ଟି ଆରବିଆଇକୁ ଚିଠି ଲେଖିଛି। ଏତେ ଗୁଡ଼ାଏ ରେଜା କ’ଣ କରାଯିବ, ଏହି କାରବାରରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଜିଏସ୍ଟିର କୌଣସି ନେଣଦେଣ ନଥିବାରୁ ଆରବିଆଇ ଯଥାଶୀଘ୍ର ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ମଧ୍ୟ ଏ ନେଇ ଆଗ୍ରହ ଦେଖାଇ ନାହାନ୍ତି। ଏହି ଦୁଇ ବିଭାଗ ସହ ସିଜିଏସ୍ଟି ଯୋଗାଯୋଗରେ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଉଭୟ ବିଭାଗ କାହିଁକି ଆଗ୍ରହ ଦେଖାଉ ନାହାନ୍ତି ସେ ନେଇ ପ୍ରଶ୍ନ ଉଠିଛି।