ଏକାଥରେ ମହିଳା‌ଙ୍କ ୪ ଶିଶୁ ଜନ୍ମ ଘଟଣା: ଏମ୍ସରେ ଚିକିତ୍ସାଧୀନ ଶିଶୁର ସ୍ଥିତିରେ ଉନ୍ନତି

ସ୍ବାଭାବିକ ହେଲା ଓପିଡି, ଅସ୍ତ୍ରୋପଚାର

ଭୁବନେଶ୍ବର : ଭଞ୍ଜନଗର ତିହପଡ଼ାର ଛବିତା ନାମ୍ନୀ ଜଣେ ମହିଳା କଟକ ବଡ଼ଡାକ୍ତରଖାନାର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗରେ ଏକାଥରେ ୪ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଏଥିରୁ ୩ ଶିଶୁର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଗତ ୧୧ ତାରିଖରେ ଗ୍ରିନ କରିଡର୍‌ରେ ମାତ୍ର ୨୦ ମିନିଟରେ ଏସସିବିରୁ ଏମ୍ସକୁ ଅଣାଯାଇଥିଲା। ଏହି ଶିଶୁର ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ପକ୍ଷରୁ କୁହାଯାଇଛି, ଶିଶୁର ଅବସ୍ଥାରେ ଉନ୍ନତି ଘଟିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଶିଶୁଟି ବିପଦମୁକ୍ତ ହୋଇ ପାରିନଥିବା ଜଣାଯାଇଛି। ଏମ୍ସକୁ ଆସିବା ବେଳକୁ ଶିଶୁଟିର ଅମ୍ଳଜାନ ସ୍ତର ୪୦ ପ୍ରତିଶତ ରହିଥିଲା। ଏଥିଯୋଗୁଁ ଅକ୍ସିଜେନ ଲାଗିଥିଲା। ଏବେ ଶିଶୁଟିର କୃତ୍ରିମ ଅକ୍ସିଜେନ ଆବଶ୍ୟକ ହେଉ ନଥିବାବେଳେ ଅବସ୍ଥାରେ ବି ଉନ୍ନତି ଘଟିଛି।

ସ୍ବାଭାବିକ ହେଲା ଓପିଡି, ଅସ୍ତ୍ରୋପଚାର
ଭୁବନେଶ୍ବର : ଏମ୍ସରେ ସ୍ବାଭାବିକ ହୋଇଛି ଓପିଡି ଏବଂ ଅସ୍ତ୍ରୋପଚାର। ଜୁନ ୨୮ ତାରିଖ ଓପିଡି ଖୋଲିଥିଲେ ମଧ୍ୟ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଟୋକନ ଦିଆଯାଉଥିଲା। ଏଥିଯୋଗୁଁ ଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଦଲାଲରାଜ ମଧ୍ୟ ବୃଦ୍ଧି ପାଇଥିଲା। ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ନିର୍ଦେଶ ଅନୁସାରେ, ହୃଦ୍‌ରୋଗ ବିଭାଗ ୧୦୦, ଜେନରାଲ ମେଡିସିନ୍‌ ନୂତନ ରୋଗୀ ୨୦୦, ପୁରୁଣା ୨୦୦, ନ୍ୟୁରୋଲୋଜି ୬୦, ନେଫ୍ରୋଲୋଜି ୫୦, ୟୁରୋଲୋଜି ୭୫ ବ୍ୟତୀତ ଅନ୍ୟ ସମସ୍ତ ବିଭାଗର ଓପିଡି ଟିକେଟର କୌଣସି ସୀମାରେଖା ନାହିଁ। ଓପିଡି ଟିକେଟ ସମୟରେ ଆସି ରୋଗୀ ଟୋକନ୍‌ ନେଇ ପାରିବେ। କୋଭିଡ୍‌ ଯୋଗୁଁ ଓଟି ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଥିଲା। ଏଥିଯୋଗୁଁ ଅସ୍ତ୍ରୋପଚାର ହୋଇ ପାରୁନଥିଲା। ଅସ୍ତ୍ରୋପଚାର ବିଳମ୍ବିତ ହୋଇଥିଲା। ବର୍ତ୍ତମାନ ଅସ୍ତ୍ରୋପଚାର ସ୍ବଭାବିକ ହେବ। ଦୀର୍ଘଦିନ ଧରି ଅସ୍ତ୍ରୋପଚାର ଅପେକ୍ଷାରେ ଥିବା ଲୋକେ ଏହାର ସୁବିଧା ନେଇ ପାରିବେ।

ସମ୍ବନ୍ଧିତ ଖବର