ଶ୍ରୀଲିଙ୍ଗରାଜ ଥାନାରେ ପଶିଲା କରୋନା

ବାରଙ୍ଗରୁ ପୁଣି ୫ ପଜିଟିଭ୍‌

ପୁରୁଣା ଭୁବନେଶ୍ୱର : ଚନ୍ଦ୍ରଶେଖରପୁର, ଚନ୍ଦକା, ମଞ୍ଚେଶ୍ବର, କ୍ୟାପିଟାଲ ପରେ ଶ୍ରୀଲିଙ୍ଗରାଜ ଥାନାକୁ ଛୁଇଁଛି କରୋନା। ଗତକାଲି ଓଏପିଏଫ୍‌ର କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ଜଣେ ଓଏପିଏଫ୍‌ର କର୍ମଚାରୀଙ୍କୁ କରୋନା ସଂକ୍ରମିତ ହୋଇଛନ୍ତି। ଆଜି ପଜିଟିଭ୍‌ ରିପୋର୍ଟ ଆସିବା ପରେ ସମଗ୍ର ଥାନାକୁ ସାନିଟାଇଜ୍‌ କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ଭୟଭୀତ ଅଛନ୍ତି। ସେମାନଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ନମୁନ‌ା ପରୀକ୍ଷା ପାଇଁ ପଠାଯିବ। ତେବେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତି ଦୂରତା ରଖି ବାରଣ୍ଡାରେ ଅଭିଯୋଗ କରିବାକୁ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ନିବେଦନ କରିଛନ୍ତି।

ବାରଙ୍ଗରୁ ପୁଣି ୫ ପଜିଟିଭ୍‌
ବାରଙ୍ଗ : ଆଜି ବାରଙ୍ଗ ଅଞ୍ଚଳରୁ ପୁଣି ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦାଢ଼ାପାଟଣାର ୪ ଜଣଙ୍କ ଓ ଶ୍ରୀବନ୍ତପୁର ପଞ୍ଚାୟତରୁ ଜଣେ ଅଛନ୍ତି ବୋଲି ବାରଙ୍ଗ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି। ଦାଢ଼ାପାଟଣାର ୪ ଜଣଙ୍କ ମଧ୍ୟରୁ ୩ ଜଣ ବ୍ୟବସାୟୀ ଓ ଜଣେ ସେଲସ୍‌ମ୍ୟାନ ଅଛନ୍ତି। ଦାଢ଼ାପାଟଣାର ୩ ଆକ୍ରାନ୍ତଙ୍କ ସହ ଶ୍ରୀବନ୍ତପୁର ଆକ୍ରାନ୍ତଙ୍କୁ ଆଠଗଡ଼ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ‌ବୋଲି ବିଡିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଆକ୍ରାନ୍ତମାନଙ୍କ ପରିବାରମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦାଢ଼ାପାଟଣାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହି ବ୍ୟବସାୟିକ କେନ୍ଦ୍ରରୁ ବ୍ୟବସାୟୀ ଓ କର୍ମଚାରୀମାନେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହେଉଥିବାରୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏଠାରୁ ମୋଟ ୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ପ୍ରଥମ ଆକ୍ରାନ୍ତ ୨୭ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି। ଏବେ ଜଣେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅଛନ୍ତି ଓ ଅନ୍ୟ ଜଣେ ୪୭ ବର୍ଷୀୟ ବ୍ୟବସାୟୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଶ୍ରୀବନ୍ତପୁର ପଞ୍ଚାୟତ କଣ୍ଟାପାଟଣାର ସଂକ୍ରମିତ ଜଣକ ଗଞ୍ଜାମସ୍ଥିତ ଏଫ୍‌ସିଆଇର ଜଣେ କର୍ମଚାରୀ। ସେ ସେଠାରୁ ଅସୁସ୍ଥ ହୋଇ ଘରକୁ ଫେରିଥିଲେ। ସନ୍ଦେହ ହେବାରୁ ତାଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା ଓ ଆଜି ରିପୋର୍ଟ ପଜିଟିଭ୍‌ ଆସିଛି। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ବାରଙ୍ଗ ଅଞ୍ଚଳରୁ ମୋଟ ୧୫ ଜଣ ସଂକ୍ରମିତ ବାହାରିଛନ୍ତି।

ସମ୍ବନ୍ଧିତ ଖବର