ଗ୍ରାହକ ଯେତିକି ଦର୍ଶକ ସେତିକି: ଶିଶିର ସରସ ମେଳାରେ ରବିବାରିଆ ଭିଡ଼

ତୁମ୍ୱା କ୍ରାଫ୍ଟ କିଣିବାକୁ ଭିଡ଼, ଉତ୍ତରପ୍ରଦେଶର ଲ୍ୟାମ୍ପ୍‌ ସେଟ୍‌ ଓ କାଚ ଜିନିଷ ମନମୋହୁଛି

ଭୁବନେଶ୍ୱର: ଆଜି ରବିବାର ଯୋଗୁଁ ବରମୁଣ୍ଡା ପଡ଼ିଆରେ ଚାଲିଥିବା ଶିଶିର ସରସ ମେଳାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସବୁବେଳେ ମନୋରଞ୍ଜନ ପାଇଁ ସୁଯୋଗ ଖୋଜୁଥିବା ରାଜଧାନୀବାସୀଙ୍କ ପାଇଁ ଏହି ମେଳା ପୁଣି ଏକ ମଉକା ଆଣିଦେଇଛି। ଓଡ଼ିଶା ବାହାରର ବିଭିନ୍ନ ସାମଗ୍ରୀ ମିଳୁଥିବାରୁ ଏହି ମେଳାର ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି। ଶୀତୁଆ ସନ୍ଧ୍ୟାରେ ହାଲୁକା ହାଲୁକା କୋହଲା ପବନରେ ମେଳା ପଡ଼ିଆ ବୁଲିବା ମଜା ନିଆରା। କିଏ କୋରାପୁଟ କଫିର ମଜା ନେଉଥିଲେ ତ କିଏ ସେଲ୍‌ଫି ପଏଣ୍ଟରେ ଫଟୋ ଉଠାଇବାକୁ ଧାଡ଼ିରେ ଅପେକ୍ଷା କରୁଥିଲେ। କିଏ ବିଭିନ୍ନ ସାମଗ୍ରୀ କିଣାକିଣିରେ ବ୍ୟସ୍ତ ଥିଲେ ତ କିଏ କେବଳ ବୁଲିବୁଲି ଉପଭୋଗ କରୁଥିଲେ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ମେଳା ପଡ଼ିଆରେ ଏପଟସେପଟ ହେଉଥିଲେ। ଗ୍ରାହକ ଯେତିକି ଦର୍ଶକଙ୍କ ସଂଖ୍ୟା ଥିଲା ସେତିକି। ଓର୍‌ମାସ ପକ୍ଷରୁ ବରମୁଣ୍ଡା ବିଜୁ ପଟ୍ଟନାୟକ ‌ଖେଳପଡ଼ିଆରେ ଆୟୋଜିତ ଏହି ମେଳାରେ ମିଳୁଥିବା ଘରକରଣା ସାମଗ୍ରୀ କିଣିବାକୁ ବେଶି ମହିଳା ଗ୍ରାହକଙ୍କ ଭିଡ଼ ଜମୁଛି।

ତୁମ୍ୱା କ୍ରାଫ୍ଟ କିଣିବାକୁ ଭିଡ଼
ଏଥର ପ୍ରଧାନ ଆକର୍ଷଣ ପାଲଟିଛି ତୁମ୍ୱା କ୍ରାଫ୍ଟ। ପ୍ରଥମ ଥର ପାଇଁ ଏହା ମେଳାରେ ପ୍ରଦର୍ଶିତ ହୋଇଛି। ବିଭିନ୍ନ ଆକୃତିର ଲାଉକୁ ଶୁଖାଇ ସେଥିରେ ଆକର୍ଷଣୀୟ ରଙ୍ଗ, ଷ୍ଟୋନ୍‌ ଆଦି ଖଞ୍ଜାଯାଇଛି। ସେଥିରେ ପୁଣି ଶ୍ରୀଗଣେଶଙ୍କ ଆକୃତି, ଅଣ୍ଡାରୁ ବାହାରୁଥିବା ସାପ, କଣ୍ଢେଇ, ସୋ’ ପିସ୍‌ ଓ ବିଭିନ୍ନ ଜୀବଜନ୍ତୁଙ୍କ ପ୍ରତିମୂର୍ତ୍ତି ତିଆରି କରାଯାଇଛି। ରାୟଗଡ଼ାରୁ ହିମାଂଶୁ ଶେଖର ପାଣ୍ଡିଆ ଏହି ଜିନିଷଗୁଡ଼ିକୁ ଆଣି ମେଳାକୁ ଆସିଛନ୍ତି। ସେ କହିଛନ୍ତି ଯେ ଏଗୁଡ଼ିକ ଆଣ୍ଟିକ ପିସ୍‌। ପ୍ରତି ଜିନିଷରୁ ତାଙ୍କ ପାଖରେ କେବଳ ଗୋଟିଏ ଗୋଟିଏ ହିଁ ରହିଛି। ଆକାର ଅନୁସାରେ ଏଗୁଡ଼ିକର ଦାମ ୩୦୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ହିମାଂଶୁଙ୍କ ଷ୍ଟଲ୍‌ ଆଗରେ ଯେତିକି ଗ୍ରାହକ ତା’ଠାରୁ ବହୁ ଅଧିକ ଦର୍ଶକଙ୍କ ଭିଡ଼ ହେଉଛି।

