ଭୁବନେଶ୍ୱର : ସରକାର ଧୀରେଧୀରେ କଟକଣା କୋହଳ କରି ବନ୍ଦ ରହିଥିବା କ୍ଷେତ୍ରଗୁଡ଼ିକୁ ଖୋଲିବାକୁ ଅନୁମତି ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ଯୋଗ କେନ୍ଦ୍ର ଓ ଜିମ୍ଗୁଡ଼ିକ ଖୋଲିଛି। ତେବେ ସରକାର ଏଥିପାଇଁ ଯେଉଁ ଏସ୍ଓପି ପାଳନ କରିବାକୁ ସର୍ତ୍ତ ରଖିଛନ୍ତି ସେଥିରେ ଅସନ୍ତୋଷ ପ୍ରକାଶ କରିଛି ଓଡ଼ିଶା ଜିମ୍ ମାଲିକ ସଂଘ। ଫେସ୍ ସିଲ୍ଡ ଓ ମାସ୍କ ଲଗାଇ ବ୍ୟାୟାମ କରିବା ଦ୍ବାରା ନିଃଶ୍ବାସ ପ୍ରଶ୍ବାସରେ ବାଧା ଉପୁଜୁଥିବାରୁ ଜିମ୍କୁ ଆସୁଥିବା ବ୍ୟକ୍ତିବିଶେଷ ମଧ୍ୟ ଅସନ୍ତୋଷ ଜାହିର୍ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ସମଗ୍ର ରାଜ୍ୟରେ ସଂଘ ଦ୍ବାରା ପଞ୍ଜୀକୃତ ହୋଇଥିବା ୭୮୦ଟି ଜିମ୍ ରହିଥିବା ବେଳେ କେବଳ ଭୁବନେଶ୍ବର ଓ କଟକ ମଧ୍ୟରେ ୧୪୦ଟି ଜିମ୍ ରହିଛି। ତେବେ ଜିମ୍ ଖୋଲିବା ପରେ ମାତ୍ର ୩୦ ପ୍ରତିଶତ ବ୍ୟାୟାମ କରିବାକୁ ଆସିଥିବା ପ୍ରଥମ ଦିନରେ ଦେଖିବାକୁ ମିଳିଛି। ଏନେଇ ଓଡ଼ିଶା ଜିମ୍ ମାଲିକ ସଂଘର ସଭାପତି ସତ୍ୟଜିତ୍ ଦାଶ କହିଛନ୍ତି, ଜିମ୍ ଖୋଲିବାକୁ ସିନା ଅନୁମତି ମିଳିଗଲା କିନ୍ତୁ ଜିମ୍ଗୁଡ଼ିକୁ ବଞ୍ଚେଇ ରଖିବାକୁ ସରକାର ସାମାନ୍ୟତମ ଧ୍ୟାନ ମଧ୍ୟ ଦେଲେ ନାହିଁ। ବ୍ୟବସାୟିକ ଦିଗକୁ ମାରିଦେଇ କେବେ ହେଲେ ଜିମ୍କୁ ବଞ୍ଚାଇ ରଖିବା ସମ୍ଭବ ନୁହେଁ। ମାତ୍ର ଅନୁଧ୍ୟାନ ପରେ ଲାଗୁଛି, ଜିମ୍ ଖୋଲିଲେ ଆୟଠାରୁ ଖର୍ଚ୍ଚ ବଳିଯିବ। ପ୍ରଥମତଃ ୩୦ ପ୍ରତିଶତ ବ୍ୟକ୍ତିବିଶେଷ ଆସୁଥିବାରୁ ଏହା ବ୍ୟବସାୟିକ ଦିଗକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିବ। ଏହାବ୍ୟତୀତ ଯେଉଁ ଆର୍ଥିକ ବୋଝ ଜିମ୍ଗୁଡ଼ିକ ଉପରେ ରହିଛି ତାହା ଜିମ୍ଗୁଡ଼ିକୁ ମାରିଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି।
ଶ୍ରୀ ଦାଶ କହିଛନ୍ତି, ସରକାରଙ୍କୁ ବାରମ୍ବାର ନିବେଦନ ପରେ ମଧ୍ୟ ଆମ ଉପରେ ଥିବା ସର୍ବନିମ୍ନ ନିର୍ଧାରିତ ବିଦ୍ୟୁତ ଦେୟ ମଧ୍ୟ ସରକାର ଛାଡ଼ କରିନାହାନ୍ତି। ତେଣୁ ଅନ୍ତତଃ ଗତ ୫ମାସର ଏବଂ ଅବସ୍ଥା ସ୍ବାଭାବିକ ହେବା ପର୍ଯ୍ୟନ୍ତ ଏହି ଦେୟକୁ ଛାଡ଼ କରିବାକୁ ସେ ପୁନର୍ବାର ସରକାରଙ୍କୁ ନିବେଦନ କରିଛନ୍ତି। ବ୍ୟାଙ୍କ ଋଣ ପରିଶୋଧ ସ୍ଥଗିତ ରଖିବାରେ ସରକାର ସହାୟତାର ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି। ଏଥିସହ ଜିମ୍ଗୁଡ଼ିକୁ ଏମ୍ଏସ୍ଏମ୍ଇରେ ଅନ୍ତର୍ଭୁକ୍ତ କରିବା ପାଇଁ ସେ ସଂଘ ପକ୍ଷରୁ ଦାବି କରିଛନ୍ତି।