ଲିଙ୍ଗରାଜ ହାଟରେ ଅମାନିଆଙ୍କ ଭିଡ଼, ପୁଲିସ ନାକେଦମ

‌ଦୈନିକ ହାଟ କରିବାକୁ ଦାବି

ପୁରୁଣା ଭୁବନେଶ୍ୱର: ଲିଙ୍ଗରାଜ ମାର୍କେଟରେ ଚାଲୁଥିବା ଲିଙ୍ଗରାଜ ମନ୍ଦିର ସାପ୍ତାହିକି ହାଟରେ ଅମାନିଆଙ୍କ ଭିଡ଼ ପୁଲିସକୁ ନାକେଦମ କରୁଛି। ପ୍ରବଳ ଭିଡ଼ କାରଣରୁ ସନ୍ଧ୍ୟା ସାଢ଼େ ୬ଟାରେ ପରେ ହାଟକୁ ବନ୍ଦ କରିବା ସମ୍ଭବ ହେଉନାହିଁ। ଏଥିପାଇଁ ପ୍ରତିଥର ପୁଲିସକୁ ଘଣ୍ଟାଏ କାଳ କସରତ କରିବାକୁ ପଡ଼ୁଛି। ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ଏହି ହାଟର ଭିଡ଼ ଏବେ ସ୍ଥାନୀୟ ଲୋକଙ୍କ ପାଇଁ କାଳ ପାଲଟିବ ବୋଲି ଆଶଙ୍କା କରାଯାଉଛି। ଦୈନିକ ହାଟ ନ କରି ଏହାକୁ ସାପ୍ତାହିକ ହାଟରେ ସୀମିତ ରଖାଯାଇଥିବାରୁ ଏଭଳି ସମସ୍ୟା ହେଉଥିବା ଅଭିଯୋଗ ହେଉଛି।

ଲକ୍‌ ଡାଉନ୍‌ ନିୟମ ଅନୁଯାୟୀ ସନ୍ଧ୍ୟା ସାଢ଼େ ୬ଟା ପରେ ସବୁ ଦୋକାନ ବନ୍ଦ ରହିବା କଥା। କିନ୍ତୁ ଏହି ସପ୍ତାହକୁ ଦୁଇ ଦିନ ଚାଲୁଥିବା ଏହି ପାଳି ହାଟରେ ଗ୍ରାହକ ଭିଡ଼ ଏମିତି ହେଉଛି ଯେ ବ୍ୟବସାୟୀମାନେ ଦୋକାନ ବନ୍ଦ କରିବାକୁ ସମୟ ପାଉନାହାନ୍ତି। ତେଣୁ ଆଜି ଶ୍ରୀଲିଙ୍ଗରାଜ ହାଟରେ ଦୁଇଟି ପିସିଆର୍‌ ପହଞ୍ଚିଥିଲା। ଭିଡ଼ କରୁଥିବା ଅମାନିଆ ଲୋକଙ୍କୁ ବିଦା କରିବାକୁ ଲାଗି ପଡ଼ିଥିଲା। ତେବେ ଏଥିପାଇଁ ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ପୁଲିସ କର୍ମଚାରୀ ଧାଁ ଧଉଡ଼ କରିଥିଲେ। ସୂଚନା ଯୋଗ୍ୟ ଯେ, ଲିଙ୍ଗରାଜ ହାଟକୁ ଆଖପାଖ ୫ଟି ୱାର୍ଡର ଲୋକ ପରିବା ଓ ଚାଉଳ ଆଦି ସାମଗ୍ରୀ କିଣିବାକୁ ଆସିଥାନ୍ତି। ପ୍ରତି ହାଟ ପାଳିରେ ଶହେରୁ ଅଧିକ ବ୍ୟବସାୟୀ ଆସନ୍ତି। ଭିଡ଼କୁ ଲକ୍ଷ୍ୟ କରି ଏହାକୁ ଦୈନିକ ହାଟ କରିବାକୁ ଗତ ଏପ୍ରିଲ ମାସରେ ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। କିନ୍ତୁ ତାହା ହେଲା ନାହିଁ। ତେଣୁ ଏବେ ବି ସୋମବାର ଓ ଗୁରୁବାର ଏମିତି ଦୁଇ ଦିନ ହାଟ ବସୁଛି। ଫଳରେ ସ୍ବାଭାବିକ ଭାବେ ଭିଡ଼ ହେଉଛି।‌ ତେଣୁ ଏହାକୁ ଏବେ ଦୈନିକ ହାଟ କରିବା ଜରୁରୀ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ କହିବା କଥା ଏହା ଭୁବନେଶ୍ବରର ସର୍ବ ପୁରାତନ ହାଟ ଓ ହଜାର ହଜାର ଲୋକ ଏହା ଉପରେ ନିର୍ଭର କରୁଛନ୍ତି। ଏହାକୁ ଦୈନିକ ହାଟ ନ କଲେ ଭିଡ଼ ହେବା ସ୍ବାଭାବିକ। ଏଥିପାଇଁ ବିଏମ୍‌ସି ପଦକ୍ଷେପ ଗ୍ରହଣ କରିବା ଉଚିତ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ ବାବଦରେ ବିଏମ୍‌ସି ସହ ଆଲୋଚନା କରିବେ ବୋଲି କହିଛନ୍ତି। ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ମଧ୍ୟ ଅନୁରୂପ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର