ହୃତ୍‌ପିଣ୍ଡ ପାଇଁ ଗଣଦୌଡ଼ : ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ ଅଭିଷେକ, ଡରାଇଲେ ତପି, ହୃଦୟ ଦେଲେ ଅଙ୍କିତା

ସାଂସ୍କୃତିକ ମଂଚକୁ ଅଭିଷେକ, ଅଙ୍କିତା ଓ ରାଗିଣୀ ଉଠିବା ମାତ୍ରେ ନୃତ୍ୟ ପାଇଁ ମଂଚ ତଳୁ ଦର୍ଶକମାନେ ନିବେଦନ କରିଥିଲେ। ଶେଷରେ ଦର୍ଶକ ଅନୁରୋଧକୁ ସମ୍ମାନ ଦେଇ ଅଭିଷେକ-ଅଙ୍କିତା-ରାଗିଣୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ପରେ ଖଳନାୟକ ସଂଳାପରେ ମଂଚ ଥରାଇଥିଲେ ତପି ମିଶ୍ର। ଶୁଣିବୁ ବାଘର ଚିତ୍କାର…ଶୀର୍ଷକ ସଂଳାପ ବେଶ୍‌ କୌତୁହଳ ସୃଷ୍ଟି କରିଥିଲା। ଅନ୍ୟତମ ଆକର୍ଷଣ ସାଜିତିଲା ଅଭିନେତ୍ରୀ ଅଙ୍କିତାଙ୍କ ଉକ୍ତି। ଭାଷଣ ଦେବା ପୂର୍ବରୁ ଦର୍ଶକଙ୍କ ଉତ୍ସାହ ଦେଖି ସେ କହିଦେଇଥିଲେ, ମୁଁ ମୋ ହାର୍ଟ ତୁମକୁ ଦେଇଦେଲି..। ଦର୍ଶକଙ୍କ ମଧ୍ୟରେ ଏହା ରୋମାଞ୍ଚ ଭରିଦେଇଥିଲା।

ଦୌଡ଼ିଲେ, ନାଚିଲେ
ଗଣଦୌଡ଼ ସକାଳ ୬ଟା ୨୯ରେ ଆରମ୍ଭ ହୋଇଥିବା ବେଳେ ୬ଟା ୪୨ରେ ପ୍ର‌ଥମେ ଆସି ପହଞ୍ଚିଥିଲେ ଟୁନା ସମାଦ, ତାଙ୍କ ପରେ ସୁରେଶ କୁମାର ସ୍ବାଇଁ ଓ କାଳୁଚରଣ ସାମନ୍ତରାୟ ପହଞ୍ଚି ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରି ଉପସ୍ଥିତ ଜନତାଙ୍କ ମନ ଜିଣିଥିଲେ। ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନେ କଳିଙ୍ଗ ହସ୍ପିଟାଲ୍‌ରୁ ବାହାରି ସୈନିକ ସ୍କୁଲ୍‌ ପର୍ଯ୍ୟନ୍ତ ଯାଇ ସେଠାରୁ ପୁନଃ କଳିଙ୍ଗ ହସ୍ପିଟାଲ୍‌କୁ ଫେରିଥିଲେ। ସେଠାରେ ପହଞ୍ଚିବା ପରେ ହସ୍ପିଟାଲ୍‌ ପରିସରରେ ଆୟୋଜିତ ସଂଗୀତ କାର୍ଯ୍ୟକ୍ରମ ତାଳେତାଳେ ନାଚିବା ଆରମ୍ଭ କରି ଦେଇଥିଲେ।

ହୃଦୟ ସହ ଗୋଟେ ସେଲ୍‌ଫି
ହସ୍ପିଟାଲ୍‌ ପରିସରକୁ ହୃଦୟମୟ କରିବା ପାଇଁ ଉପରେ ଝୁଲୁଥିଲା ପାନ ପତ୍ର ସଦୃଶ ନାଲି ବେଲୁନ୍‌। ସେଲ୍‌ଫି ପାଇଁ ପ୍ରସ୍ତୁତ ହୋଇଥିଲା ସ୍ବତନ୍ତ୍ର ହୃଦୟ ମଂଚ। ଦୌଡ଼ ସରିବା ପରେ ଅନେକ ଏହି ଗଣ ଦୌଡ଼ରେ ସାମିଲ୍‌ ହେବାର ସ୍ମୃତିକୁ ଉଜ୍ଜୀବୀତ ରଖିବା ପାଇଁ ସେଲ୍‌ଫି ନେବାରେ ମାତିଥିଲେ। କେହି ନିଜର ସେଲ୍‌ଫି ନେବାରେ ବ୍ୟସ୍ତ ଥିବା ବେଳେ କେହିକେହି ନିଜର ସାଙ୍ଗମାନଙ୍କ ସହ ଏକାଠି ବିଭିନ୍ନ ଭଙ୍ଗୀରେ ସେଲ୍‌ଫି ନେବାରେ ମଗ୍ନ ଥିଲେ।

ଅଂଶୁମାନଙ୍କ ସଂଗୀତ, ସୁଧାଂଶୁଙ୍କ ଯାଦୁ
ଗଣ ଦୌଡ଼ରେ ଅଂଶଗ୍ରହଣ ସହ ମନୋରଂଜନ କରିବାର ସୁଯୋଗ ଦେଇଥିଲା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ଅବସରରେ କଣ୍ଠଶିଳ୍ପୀ ଅଂଶୁମାନ ଓ ଅନନ୍ୟା ସଂଗୀତ ପରିବେଷଣ କରିଥିଲେ। ୱ ଲମ୍‌ହେ.., ଇସ୍‌ କଦର ପ୍ୟାର୍‌ ହୈ.., ଆଇ ଆମ୍‌ ଏ ଡିସ୍କୋ ଡ୍ୟାନ୍‌ସର.., ହାୟୋ ରବା ହାୟୋ ରବା.., ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍‌ଟା.. ଭଳି ସଂଗୀତ ପରିବେଷଣ କରି ମନୋରଂଜନ କରିଥିଲେ। ଏଥିସହ ଆକର୍ଷଣ ସାଜିଥିଲେ ଯାଦୁକର ସୁଧାଂଶୁ। ଶୂନ୍ୟରେ ଚୌକି ଉଡ଼ାଇ ସେ ରୋମାଞ୍ଚ ଭରିଥିଲେ।

ସମ୍ବନ୍ଧିତ ଖବର