ଚିନ୍ତା ବଢ଼ାଇଲା କରୋନା : ରାଜ୍ୟରେ ‘ମାସ୍କ’ କଳାବଜାର

ଭୁବନେଶ୍ବର : ଖୋଲା ବଜାରରେ ଆଉ ମାସ୍କ ମିଳୁନି। ରାଜ୍ୟରେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟର କାରଣ ସ୍ବରୂପ ଔଷଧ ଦୋକାନରୁ ମାସ୍କ ଶେଷ ହୋଇଯାଇଛି। ଯେଉଁଠି ବି ଉପଲବ୍ଧ ହେଉଛି ‌ତାହା ଚଢ଼ା ଦରରେ ବିକ୍ରି ହେଉଛି। ଅପରପକ୍ଷରେ ଖୋଲା ବଜାରରେ ମାସ୍କ ଗାଏବ ହୋଇଯିବା ଘଟଣାରେ ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର ଯାଞ୍ଚ ପାଇଁ ସମସ୍ତ ଡ୍ରଗ୍ ଇନ୍‌ସପେକ୍ଟରଙ୍କୁ ଚିଠି ଲେଖିଛନ୍ତି।

ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ‌ଏପରିକି ତୁଳସୀ ପତ୍ର ଖାଇଲେ କରୋନା ପାଖ ମାଡ଼ିବ ନାହିଁ ବୋଲି ଗୁଜବ ବ୍ୟାପିବାରେ ଲାଗିଛି। ସ୍ଥଳ ବିଶେଷରେ ଅନେକ ଔଷଧ ଦୋକାନରୁ ମାସ୍କ ବୋହିବାରେ ଲାଗିଛନ୍ତି। ଜଣେ ଜଣେ ବ୍ୟକ୍ତି ବହୁ ସଂଖ୍ୟାରେ ମାସ୍କ କିଣି ନେଉଛନ୍ତି। ଫଳରେ ଖୋଲା ବଜାରେ ମାସ୍କର ଏକ କୃତ୍ରିମ ଅଭାବ ସୃଷ୍ଟି ହୋଇଛି। ଲୋକମାନେ ମାସ୍କ ଉପରେ ନିର୍ଭର କରିବା ପରିବର୍ତେ ସାବୁନରେ ହାତକୁ ଧୋଇବାକୁ କୁହାଯାଉଥିଲେ ହେଁ ଲୋକେ ମାସ୍କକୁ ଅଧିକ ସୁରକ୍ଷିତ ଭାବୁଛନ୍ତି। ସାଧାରଣ ମାସ୍କର ଦାମ୍ ୩୦ଟଙ୍କା ହୋଇଥିବା ବେଳେ ଏବେ ୧୫୦ ଟଙ୍କାରେ ବିକ୍ରି ହେଉଛି। ଏନ୍‌-୯୫ ମାସ୍କର ମଧ୍ୟ ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଉଛି। ଏନ୍‌-୯୫ ମାସ୍କ ବିଶେଷକରି ହସ୍ପିଟାଲର କର୍ମଚାରୀମାନେ ବ୍ୟବହାର କରୁଥିବା ବେଳେ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବା ପାଇଁ ଔଷଧ ଦୋକାନରେ ଭିଡ଼ ଜମାଉଛନ୍ତି।

ସମ୍ବନ୍ଧିତ ଖବର