ସରକାରଙ୍କ ‘ସଙ୍ଗରୋଧ’ ନିଷ୍ପତ୍ତିକୁ ମାନିଲେ ଗଜପତି ମହାରାଜା

ସପରିବାରେ ଆମେରିକା ଯାଇଥିଲେ ଗଜପତି, ସମସ୍ତେ ସୁସ୍ଥ ଅଛନ୍ତି, ଆଇଏଏସ୍‌ ଭିନିଲ୍‌କ୍ରିଷ୍ଣା, ସଞ୍ଜୟ ଦାସବର୍ମାଙ୍କ ପୁଅ ବି ‘ସଙ୍ଗରୋଧ’ରେ

ଭୁବନେଶ୍ବର : ବିଦେଶ ଗସ୍ତରୁ ଫେରିଥିବା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ୧୪ ଦିନ ପାଇଁ ‘ସଙ୍ଗରୋଧ’(କ୍ବାରାଣ୍ଟିନ୍‌)ରେ ରହିଛନ୍ତି। ସେ ସୁସ୍ଥ ଥିଲେ ମଧ୍ୟ ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ନିଜର ପଞ୍ଜୀକରଣ କରାଇ ଭୁବନେଶ୍ବର ଘରେ ସଙ୍ଗରୋଧରେ ରହୁଛନ୍ତି ବୋଲି ଜଣାପଡ଼ିଛି। ସେହିପରି ବିଦେଶ ଗସ୍ତରୁ ଫେରିଥିବା ଆଇଏଏସ୍‌ ଅଫିସର୍‌ ଭିନିଲ କ୍ରିଷ୍ଣା ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପୁଅ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି।

ଗଜପତି ମହାରାଜା ସପରିବାରେ ଆମେରିକା ଯାଇଥିଲେ। ସେଠାରେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଗତ ୧୫ ତାରିଖରେ ଓଡ଼ିଶା ଫେରିଥିଲେ। କରୋନା ମୁକାବିଲା ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଗଜପତି ମହାରାଜା ଓ ତାଙ୍କ ପରିବାରର ସଦସ୍ୟମାନେ ସରକାରଙ୍କ ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ କରାଇ ସମସ୍ତ ତଥ୍ୟ‌ ଦେଇଥିଲେ। ଯଦିଓ ସମସ୍ତେ ସୁସ୍ଥ ଅଛନ୍ତି, ତେବେ ରାଜ୍ୟ ସରକାରଙ୍କ ପରାମର୍ଶ ମୁତାବକ ସତର୍କତାମୂଳକ ପଦକ୍ଷେପ ଭାବେ ୧୪ ଦିନ ପାଇଁ ସଙ୍ଗରୋଧରେ ରହିଛନ୍ତି ବୋଲି ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି। ବିଦେଶରୁ ଫେରିଥିବା ବ୍ୟକ୍ତିମାନେ ସରକାରଙ୍କ ନିର୍ଦ୍ଦେଶ ମାନି ନିଜର ପଞ୍ଜୀକରଣ କରାଇବା ସହ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ଗଜପତି ପରାମର୍ଶ ଦେଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଗଜପତି ମହାରାଜା ପ୍ରଶଂସା କରିଛନ୍ତି।

ସେହିପରି କିଛି ଦିନ ତଳେ ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ବିଦେଶରୁ ଫେରିଥିଲେ। ଯଦିଓ ତାଙ୍କ ଠାରେ କରୋନା ଭୂତାଣୁର କୌଣସି ଲକ୍ଷଣ ନାହିଁ, ତେବେ ସରକାରଙ୍କ ନିର୍ଦ୍ଦେଶ ପାଳନ କରି ଗତକାଲି ଠାରୁ ନିଜ ଘରେ ସଙ୍ଗରୋଧରେ ଅଛନ୍ତି। ଆଜି ସରକାରୀ ପୋର୍ଟାଲ୍‌ରେ ନିଜର ପଞ୍ଜୀକରଣ କରାଇ ସମସ୍ତ ତଥ୍ୟ‌ ଦେଇଛନ୍ତି। ବିଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତି ସରକାରଙ୍କୁ ସହଯୋଗ କରିବା ପାଇଁ ଶ୍ରୀ କ୍ରିଷ୍ଣା ଏକ ଭିଡିଓ ଜାରି କରି ନିବେଦନ କରିଛନ୍ତି।

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପୁଅ ଲଣ୍ଡନରୁ ଫେରିଲା ପରେ ତାଙ୍କୁ ନିଜ ଘରେ ସଙ୍ଗରୋଧରେ ରଖାଯାଇଛି। ତେବେ ତାଙ୍କ ପୁଅ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ଶ୍ରୀ ଦାସବର୍ମା କହିଛନ୍ତି ଯେ ତାଙ୍କ ପୁଅ ଲଣ୍ଡନରୁ ଫେରିବା ସମ୍ପର୍କରେ ମଧ୍ୟ ପ୍ରଶାସନକୁ ସେ ଜଣାଇଛନ୍ତି। ପୁଅକୁ ଏକ ଅଲଗା ଘରେ ସଙ୍ଗରୋଧରେ ରଖିଛନ୍ତି। ରାଜ୍ୟ ସରକାରଙ୍କ ଏସ୍‌ଓପି ଆଧାରରେ ସେ ସଙ୍ଗରୋଧ ପ୍ରକ୍ରିୟା ପାଳନ କରିଛନ୍ତି। ବିଦେଶରୁ ଆସୁଥିବା ପ୍ରତ୍ୟେକ ଲୋକ ସରକାରଙ୍କୁ ସମସ୍ତ ତଥ୍ୟ ଦିଅନ୍ତୁ ଓ ନିୟମାବଳୀ ମାନି ଚଳନ୍ତୁ ବୋଲି ଶ୍ରୀ ଦାସବର୍ମା ନି‌େବଦନ କରିଛନ୍ତି।

ସମ୍ବନ୍ଧିତ ଖବର