ଓଡ଼ିଶାର ପରିଚିତି ଓ ଅସ୍ମିତାକୁ ଜନଜାତିଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ: ରାଜ୍ୟପାଳ

ରାଜଭବନରେ ଜନଜାତୀୟ ଗୌରବ ଦିବସ ସମାରୋହ

ଭୁବନେଶ୍ୱର : ଅରଣ୍ୟ ସଂସ୍କୃତିରେ ଅଛି ଭାରତୀୟ ଜୀବନାଦର୍ଶ ଓ ଜୀବନବୋଧର ମାର୍ଗ। ଯିଏ ଏ ସଂସ୍କୃତିରେ ବିକୃତି ଆଣିବାକୁ ଚେଷ୍ଟା କରିଛି, ସେ ବିନାଶକୁ ବରଣ କରିଛି। ସାଂପ୍ରତିକ ସମାଜର ବହୁବିଧ ସମସ୍ୟାରୁ ମୁକ୍ତି ନିମନ୍ତେ ଅରଣ୍ୟ ସଂସ୍କୃତିର ଭାବବୋଧକୁ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ।

ଗୁରୁବାର ରାଜଭବନରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ ଆହୁରି କହିଲେ ଯେ ଭଗବାନ ବିର୍ସା ମୁଣ୍ଡା ହେଉଛନ୍ତି ଜନଜାତି ସ୍ପର୍ଦ୍ଧା, ଶୌର୍ଯ୍ୟ, ସ୍ୱାଭିମାନ ଓ ଚେତନାର ପ୍ରତୀକ। ଜୀବନର ସ୍ୱଳ୍ପତା ନୁହେଁ, କର୍ମର ବିଶାଳତା ହିଁ ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ। ଏହା ତାଙ୍କ ଜୀବନରେ ପ୍ରତିଫଳିତ। ସେ ଚିରକାଳ ପାଇଁ ସମସ୍ତଙ୍କ ପ୍ରେରଣାର ଉତ୍ସ ହୋଇ ରହିବେ। ଓଡ଼ିଶାର ପରିଚିତି ଓ ଅସ୍ମିତାକୁ ଜନଜାତିଙ୍କର ବିଶେଷ ଅବଦାନ ରହିଛି। ସେମାନଙ୍କର ବିକାଶରେ ହିଁ ରାଜ୍ୟର ବିକାଶ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନଜାତି ସଶକ୍ତୀକରଣ ନିମେନ୍ତ ବହୁବିଧ ପ୍ରୟାସ କରୁଛନ୍ତି, ଯାହାର ସକାରାତ୍ମକ ପ୍ରଭାବ ଅନୁଭୂତ ହେଉଛି ଏବଂ ଏହାର ଉପଯୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଜନଜାତିଙ୍କ ବିକାଶ ନିମନ୍ତେ ଶିକ୍ଷାକୁ ପ୍ରମୁଖ ଉତ୍‌ପ୍ରେରକ ଭାବେ ବର୍ଣ୍ଣନା କରି ଜନଜାତି ପିଲାମାନଙ୍କ ମଧ୍ୟରେ ପ୍ରତିଭାର ପ୍ରାବଲ୍ୟ ରହିଥିବା ପ୍ରକାଶ କରିଥିଲେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା ଜନଜାତିଙ୍କ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରୟାସ ସଂପର୍କରେ ଆଲୋଚନା କରିଥିଲେ।

‘ସ୍ୱାଧୀନତା ସଂଗ୍ରାମରେ ଜନଜାତିଙ୍କ ଅବଦାନ’ ଶୀର୍ଷକ ଭଗବାନ ବିର୍ସା ମୁଣ୍ଡା ସ୍ମାରକୀ ବକ୍ତୃତା ପ୍ରଦାନ କରି ପଦ୍ମଶ୍ରୀ ଡ. ଦମୟନ୍ତୀ ବେସ୍ରା କହିଲେ, ସ୍ୱାଧୀନ ଚେତନା ଜନଜାତିଙ୍କର ସହଜାତ ପ୍ରବୃତ୍ତି। ଅନ୍ୟାୟ ଓ ଅନୀତି ବିରୋଧରେ ତାଙ୍କ ସଂଗ୍ରାମରେ ରୁଦ୍ଧିମନ୍ତ ଭାରତର ଇତିହାସ ଏବଂ ଏହାର ସଠିକ୍‌ ଆକଳନ ଓ ମୂଲ୍ୟାୟନ ହେବା ଦରକାର।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଓ ରାଜଭବନର ବରିଷ୍ଠ ଅଧିକାରୀମାନଙ୍କ ସହ ଜନଜାତି ଛାତ୍ରଛାତ୍ରୀମାନେ ଉତ୍ସବରେ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର