ବିଧାନ ପରିଷଦ ଗଠନକୁ ବିରୋଧ କରି ସିପିଏମ୍‌ର ଧାରଣା

ଭୁବନେଶ୍ୱର: ବିଧାନ ପରିଷଦ ଗଠନକୁ ବିରୋଧ କରି ଆଜି ସିପିଆଇ(ଏମ୍‌) ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ପାର୍ଟିର ବରିଷ୍ଠ ନେତା ଜନାର୍ଦ୍ଦନ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣାରେ ଦଳର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଏହାକୁ ତୀବ୍ର ବିରୋଧ କରିଥିଲେ। ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ସରକାର ରାଜ୍ୟବାସୀଙ୍କ ମତାମତ ନେଇ ନାହାନ୍ତି। ଆମ ଦେଶର ୨୯ଟି ରାଜ୍ୟ ମଧ୍ୟରୁ ୭ଟି ରାଜ୍ୟରେ ବିଧାନ ପରିଷଦ ରହିଛି । ବାକି ୨୨ଟି ରାଜ୍ୟରେ ଏହି ବ୍ୟବସ୍ଥା ନାହିଁ। ଆମ ରାଜ୍ୟର ଋଣଭାର ଚଳିତ ଆର୍ଥିକ ବର୍ଷରେ ୯୧ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ସ୍କୁଲର ଶିକ୍ଷକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ଲାଗିଛନ୍ତି। ସରକାରୀ ଅଫିସ ଓ ଡାକ୍ତରଖାନାରେ ନିଯୁକ୍ତି ନାହିଁ। ଏଥିପ୍ରତି ରାଜ୍ୟ ସରକାର ନଜର ଦେବା ପରିବର୍ତ୍ତେ ବିଧାନ ପରିଷଦ ଗଢ଼ି କୋଟି କୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରିବେ। ନେତାମାନଙ୍କୁ ନିଯୁକ୍ତି ଓ ଥଇଥାନ ଦେବାକୁ ଏହା ଏକ ହୀନ ପଦକ୍ଷେପ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ଶିଶିର ହୁଇ, ପୁଷ୍ପା ଦାସ, ବଦ୍ରି ଦାସ, ଭୀମସେନ ସ୍ୱାଇଁ, ସାଲ ମାର୍ଣ୍ଡି, କୈଳାସ ଷଡ଼ଙ୍ଗୀ ଯୁଧିଷ୍ଠିର ବେହେରା, ଶରତ ବେହେରା, ଯଧିଷ୍ଠିର ଦାସ, ସୁରେନ୍ଦ୍ର ଦାସ, ଗିରୀଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର