ଓଜେଏସ୍ ମୁଖ୍ୟ ପରୀକ୍ଷା ତାରିଖକୁ ନେଇ ଦ୍ବନ୍ଦ୍ବ

କଟକ: ସାରା ବିଶ୍ବ ତଥା ଦେଶରେ କରୋନା ଭୂତାଣୁକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଏଥିରୁ ବାଦ ପଡି ନାହିଁ। ରାଜ୍ୟରେ କରୋନାର ମୁକାବିଲା ପାଇଁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ସପିଂ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ପରୀକ୍ଷାକୁ ଏଭଳି ପରିସ୍ଥିତିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପକ୍ଷରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ମୁଖ୍ୟ ପରୀକ୍ଷା ମାର୍ଚ୍ଚ ୩୦ରୁ ଆରମ୍ଭ ହେବାକୁ ଯାଉଛି। କରୋନାକୁ ନେଇ ଦେଖା ଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ କେତେକ ରାଜ୍ୟରେ ବିଚାରବିଭାଗୀୟ ସେବା ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏଥି ସହିତ ବହୁ ନିଯୁକ୍ତି ପରୀକ୍ଷା ମଧ୍ୟ ବାତିଲ କରାଯାଇଛି। ରାଜ୍ୟର ବହୁସ୍ଥାନରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଜନସମାଗମ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଏଭଳି ପରିସ୍ଥିତିରେ ଓଜେଏସ୍ ମୁଖ୍ୟ ଲିଖିତ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ଓଜେଏସ୍ ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୭୩୭ ଜଣ ପ୍ରାର୍ଥୀ ଆଶଙ୍କା ଭିତରେ ରହିଛନ୍ତି। କରୋନା ସଂକ୍ରମଣ ଆଶଙ୍କାକୁ ନେଇ ଦେଖା ଦେଇଥିବା ବିପଦପୂର୍ଣ୍ଣ ପରିସ୍ଥିତିରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ପ୍ରାର୍ଥୀମାନେ କେମିତି ଓଜେଏସ୍ ମୁଖ୍ୟ ପରୀକ୍ଷା ଦେବେ ତାକୁ ନେଇ ପ୍ରଶ୍ନ ଉଠିଛି।

ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୯ ନଭେମ୍ବର ୧୧ରେ ୫୧ଟି ସିଭିଲ ଜଜ୍ ପଦ ପୂରଣ ପାଇଁ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଲିମିନାରି ପରୀକ୍ଷାରେ ୭୩୭ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ୨୦୨୦ ମାର୍ଚ୍ଚ ୩୦, ୩୧, ଏପ୍ରିଲ ୧ ଓ ୩ ତାରିଖରେ ଓଜେଏସ୍ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସସି ପକ୍ଷରୁ ଗତ ଫେବ୍ରୁଆରି ୨୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର