ସେପ୍ଟେମ୍ବରରେ ଚିହ୍ନଟ ହେଲେଣି ୭୫୦୦ ଆକ୍ରାନ୍ତ, ଭୁବନେଶ୍ୱରରେ ସ୍ଥିତି ନିୟନ୍ତ୍ରଣରେ: ବିଏମ୍‌ସି କମିସନର

ପରୀକ୍ଷା ତୁଳନାରେ ପଜିଟିଭ୍‌ ସଂଖ୍ୟା କମୁଛି
ପ୍ରତି ୧୦ ନମୁନାରେ ଜଣେ ଆକ୍ରାନ୍ତ
ସେପ୍ଟେମ୍ବରରେ ମଲେଣି ୨୬

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟର ଅନ୍ୟ ସହର ତୁଳନାରେ ଅଧିକ ରହିଛି। ଦେଢ଼ ମାସ ହେଲା ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏଥିରେ ଅଧାରୁ ଅଧିକ ଭୁବନେଶ୍ବରରୁ ଚିହ୍ନଟ ହେଉଛନ୍ତି। କେବଳ ସେପ୍ଟେମ୍ବରରେ ବର୍ତ୍ତମାନ ସୁଦ୍ଧା ୭୫୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। କିନ୍ତୁ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଯେମିତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲା ଏବେ ସେମିତି ବଢ଼ୁନି। ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧରୀ କହିଥିଲେ ଯେ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏବେ ଯେଉଁ ହାରରେ କରୋନା ପରୀକ୍ଷା ହେଉଛି, ସେହି ଅନୁଯାୟୀ ଆକ୍ରାନ୍ତ ଚିହ୍ନଟ ହେଉନାହାନ୍ତି। ଯେତେବେଳେ ଦିନକୁ ପ୍ରାୟ ୩ହଜାର କରୋନା ପରୀକ୍ଷା ହେଉଥିଲା, ସେତେବେଳେ ପ୍ରାୟ ୫୦୦ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏବେ ଦୈନିକ ପ୍ରାୟ ୫ହଜାର କରୋନା ପରୀକ୍ଷା ହେଉଥିବା ବେଳେ ୩୦୦ରୁ ୪୦୦ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପରୀକ୍ଷା ବଢ଼ିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଭୁବନେଶ୍ବରରେ ସ୍ଥିତି ସୁଧୁରୁଛି ବୋଲି କୁହାଯାଇପାରିବ।

ସେହିପରି ଭୁବନେଶ୍ବରରେ ସବୁ ହାଟ, ବଜାର, ମଲ୍‌ ଖୋଲି ଦେଇଥିବା ‌ବେଳେ ଅର୍ଥନୈତିକ କାରବାର ଯେପରି ପ୍ରଭାବିତ ନହେବ, ସେଥିପାଇଁ କୌଣସି ଜିନିଷ ଉପରେ ରୋକ୍‌ ଲାଗିନି। ଯେ କେହିବି ଆସି କରୋନା ପରୀକ୍ଷା କରୁଛନ୍ତି। ଲୋକଙ୍କର ଲକ୍ଷଣ ଥାଉ କି ନଥାଉ, ସମସ୍ତେ ପରୀକ୍ଷା କରିବାର ସୁବିଧା ଯୋଗାଇ ଦିଆଯାଇଛି। ଏହିଭଳି କ୍ଷେତ୍ରରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଥିରେ ପୂର୍ବାପେକ୍ଷା ସ୍ଥିତି ସୁଧୁରୁଛି ବୋଲି କୁହାଯିବ।

ସୂଚନାଯୋଗ୍ୟ ଯେ ଭୁବନେଶ୍ବରରେ ସେପ୍ଟେମ୍ବର ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ବିଏମ୍‌ସି କମିସନର୍‌ଙ୍କ ସମେତ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ। ଏପରିକି ବିଏମ୍‌ସି କମିସନର କହିଥି‌ଲେ ଯେ ସେପ୍ଟେମ୍ବର ୧୫ ପରେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ଆସ୍ତେ ଆସ୍ତେ କମିବ। ଯାହା ଏବେ ଦେଖାଯାଉଛି। ସପ୍ତାହକ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ସେପ୍ଟେମ୍ବର ୧୨ରେ ୪୮୦ ଜଣ ଚିହ୍ନଟ ହୋଇଥିବା ବେଳେ ୧୩ରେ ୩୯୫ଜଣ, ୧୪ରେ ୩୫୧ଜଣ, ୧୫ରେ ୩୪୨ଜଣ, ୧୬ରେ ୩୬୨ଜଣ, ୧୭ରେ ୩୨୫ଜଣ ଏବଂ ୧୮ରେ ୩୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହିପରି ମୋଟ୍‌ ୨୫୬୦ଜଣ ଏହି ୭ଦିନରେ ଚିହ୍ନଟ ହୋଇଛନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଏହି ସମୟରେ ୨୫ହଜାରରୁ ଅଧିକ ଲୋକଙ୍କର କରୋନା ପରୀକ୍ଷା କରିଛନ୍ତି। ପ୍ରାୟ ପ୍ରତି ୧୦ଜଣରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅଗଷ୍ଟ ୩୧ ସୁଦ୍ଧା ଭୁବନେଶ୍ବରରେ ମୋଟ୍‌ ୧୦୪୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩୩୪ଜଣ ସୁସ୍ଥ ହୋଇଥିଲେ। ୪୨ଜଣଙ୍କର ମୃତ୍ୟୁ ହୋଇଥିଲା। ୪୦୩୮ଜଣ ଆକ୍ରାନ୍ତ ଚିକିତ୍ସିତ ଥିଲେ। କିନ୍ତୁ ସେପ୍ଟେମ୍ବର ୧୮ବେଳକୁ ରାଜଧାନୀରେ ମୋଟ୍‌ ୧୭୯୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ୧୩୬୩୧ଜଣ ସୁସ୍ଥ ହୋଇସାରିଲେଣି। ୪୨୧୨ ଜଣ ଏବେ ଚିକିତ୍ସାଧୀନ ଥିବାବେଳେ ମୋଟ୍‌ ୬୮ଜଣଙ୍କର ମୃତ୍ୟୁ ହୋଇଛି। ସେପ୍ଟେମ୍ବରର ୧୮ଦିନରେ ୨୬ଜଣଙ୍କର ମୃତ୍ୟୁ ହେଲାଣି।

ସମ୍ବନ୍ଧିତ ଖବର