ଗଞ୍ଜାମକୁ ପଛରେ ପକାଇଲା ଖୋର୍ଧା

ଜିଲ୍ଲାର ୬୧% ରୋଗୀ ରାଜଧାନୀରୁ, ସପ୍ତାହରେ ବଢ଼ିଲେଣି ୧୬୨୯

ଭୁବନେଶ୍ବର : କରେନା ସଂକ୍ରମଣକୁ ନେଇ ସରକାରଙ୍କ ଚିନ୍ତା ବଢ଼ାଇଥିବା ଗଞ୍ଜାମ ଜିଲ୍ଲାକୁ ପଛରେ ପକାଇ ଦେଇଛି ଖୋର୍ଧା। ଗତ ୨୪ ଘଣ୍ଟାରେ ଗଞ୍ଜାମରେ ୨୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେ‌ଳେ ଖୋର୍ଧାରେ ୨୯୮ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଗୋଟିଏ ଦିନରେ ଯେ ଖୋର୍ଧା ଜିଲ୍ଲା ସଂଖ୍ୟାରେ ଗଞ୍ଜାମକୁ ଟପି ଯାଇଛି, ତାହା ନୁହେଁ, ଲଗାତାର ଭାବେ ଖୋର୍ଧା ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିବାର ପରିଣାମ ସ୍ବରୂପ ଏଭଳି ପରିସ୍ଥିତି ଦେଖା ଦେଇଛି। ଗତ ସପ୍ତାହର ପରିସଂଖ୍ୟାନକୁ ନଜର ପକାଇଲେ କ୍ରମାଗତ ଭାବେ ୨ଶହରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ୭ ଦିନରେ ୧୬୨୯ ରୋଗୀ ଚିହ୍ନଟ ହୋଇ ସାରିଲେଣି। ଜିଲ୍ଲାରେ ରୋଗୀଙ୍କ ସଂଖ୍ୟାରେ ୨୭ ପ୍ରତିଶତ ବୃଦ୍ଧି ହୋଇଛି। ଯଦିଓ ସମୁଦାୟ ସଂଖ୍ୟାକୁ ଦେଖିଲେ ଖୋର୍ଧା ଜିଲ୍ଲା ଗଞ୍ଜାମଠାରୁ ବହୁ ଦୂରରେ ରହିଛି, ତେବେ ଆଜିର ସ୍ଥିତି ଜାରି ରହିଲେ ରାଜ୍ୟର ପରବର୍ତୀ ଗଞ୍ଜାମ, ଖୋର୍ଧା ପାଲଟିପାରେ ବୋଲି ଆଶଙ୍କା ଦେଖାଦେଲାଣି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଖୋର୍ଧା ଜିଲ୍ଲାର ସିଂହଭାଗ ରୋଗୀ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହେଉଛନ୍ତି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୫୮୨୯ରୋଗୀ ଚିହ୍ନଟ ହୋଇଥିବା ବେ‌ଳେ ଭୁବନେଶ୍ବରରୁ କେବଳ ରହିଛନ୍ତି ୩୫୭୩ଜଣ। ଏହା ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ୬୧ ପ୍ରତିଶତ। ରାଜଧାନୀକୁ ବାଦ୍ ଦେଲେ ମାତ୍ର ୨୨୫୬ ରୋଗୀ ଜିଲ୍ଲାର ଅନ୍ୟ ଅଞ୍ଚଳରୁ ହିଁ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାରେ ଏ ପର୍ଯ୍ୟନ୍ତ ୩୧ଜଣ ରୋଗୀ କରୋନାରେ ପ୍ରାଣ ହରାଇଥିବା ବେଳେ ତହିଁରୁ ୧୮ଜଣ କେବଳ ରାଜଧାନୀରୁ ରହିଛନ୍ତି। ଏଭଳି ପରିସ୍ଥିତିରେ ଭୁବନେଶ୍ବର ଉପରେ ହିଁ ଖୋର୍ଧା ଜିଲ୍ଲାର କରୋନା ସ୍ଥିତି ନିର୍ଭର କରୁଛି।

ମାର୍ଚ ୧୫ ତାରିଖରେ ରାଜ୍ୟ ତଥା ଖୋର୍ଧା ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରବର୍ତୀ ସମୟରେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିଲା। ବିଶେଷକରି ଜୁଲାଇ ମାସରେ ଏଥିରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ରାଜଧାନୀର ଏବେ ବହୁ ସଂଖ୍ୟାରେ ବସ୍ତି, ସରକାରୀ ଓ ଘରୋଇ ହସ୍ପିଟାଲରୁ ପୁଳା ପୁଳା ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି। ଏପରିକି ଗୋଟିଏ ଗୋଟିଏ ସ୍ଥାନ ହଟସ୍ପଟ୍‌ ପାଲଟୁଛି। ସେହିପରି ହସ୍ପିଟାଲଗୁଡ଼ିକରେ ସଂକ୍ରମଣ ରୋକିବା ଲାଗି ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସି ପକ୍ଷରୁ ନିର୍ଦେଶାବଳି ଜାରି କରାଯାଇଥିଲେ ହେଁ ଏ ସବୁକୁ କେହି ମାନୁ ନ ଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ହେବା ପରେ ରାଜ୍ୟ ସରକାର ଜିଲ୍ଲାକୁ ବେଶ୍‌ ଗୁରୁତ୍ବ ଦେଇଥିଲେ। ଶତାଧିକ ସଂଖ୍ୟାରେ ଡାକ୍ତର, ଏକାଧିକ ସରକାରୀ ଅଧିକାରୀଙ୍କୁ ଜିଲ୍ଲାକୁ କରୋନା ନିୟନ୍ତ୍ରଣ ଲାଗି ପଠା ଯାଇଥିଲା। ପୂର୍ବରୁ ଦିନକୁ ୫୦୦ ରୋଗୀ ଚିହ୍ନଟ ହେଉଥିବା ଗଞ୍ଜାମରୁ ସଂକ୍ରମିତଙ୍କ ସଂଖ୍ୟା ୨ଶହକୁ ଖସି ଆସିଛି। ଅପରପକ୍ଷରେ ଖୋର୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଏମ୍‌ସି ପକ୍ଷରୁ ରାଜଧାନୀରେ କରୋନାକୁ ନିୟନ୍ତ୍ରଣ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ତାହା ଏ ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ। ତେଣୁ ବର୍ତମାନ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ସ୍ବତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରା ନ ଯାଏ ତାହାଲେ ରାଜଧାନୀର ସ୍ଥିତି ଅସମ୍ଭାଳ ହୋଇପାରେ।

ସମ୍ବନ୍ଧିତ ଖବର