କମିସନରେଟ୍‌ ପୁଲିସର ନୂଆ ଯୋଜନା: ଖୋଲିବ ସ୍ପେସା‌ଲ କ୍ରାଇମ୍‌ ୟୁନିଟ୍‌

ସପ୍ତାହକରେ ଯିବ ସରକାରଙ୍କୁ ପ୍ରସ୍ତାବ, ଡ୍ରଗ୍ସ, ସାଇବର ଠକେଇର କରିବ ତଦନ୍ତ

ଭୁବନେଶ୍ବର: ଡ୍ରଗ୍ସ କାରବାର ଓ ଅନ୍‌ଲାଇନ୍‌ ଠକେଇ ଦ୍ବୈତନଗରୀ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି। ଏହି ସବୁ ଅପରାଧର ମୁକାବିଲା ପାଇଁ କମିସନରେଟ୍‌ ପୁଲିସ ଅଧୀନରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି। କ୍ରାଇମ୍‌ବ୍ରାଞ୍ଚ ଭଳି କମିସନରେଟ୍‌ ପୁଲିସ ଅଧୀନରେ ଏକ ‘ସ୍ପେସାଲ କ୍ରାଇମ୍‌ ୟୁନିଟ୍‌’ ଖୋଲିବ। ଏହା ଡ୍ରଗ୍ସ ଓ ଅନ୍‌ଲାଇନ୍‌ ଠକେଇ ସହ ବିଭିନ୍ନ ସଂଗଠିତ ଅପରାଧ (ଯେଉଁ ଅପରାଧରେ ଏକାଧିକ ବ୍ୟକ୍ତି ଜଡ଼ିତ) ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସପ୍ତାହକ ମଧ୍ୟରେ ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ସୂଚନା ଦେଇଛନ୍ତି।

ଜଣେ ଜଏଣ୍ଟ କମିସନର ବା ଡିଆଇଜି ସ୍ତରର ଅଧିକାରୀ ଏହି ୟୁନିଟ୍‌ର ନେତୃତ୍ବ ନେ‌ବେ। ତାଙ୍କ ଅଧୀନରେ ୨୫ରୁ ୩୦ ଜଣ କର୍ମଚାରୀ ରହିବେ। ଏହି ୟୁନିଟ୍‌ ନିଜର ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ପାଇଁ ଟିମ୍‌ ଗଠନ କରିବ। ନିଜ ସ୍ତରରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ସହ ମାମଲାର ତଦନ୍ତ ପାଇଁ ସମସ୍ତ ବ୍ୟବସ୍ଥା କରିବ। କମିସନର ଯେଉଁ ସବୁ ମାମଲା ଚାହିଁବେ, ସେହି ସବୁ ମାମଲାର ତଦନ୍ତ ଏହି ସ୍ବତନ୍ତ୍ର ୟୁନିଟ୍ କରିବ। ବି‌ଶେଷକରି ଡ୍ରଗ୍ସ, ଅନ୍‌ଲାଇନ୍‌ ଠକେଇ ଓ ଅନ୍ୟ ସମସ୍ତ ସଂଗଠିତ ଅପରାଧ ଉପରେ ଏହି ୟୁନିଟ୍‌ କାମ କରିବ।

ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ ଆହୁରି କହିଛନ୍ତି, ପୁଲିସ ବ୍ୟବସ୍ଥା ଓ ଅପରାଧ ନିୟନ୍ତ୍ରଣକୁ ନେଇ ଆମେ ନିକଟ ଅତୀତରେ ଆଲୋଚନା କରିଥିଲୁ। ଆଲୋଚନାରେ ବରିଷ୍ଠ ନାଗରିକଙ୍କ ସହ ପୂର୍ବତନ ମୁଖ୍ୟ ସଚିବ, ପୂର୍ବତନ ଗୃହ ସଚିବ, ପୂର୍ବତନ ଡିଜି ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସଂଗଠିତ ଅପରାଧର ତ୍ବରିତ ତଦନ୍ତ ପାଇଁ ‘ସ୍ପେସାଲ କ୍ରାଇମ୍‌ ୟୁନିଟ୍‌’ ଖୋଲିବା ଉପରେ ସେମାନେ ଗୁରୁତ୍ବ ଦେଇଥିଲେ। ଡ୍ରଗ୍ସ ମାଫିଆମାନେ ସଂଗଠିତ ଭାବରେ ବ୍ୟବସାୟ ଚଳାଉଥିବାରୁ ଅନେକ ସମୟରେ ଏହାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ପୁଲିସ ସକ୍ଷମ ହୁଏ ନାହିଁ। କମିସନରେଟ୍‌ ପୁଲିସ ଅଞ୍ଚଳଠାରୁ ବହୁ ଦୂରରେ ବସି ଅନ୍‌ଲାଇନ୍‌ରେ ଠକ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛି। ଏହି ସବୁ ସଂଗଠିତ ଅପରାଧର ତଦନ୍ତ ପାଇଁ ସମୟ ଆବଶ୍ୟକ ହୋଇଥାଏ। କିନ୍ତୁ ବିଭିନ୍ନ ମାମଲାର ତଦନ୍ତ ଚାପରେ ଥିବା ପୁଲିସ ପାଇଁ ସମୟର ଅଭାବ ହୋଇଥାଏ। ଏଭଳି ସ୍ଥିତିରୁ ମୁକୁଳିବା ତଥା ସଂଗଠିତ ଅପରାଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁମ୍ବାଇ, କୋଲକାତା, ଦିଲ୍ଲୀ କମିସନରେଟ୍‌ ପୁଲିସରେ ଏଭଳି ସ୍ବତନ୍ତ୍ର କ୍ରାଇମ୍‌ ୟୁନିଟ୍‌ ସଫଳତାର ସହ କାମ କରୁଛି। ଆଲୋଚନାରେ ଆଗତ ପ୍ରସ୍ତାବକୁ ଆଧାର କରି ଏହି ବ୍ୟବସ୍ଥା ଏଠାରେ କରାଯିବ ବୋଲି କମିସନର କହିଛନ୍ତି।

