ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀନିବାସରେ ନିମ୍ନମାନର ଖାଦ୍ୟ ଅଭିଯୋଗ: ଫାଟକରେ ତାଲା ପକାଇ ବିକ୍ଷୋଭ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀନିବାସରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଆଜି ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଛାତ୍ରୀନିବାସର ଅନ୍ତେବାସୀମାନେ ଆଜି ପୂର୍ବାହ୍ନରେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ କୁଳପତି ଘଟଣାସ୍ଥଳକୁ ଆସି ସେମାନଙ୍କୁ ବୁଝାସୁଝା କରିବା ପରେ ଛାତ୍ରୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ।

ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ବହୁ ଦିନ ହେଲା ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଏସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ସେମାନଙ୍କୁ ପୋକରା ଚାଉଳ ଓ ଡାଲି ଖାଇବାକୁ ଦିଆଯାଉଛି। ଗତ ତିନି ଦିନ ମଧ୍ୟରେ ଖାଦ୍ୟରୁ ଦୁଇ ଥର ପୋକ ବାହାରିଲାଣି। ସେହିଭଳି ଅନେକ ସମୟରେ ରନ୍ଧା ଖାଦ୍ୟରୁ ଗୁଟ୍‌ଖା ଜରି ମଧ୍ୟ ବାହାରୁଛି। ଗୋଟିଏ ମିଲ୍‌ ଲାଗି ୨୫ଟଙ୍କା ହିସାବରେ ଦୁଇ ଓଳିକୁ ୫୦ ଟଙ୍କା ଦେଉଛୁ। ଅଥଚ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଅଭିଯୋଗ ପରେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଆନ୍ଦୋଳନକୁ ଓହ୍ଲାଇଥିବା ଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇବାରୁ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା।

ଏହି ସମୟରେ କ୍ୟାମ୍ପସ‌‌ରେ ଅନୁଷ୍ଠିତ ହେଉଥିବା ଏକ କାର୍ଯ୍ୟକ୍ରମକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅତିଥି ହୋଇଆସିଥିବାରୁ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ ବେଶ୍‌ ହଟହଟା ହେବାକୁ ପଡ଼ିଥିଲା। ତେବେ ସେ ମୁଖ୍ୟ ଫାଟକ ନିକଟକୁ ଆସି ଛାତ୍ରୀମାନଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର