ଧଳାବାଘ ଖୁଆଡ଼ରେ କୁମ୍ଭୀର ଛୁଆ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳାବାଘ ‘ସମ୍ରାଟ’ ରହୁଥିବା ଖୁଆଡ଼ ଭିତରେ ଆଜି ଏକ ଛୋଟ କୁମ୍ଭୀରକୁ ଦେଖିବାକୁ ମିଳିଥିଲା। କୁମ୍ଭୀରର ବୟସ ୨ ମାସ ହେବ ବୋଲି ଅନୁମାନ କରାଯାଉଛି। କୁମ୍ଭୀରଟି ସମ୍ରାଟ ରହୁଥିବା ଖୁଆଡ଼ ନମ୍ବର ୩୩ରେ ଥିବା ଜଳାଶୟରେ ରହୁଥିବା ଜଣାପଡ଼ିଛି। ‌ଆଜି ଅପରହ୍ଣରେ ସେ ଉପରେ ଥିବା ବେଳେ ଫରେଷ୍ଟ ଗାର୍ଡ ସୁଶାନ୍ତ ବେହେରା ଦେଖି ନନ୍ଦନକାନନ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ତେବେ ବାଘ ଖୁଆଡ଼ ଭିତରକୁ କୁମ୍ଭୀର କିପରି ଆସିଲା ସେ ନେଇ ତନାଘନା ଚାଲିଛି।

ସୂଚନା ଅନୁଯାୟୀ ୩ ଫୁଟ୍‌ ଲମ୍ବ ଓ ୨ ମାସ ବୟସର ଏହି କୁମ୍ଭୀରଟି କେବେଠୁ ସମ୍ରାଟ ରହୁଥିବା ଖୁଆଡ଼ ମଧ୍ୟକୁ ଆସିଛି ଜଣା ପଡ଼ିନି। ସେ ଯେପରି ସମ୍ରାଟର କୌଣସି କ୍ଷତି ନକରେ ସେଥି ପ୍ରତି ଗୁରୁତ୍ବ ଦିଆଯାଇଛି। ଅପରାହ୍ଣରେ ସମ୍ରାଟକୁ ଖାଦ୍ୟ ଗ୍ରହଣ କକ୍ଷରେ ମାଂସ ଖାଇବାକୁ ଦିଆଯାଇଥିଲା। ପରେ ଉକ୍ତ କକ୍ଷକୁ ବନ୍ଦ କରାଯାଇଥିଲା। ଫରେଷ୍ଟର୍‌ ଅରୂପ ରାଉତ, ଫରେଷ୍ଟ ଗାର୍ଡ ଶ୍ରୀ ବେହେରା ଓ ଶିବରାମ ସାହୁଙ୍କ ସମେତ ୬ ଜଣ କର୍ମଚାରୀ ପାଣି ଭିତରୁ କୁମ୍ଭୀରକୁ ଧରିବାକୁ ଉଦ୍ୟମ କରିଥିଲେ। ଜାଲ ପକାଇ କୁମ୍ଭୀରକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାକୁ କାବୁ କରାଯାଇ ପାରି ନଥିଲା। ସନ୍ଧ୍ୟା ହୋଇଯିବାରୁ କୁମ୍ଭୀର ଧରା ସ୍ଥଗିତ ରଖାଯାଇଥିଲା। ଆସନ୍ତା କାଲି ପୁଣି କୁମ୍ଭୀରକୁ ଧରିବାକୁ ଉଦ୍ୟମ କରାଯିବ ବୋଲି ନନ୍ଦନକାନନ କର୍ତୃପକ୍ଷ କହିଛନ୍ତି।

ଅତୀତରେ ବିହଙ୍ଗ ସାରଣି ଓ ଜଳହସ୍ତୀ ରହୁଥିବା ଜଳାଶୟରୁ ମଧ୍ୟ କୁମ୍ଭୀର ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ କୁମ୍ଭୀରମାନେ ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଅଣ୍ଡାଦାନ କରନ୍ତି। କୁମ୍ଭୀର ଛୁଆ ବଗମାନଙ୍କର ପ୍ରିୟ ଖାଦ୍ୟ। ନନ୍ଦନକାନନରେ ଜନ୍ମିତ କୁମ୍ଭୀର ଛୁଆଙ୍କୁ ଖାଇବା ଆଶାରେ ବଗ ଉଠାଇ ନେଇଯିବା ବେଳେ ତାହା ଥଣ୍ଟରୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। ମାସକ ତଳେ ସମ୍ରାଟ ରହୁଥିବା ୩୩(ଖ) ଖୁଆଡ଼ ମଧ୍ୟରେ ମଧ୍ୟ ଏକ ଛୋଟ କୁମ୍ଭୀରକୁ ଦେଖିବାକୁ ମିଳିଥିଲା। ଉକ୍ତ କୁମ୍ଭୀରଟି ୩୩ ନମ୍ବର ଖୁଆଡ଼କୁ ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର