ଡିଷ୍ଟ୍ରିକ୍ଟ ସେଣ୍ଟରବାସୀଙ୍କ ଦୁଃଖ ବୁଝିଲା ପ୍ରଶାସନ, ପେଭର୍‌ ବ୍ଲକରେ ହେଉଛି ରାସ୍ତା

ଚନ୍ଦ୍ରଶେଖରପୁର: ବର୍ଷେ କି ଦୁଇ ବର୍ଷ ନୁହେଁ। ପା‌ଖାପାଖି ତିନି ଦଶନ୍ଧି ଧରି ଖରାପ ହୋଇ ପଡ଼ିଥିବା ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ରାସ୍ତାର ରୂପ ବଦଳୁଛି। ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଡିଷ୍ଟ୍ରିକ୍ଟ ସେଣ୍ଟର ଭିତରେ ଥିବା ପ୍ରାୟ ଦେଢ଼ କିମି ରାସ୍ତାର ମରାମତି କରାଯାଉଛି। ପିଚୁ କିମ୍ବା ଢଳେଇ ବଦଳରେ ପେଭର୍‌ ବ୍ଲକରେ ଏହି ରାସ୍ତା କାମ ଚାଲିଛି। ୫୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟବରାଦରେ ମରାମତି ହେଉଥିବା ଏହି ରାସ୍ତା କାର୍ଯ୍ୟ ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅଞ୍ଚଳବାସୀଙ୍କ କହିବାନୁଯାୟୀ ଏହି ରାସ୍ତା ଦୀର୍ଘ ବର୍ଷ ଧରି ଖରାପ ହୋଇ ପଡ଼ିଥିଲା। ମରାମତି କରିବା ଲାଗି ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କେହି ଶୁଣୁ ନ ଥିଲେ। ପ୍ରତି ୫ ବର୍ଷରେ ବିଧାୟକ, କର୍ପୋରେଟର ବଦଳୁଥିଲେ ମଧ୍ୟ ରାସ୍ତାର ଭାଗ୍ୟରେ କୌଣସି ପରିବର୍ତନ ହେଉ ନ ଥିଲା। ଯଦି ବି କେବେ କେମିତି ମରାମତି ହେଉଥିଲା ପିଚୁ ପକାଇ ଠିକାଦାର କାମ ସାରି ଦେଉଥିଲେ। ଦୁର୍ଗା ପୂଜା ସମୟରେ ମୁଖ୍ୟତଃ ଏହି ମରାମତି ହେଉଥିଲା। ‌ତେବେ ଡିଷ୍ଟ୍ରିକ୍ଟ ସେଣ୍ଟର ପାହାଡ଼ ଉପରେ ରହିଥିବାରୁ ସେଠାରୁ ଗଡ଼ୁଥିବା ବର୍ଷା ପାଣି ଦ୍ବାରା ରାସ୍ତା ମାସେ ଦୁଇ ମାସ ମଧ୍ୟରେ ପୁଣି ନଷ୍ଟ ହୋଇଯାଉଥିଲା। ଗତବର୍ଷ ଏନେଇ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ପଦକ୍ଷେପ ନିଆଯାଇଛି। ଏହି ରାସ୍ତା ହେବା ପରେ ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପକୃତ ହେବେ।

ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଏବେ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଲଟିଛି। ବାର୍‌, ପବ୍‌ ପରି ଅତ୍ୟାଧୁନିକ ସୁବିଧା ଏଠାରେ ଉପଲବ୍ଧ ହୋଇଥିବା ବେଳେ ବଡ଼ ବଡ଼ ସପିଂ ମଲ୍‌ ବି ଗଢ଼ି ଉଠିଲାଣି। ନାମିଦାମୀ ହୋଟେଲ, ‌ମେଡିକାଲ, ବ୍ୟାଙ୍କ, ଅଳଙ୍କାର ସୋରୁମ୍‌ ବି ଖୋଲିଛି। ଏହି ସବୁ ଦୃଷ୍ଟିରୁ ରାସ୍ତାର ମରାମତି ଓ ଉନ୍ନତୀକରଣର ବହୁତ ଆବଶ୍ୟକ ହୋଇପଡ଼ିଥିଲା। ତାହାକୁ ଦୃଷ୍ଟିରେ ରଖି ପେଭର୍‌ ବ୍ଲକରେ ଏହି ରାସ୍ତାର ନିର୍ମାଣ କରାଯାଉଛି। ପ୍ରଥମ ଥର ଲାଗି ଚନ୍ଦ୍ରଶେଖରପୁର ଅଞ୍ଚଳର କୌଣସି ରାସ୍ତା ପେଭର୍‌ ବ୍ଲକରେ ତିଆରି ହେଉଛି। ଆସନ୍ତା ଗୋଟିଏ ମାସ ମଧ୍ୟରେ ରାସ୍ତା ମରାମତି କାର୍ଯ୍ୟ ଶେଷ ହେବ। ରାସ୍ତାର ଡିଭାଇଡରରେ ସୌନ୍ଦର୍ଯ୍ୟପୂର୍ଣ୍ଣ ଗଛ ଲଗାଯାଉଛି। ଡିଷ୍ଟ୍ରିକ୍ଟ ସେଣ୍ଟର ଗଳିକନ୍ଦିରେ ଥିବା ପ୍ରାୟ ଦେଢ଼ କିମି ରାସ୍ତା ପେଭର୍‌ ବ୍ଲକରେ ହେଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଗରୁ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ପେଭର୍‌ ବ୍ଲକରେ ରାସ୍ତା ତିଆରି ହୋଇଥିଲା।

ସମ୍ବନ୍ଧିତ ଖବର