ଅନ୍‌ଲାଇନ୍‌ରେ ଠକ ଦୂରରେ ବସି ଏଟିଏମ୍‌ କାର୍ଡର ସିକ୍ରେଟ ନମ୍ବର ବା ମୋବାଇଲ୍‌ରେ ଆସୁଥିବା ଓଟିପି(ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ) ସଂଗ୍ରହ କରି ମୋଟା ଅଙ୍କର ଅର୍ଥ ଠକି ନେଉଛି। ସାଧାରଣ ଲୋକ ଏହି ସବୁ ଠକଙ୍କଠାରୁ ଦୂରେଇ ରହିବା ପାଇଁ କମିସନର ପରାମର୍ଶ ଦେଇଛନ୍ତି। କାରଣ ଏହାର ତଦନ୍ତ କରି ଠକ ପର୍ଯ୍ୟନ୍ତ ପହଞ୍ଚିବା ଯେତିକି କଷ୍ଟ, ଠକଠାରୁ ଠକେଇ ଅର୍ଥ ଆଦାୟ କରିବା ପୁଲିସ ପାଇଁ ତା’ଠାରୁ ଅଧିକ କଷ୍ଟ। ହୋଇଥାଏ ବୋଲି ପୁଲିସ କମିସନର୍‌ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ପ୍ରତିଷ୍ଠା ହେବ ଆଉ ୩ ନୂଆ ଥାନା
ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ଜନସଂଖ୍ୟା ବଢ଼ିବା ସହ ଅପରାଧ ବଢ଼ିବାରେ ଲାଗିଛି। ପୁଲିସକୁ ଚାଲେଞ୍ଜ କଲା ଭଳି ପ୍ରତିଦିନ ଅପରାଧୀମାନେ କିଛି ନା କିଛି କାଣ୍ଡ ଘଟାଉଛନ୍ତି। ଛିନ୍‌ତାଇ, ଲୁଟ୍‌ପାଟ୍‌, ଡକାୟତି, ଦାଦାବଟି, ଠକେଇ, ଜୁଆ ଆଡ଼ା, ନିଶା କାରବାର ରାଜଧାନୀର ନିତିଦିନିଆ ଘଟଣା ପାଲଟିଛି। ସେହିପରି ଗୋଷ୍ଠୀ ସଂଘର୍ଷ, ହତ୍ୟାକାଣ୍ଡ, ବୋମାମାଡ଼ ମଧ୍ୟ ରାଜଧାନୀରେ କିଛି କମ୍‌ ନୁହେଁ। ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଅପରାଧୀ ଯେଭଳି କାଣ୍ଡ ଘଟାଉଛନ୍ତି, ତାହା କମିସନରେଟ୍‌ ପୁଲିସ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅପରାଧୀଙ୍କ ଦୌରାତ୍ମ୍ୟ ଏଭଳି ବଢ଼ିଯାଇଛି ଯେ, ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଗତି ରହୁଛନ୍ତି। ଘରୁ ବାହାରକୁ ବାହାରିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ଯାହାକି ପୁଲିସ ଚିନ୍ତାର କାରଣ ପାଲଟିଛି। ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା ଓ ଲୋକଙ୍କୁ ସୁରକ୍ଷା ଦେବା ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ରାଜଧାନୀରେ ଆଉ ୩ଟି ନୂଆ ଥାନା ପାଇଁ କମିସନରେଟ୍‌ ପୁଲିସ ଯୋଜନା କରୁଛି। ଭରତପୁର, ଇନ୍‌ଫୋଭ୍ୟାଲି ଓ ପାହାଳ ଏହି ତିନୋଟି ଅଞ୍ଚଳରେ ଥାନା ପ୍ରତିଷ୍ଠା କରିବା ପାଇଁ କମିସନରେଟ୍‌ ପୁଲିସ ଯୋଜନା କରିଛି। ତେବେ ଭରତପୁର ଥାନା ହେଲେ ଖଣ୍ଡଗିରି ଥାନାର ଅଧିକାଂଶ ଅଞ୍ଚଳକୁ ଏହି ଥାନାରେ ମିଶାଇ ଦିଆଯିବ। ସେହିପରି ଇନ୍‌ଫୋଭ୍ୟାଲି ଥାନା ହେଲେ ଖଣ୍ଡଗିରି ଓ ଚନ୍ଦକା ଥାନା ଅଞ୍ଚଳର କିଛି ସ୍ଥାନକୁ ମିଶାଇ ଦିଆଯିବ। ବାଲିଅନ୍ତା ଓ ମଞ୍ଚେଶ୍ବର ଥାନା ଅଧୀନରେ ଥିବା ଅଞ୍ଚଳରେ ଥିବା କେତେକ ସ୍ଥାନକୁ ନେଇ ପାହାଳ ଥାନା କରାଯିବ ବୋଲି ଯୋଜନା ହୋଇଛି।

ସମ୍ବନ୍ଧିତ ଖବର