ଲକ୍ଷ୍ମୀସାଗର ତୋରଣ ନିର୍ମାଣ ପ୍ରସଙ୍ଗ: ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ

ଶିଳାନ୍ୟାସକୁ ବିତିଲାଣି ୪ବର୍ଷ, ମାସେ ଭିତରେ କାମ ଆରମ୍ଭ: କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର: ଲକ୍ଷ୍ମୀସାଗର ଐତିହ୍ୟ ତୋରଣ ନର୍ମାଣ ପ୍ରସଙ୍ଗ ଏବେ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଥିବା ଭଳି ଅବସ୍ଥାରେ। ଶିଳାନ୍ୟାସକୁ ପାଞ୍ଚ ବର୍ଷ ବିତିଲାଣି। ହେଲେ ପର୍ଯ୍ୟଟନ ବିଭାଗ ଇଟା ଖଣ୍ଡେ ବି ପକାଇଲାନି। କେତେବେଳ ବ୍ୟୟ ଅଟକଳ ବୃଦ୍ଧି ତ କେବେ ପୁଣି ରୂପରେଖ ପ୍ରସ୍ତୁତି କଥା କହି ବିଳମ୍ବ କରି ଆସୁଛି ପର୍ଯ୍ୟଟନ ବିଭାଗ। ଏବେ ବ୍ୟୟବରାଦ ଓ ରୂପରେଖ ଆଦି ପ୍ରସ୍ତୁତ ହୋଇସାରିଛି, କିନ୍ତୁ କାମ ଆରମ୍ଭ ହୋଇପାରୁନି। ପୂର୍ବରୁ ସ୍ଥାନୀୟ ଜନପ୍ରତିନିଧି ନଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଉପୁଜୁଥିବା ସମସ୍ୟାଗୁଡ଼ିକୁ ଦୂର କରିବାରେ ପର୍ଯ୍ୟଟନ ବିଭାଗ ବିଫଳ ହେଉଛି ବୋଲି ଉଦ୍‌ବେଗ ପ୍ରକାଶ ପାଉଥିଲା। ଏବେ ଦୀର୍ଘ ବର୍ଷେ ହେଲାଣି ନିର୍ବାଚିତ ପ୍ରତିନିଧି କ୍ଷମତାକୁ ଆସିଲେଣି। ଅଥଚ କର୍ପୋରେଟରଙ୍କ ସାହାଯ୍ୟରେ କାମ ଆରମ୍ଭ କରିବାରେ କ’ଣ ପାଇଁ ବିଳମ୍ବ ହେଉଛି ବୋଲି ଲକ୍ଷ୍ମୀସାଗରବାସୀ ପ୍ରଶ୍ନ କରିଛନ୍ତି। ଭୁବନେଶ୍ବର ରାଜଧାନୀ ମାନ୍ୟତା ପାଇବା ପୂର୍ବରୁ ଯେଉଁ ଗାଁଗୁଡ଼ିକ ଥିଲା, ସେଗୁଡ଼ିକୁ ଐତିହ୍ୟ ଗ୍ରାମ ଭାବେ ବିବେଚନା କରି ତା’ର ବିକାଶ ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାର ଆଗଭର ହୋଇଥିଲେ। ଏହାଦ୍ବାରା ସମ୍ପୃକ୍ତ ଗ୍ରାମର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହିତ ରାଜଧାନୀର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଇଥିଲା। ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକା ସାଙ୍ଗରେ ମଧ୍ୟ ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଉଭୟ ସ୍ଥାନରେ ଐତିହ୍ୟ ତୋରଣ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଫଳରେ ଗାଁର ସୌନ୍ଦର୍ଯ୍ୟ ବୃଦ୍ଧିକୁ ନେଇ ପିଲାଠୁ ବୁଢ଼ା ଯାଏଁ ସମସ୍ତଙ୍କ ଭିତରେ ଉତ୍ସାହ ଦେଖାଦେଇଥିଲା। ହେଲେ ମନ୍ତ୍ରୀ ବଦଳିଲା ପରେ ପ୍ରକଳ୍ପର ଭାଗ୍ୟ ସେମିତି ଶିଳାନ୍ୟାସରେ ଅଟକି ଯାଇଛି। ବହୁ ଘାତପ୍ରତିଘାତ ଭିତରେ ବଡ଼ଗଡ଼ ତୋରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଲକ୍ଷ୍ମୀସାଗର କାମ ଆରମ୍ଭ ହୋଇପାରୁନି।

ବଡ଼ଗଡ଼ରେ ବିଭିନ୍ନ ସମସ୍ୟାର ସମାଧାନ କରି ଯଦି ପର୍ଯ୍ୟଟନ ବିଭାଗ ତୋରଣ କାର୍ଯ୍ୟ ଆରମ୍ଭ କରିପାରିଲା, ତେବେ ଲକ୍ଷ୍ମୀସାଗରରେ କ’ଣ ଅସୁବିଧା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ ପର୍ଯ୍ୟଟନ ବିଭାଗର କନିଷ୍ଠ ଯନ୍ତ୍ରୀ ନୀହାର ରଞ୍ଜନ ରାଉତଙ୍କୁ ପଚାରିବାରୁ ସେ କହଛନ୍ତି ଯେ ଯେଉଁ ସ୍ଥାନରେ ତୋରଣ ନିର୍ମାଣ ହେବ, ସେଠାରେ ବିଦ୍ୟୁତ୍ ଟ୍ରାନ୍‌ସଫର୍ମର୍‌ ଓ କିଛି ଦୋକାନ ରହିଛି। ଯାହାର ସ୍ଥାନାନ୍ତର ପାଇଁ ଆମେ ବିଦ୍ୟୁତ୍ ବିଭାଗକୁ ଚିଠି ଲେଖିଛୁ। ସେହିଭଳି ଦୋକାନଗୁଡ଼ିକ ଉଚ୍ଛେଦ ପାଇଁ ମଧ୍ୟ ଆମେ ପଦେକ୍ଷେପ ଗ୍ରହଣ କରିୁଛ। ମାସେ ଭିତରେ ଏ ସମସ୍ୟାର ସମାଧାନ ହୋଇଯିବ। ଏହାପରେ କାମ ଆରମ୍ଭ କରାଯିବ। ଏନେଇ ୪୩ ନମ୍ବର ୱାର୍ଡ କର୍ପୋ‌ରେଟର୍‌ ଭରତ ଲେଙ୍କା କହିଛନ୍ତି ଯେ ଉଠା ଦୋକାନଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ସେମାନଙ୍କୁ ପୂର୍ବ ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଉଚ୍ଛେଦ କରାଯିବ। ସେହିଭଳି ବିଦ୍ୟୁତ୍ ତାରଗୁଡ଼ିକ ମଧ୍ୟ ଭୂତଳ ରାସ୍ତା ଦେଇ ନେବା ପାଇଁ ବିଦ୍ୟୁତ୍ ବିଭାଗ ସ୍ଥାନ ପରିଦର୍ଶନ କରି ଯାଇଛନ୍ତି। ଏସବୁ କାମ ସରିଲା ପରେ ତୋରଣ ନିର୍ମାଣ ପାଇଁ ଆଉ କୌଣସି ପ୍ରତିବନ୍ଧକ ରହିବନି। ପର୍ଯ୍ୟଟନ ବିଭାଗ କନିଷ୍ଠ ଯନ୍ତ୍ରୀ ମାସକ ଭିତରେ କାମ ଆରମ୍ଭ ହେବ ବୋଲି କହୁଥିବା ବେଳେ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍‌ ସ୍ଥାନାନ୍ତର ଓ ଭୂତଳ ତାର ଜରିଆରେ ବିଦ୍ୟୁତ୍ ଯୋଗାଣ କାମ ମାସକ ଭିତରେ କିଭଳି ସରିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର