ଅଧା ସ୍ଥାନାନ୍ତର ହେଲା ସିପିଡିଓ, ତଳଗଡ଼କୁ ଗଲେ ୩୦ ହଜାର ଚିଆଁ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯାଇଛି ହକି ବିଶ୍ବକପ୍‌। ହେଲେ ବର୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ଥାନାନ୍ତର ହୋଇପାରିନି କେନ୍ଦ୍ରୀୟ କୁକ୍କୁଟ ବିକାଶ ସଙ୍ଗଠନ(ସିପିଡିଓ)। ସଙ୍ଗଠନର ଅଧା କ୍ୟାମ୍ପସ ନରାଜ ନିକଟ ତଳଗଡ଼କୁ ସ୍ଥାନାନ୍ତର ହୋଇଛି। ୩୦ ହଜାର କୁକୁଡ଼ା ଚିଆଁକୁ ସେଠାକୁ ନିଆଯାଇଛି। ବାକି କ୍ୟାମ୍ପସ ଏବେ ବି କଳିଙ୍ଗ ଷ୍ଟାଡିୟମ୍‌ ନିକଟରେ ରହିଛି। ‌ତାହା କେବେ ସୁଦ୍ଧା ସମ୍ପୂର୍ଣ୍ଣ ସ୍ଥାନାନ୍ତର ହେବ ସେନେଇ କାହା ପାଖରେ ଖବର ନାହିଁ। ତଥାପି ୨୦୧୯ ଭିତରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି। ହକି ବିଶ୍ବକପ୍‌କୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟାଡିୟମର ସମ୍ପ୍ରସାରଣ କରାଯାଇଥିଲା। ପଶ୍ଚିମ ଓ ଉତ୍ତର ପାର୍ଶ୍ବ ଅଞ୍ଚଳକୁ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିବାରୁ ଏହାର ସ୍ଥାନାନ୍ତର ଅପରିହାର୍ଯ୍ୟ ହୋଇପଡ଼ିଥିଲା। ତାହାକୁ ଦୃଷ୍ଟିରେ ରଖି ସିପିଡିଓ କ୍ୟାମ୍ପସକୁ ନରାଜ ନିକଟ ତଳଗଡ଼କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ତରବରିଆ ଭାବେ କଟକ ଜିଲ୍ଲା ବାରଙ୍ଗ ତହସିଲ ଅଧୀନ ନରାଜରୁ ତଳଗଡ଼ ଯିବା‌ ରାସ୍ତାରେ ଥିବା ୪୦ ଏକର ସରକାରୀ ଜମିରେ ସିପିଡିଓ ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଥିଲା। ହକି ବିଶ୍ବକପ୍‌ ପୂର୍ବରୁ ନୂତନ କ୍ୟ‌ାମ୍ପସ କାର୍ଯ୍ୟ ଶେଷ କରି ସେଠାକୁ ସମ୍ପୂର୍ଣ୍ଣ ସ୍ଥାନାନ୍ତର ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୫୦୦ରୁ ଅଧିକ କାଜୁ, ଆକାଶିଆ, ଝାଉଁ ଗଛ ସମେତ ବହୁ ମୂଲ୍ୟବାନ ଗଛ କଟାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାମ ଶେଷ ହୋଇପାରିନି। କେବଳ କୁକୁଡ଼ା ଚିଆଁ ରଖିବା ପାଇଁ ଆବଶ୍ୟକୀୟ ଗୃହ ନିର୍ମାଣ ହୋଇଛି। ତଳିଆ କର୍ମଚାରୀଙ୍କ ରହିବା ପାଇଁ କିଛି ଘର ହୋଇଛି।

ସିପିଡିଓର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମ୍ପୂର୍ଣ୍ଣ କ୍ୟାମ୍ପସ ଶେଷ ହେବା ପାଇଁ ସମୟ ଲାଗିବ। ହକି ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଏବେ କେବଳ ୩୦ ହଜାର କୁକୁଡ଼ା ଚିଆଁକୁ ସେଠାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଲାଗି ଆବଶ୍ୟକୀୟ ଖା‌ଦ୍ୟ ସାମଗ୍ରୀ, କର୍ମଚାରୀ ଆଦିକୁ ପଠାଯାଇଛି। ସେଠାରେ କୁକୁଡ଼ା ଚିଆଁଙ୍କୁ ବଢ଼ାଯାଇ ବିକ୍ରି କରାଗଲାଣି। ଏବେ ମୁଖ୍ୟ କାର୍ଯ୍ୟାଳୟରେ ଅଳ୍ପ କିଛି ଚିଆଁ ବିକ୍ରି ହେଉଛି। ହକି ବିଶ୍ବକପ୍‌ ଲାଗି ସିପିଡିଓରୁ ଯେଉଁ ଜମି ଆବଶ୍ୟକତା ରହିଥିଲା ତାହା ଦିଆଯାଇଛି। ଖାଲି ହୋଇଥିବା ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ଏବେ ଯେଉଁ ବିଲ୍‌ଡିଂ ରହିଛି ତାହାକୁ ସମ୍ପୂର୍ଣ୍ଣ ଖାଲି କରିବାକୁ ଆଉ କିଛି ମାସ ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ନୂଆ କ୍ୟାମ୍ପସ୍‌ରେ ପ୍ରାୟ ୪୦ ପ୍ରତିଶତ କାମ ‌ସରିଛି। ୨୦୧୯ ଭିତରେ ସେଠାକୁ ସ୍ଥାନାନ୍ତର ହୋଇଯିବ। ଆଶ୍ବସ୍ତିର ବିଷୟ ହେଉଛି ଯେ ନୂଆ କ୍ୟାମ୍ପସ ନିକଟରେ ଥିବା ‘ପିକକ୍‌ ଭ୍ୟାଲି’ ଉପରେ ସିପିଡିଓର କୌଣସି ପ୍ରଭାବ ପଡ଼ିନି। ସ୍ଥାନୀୟ ଲୋକ ଓ ପରିବେଶବିତ୍‌ଙ୍କ କଡ଼ା ବିରୋଧ ଯୋଗୁଁ ମୟୂରଙ୍କ ବାସସ୍ଥାନକୁ ଛାଡ଼ି ସିପିଡିଓ ପ୍ରତିଷ୍ଠା ହୋଇଛି। ସେହି ଅନୁଯାୟୀ ଜାଗା ମଧ୍ୟ ଦିଆଯାଇଛି। ତାହାକୁ ଏବେ ପାଚେରି ବୁଲାଯାଇଛି। ତେଣୁ ୧୫୦ରୁ ଅଧିକ ମୟୂରଙ୍କ ପ୍ରତି ଥିବା ବିପଦ କିଛି ମାତ୍ରାରେ ଟଳି ଯାଇଛି। ହେଲେ ସିପିଡିଓରେ ମୁଖ୍ୟତଃ କୁକୁଡ଼ା ଉପରେ ଗବେଷଣା ହେବାକୁ ଥିବାରୁ ବାର୍ଡ ଫ୍ଲୁର ଆଶଙ୍କା ମଧ୍ୟ ରହୁଛି।

ସମ୍ବନ୍ଧିତ ଖବର