ଉତ୍ତରପ୍ରଦେଶର ଲ୍ୟାମ୍ପ୍‌ ସେଟ୍‌ ଓ କାଚ ଜିନିଷ ମନମୋହୁଛି
ଉତ୍ତରପ୍ରଦେଶରୁ ଆସିଛି ଆକର୍ଷଣୀୟ ଲ୍ୟାମ୍ପ୍‌ ସେଟ୍‌।‌ ସେସବୁର ଆକୃତି ହିଁ ବେଶି ମନଲୋଭା ହୋଇଛି। କୋନ୍‌ ଆକୃତିର ସେଟ୍‌ ସହିତ ତିନିକୋଣିଆ, ଚାରିକୋଣିଆ ଓ ସମଘନାକାର ସେଟ୍‌ ବେଶି ବିକ୍ରି ହେଉଛି। ଡ୍ର ଫାଇବର‌୍‌, ଟେରାକୋଟା ଗ୍ଲେଜ୍‌ ଦିଆଯାଇଥିବା ଲ୍ୟାମ୍ପ ସେଟ୍‌, କାଚ ତିଆରି ଲ୍ୟାମ୍ପସେଟ୍‌ ଆଦିର ଦାମ ୮ ଶହ ଟଙ୍କାରୁ ଆରମ୍ଭ କରି ୩୦୦୦ଟଙ୍କା ପର୍ଯ୍ୟନ୍ତ ଦାମ୍‌ ରହିଛି ବୋଲି ଷ୍ଟଲ୍‌ ମାଲିକ ପ୍ରବୀଣ କୁମାରୀ କହିଛନ୍ତି। ସେହିଭଳି କାଚ ତିଆରି ଗଣେଶ, ରାଧାକୃଷ୍ଣ, କଇଁଛ, ହଂସ, ଘୋଡ଼ା, ହରିଣ ଆଦିର ମୂର୍ତ୍ତି ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଛି। ଆକାର ଅନୁସାରେ ଏସବୁ ୫୦ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କାରେ ବିକ୍ରି ହେଉଛି।

ପାଇନ୍‌ ଚୁଡ଼ିରେ ମନ
ବିହାରରୁ ଆସିଛି ପାଇନ୍‌ କାଠରେ ତିଆରି ବିଭିନ୍ନ ସାମଗ୍ରୀ। ବି‌ଶେଷକରି ଏହି କାଠରେ ତିଆରି ଚୁଡ଼ି ବେଶ୍ ମନ‌ଲୋଭା ହୋଇଛି। ତେଣୁ ମହିଳାମାନେ ଏହି ଚୁଡ଼ି କିଣିବାକୁ ବେଶି ଆଗ୍ରହ କରୁଥିବା ଦେଖିବାକୁ ମିଳିଛି। ଏହାବାଦ୍‌ ଚାବି ରିଙ୍ଗ୍‌, ବିଭିନ୍ନ ପ୍ରକାର କାର୍ଟୁନ୍‌, ଡୋରେମନ୍‌, ଗଣପତି, ବେଷ୍ଟ୍‌ ଫ୍ରେଣ୍ଡ୍‌ ଆଦି ଭିନ୍ନ ଭିନ୍ନ ଡିଜାଇନ୍‌ର ଚାବି ରିଙ୍ଗ୍ ମଧ୍ୟ ଏହି କାଠରୁ ତିଆରି ହୋଇ ଆସିଛି। ସେଥିରେ ପୁଣି ରହିଛି ଆଲ୍‌ଫାବେଟ୍‌, ଥ୍ରି-ଡି ଓ ବିଭିନ୍ନ ପ୍ରକାର ନାମ ଫଳକ। ଅରଟ, ଚରଖା, ଧନୁତୀର, ବାଟୁଳି ଆଦି କିଣିବାକୁ ଛୋଟ ପିଲାଙ୍କ ଭିଡ଼ ଜମୁଛି। ଚାବି ରିଙ୍ଗ୍‌ର ଦାମ୍‌ ୨୦ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ନାମ ଫଳକଗୁଡ଼ିକ ୧୫୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଜଡ଼ିବୁଟି ଓ ମସଲା ଷ୍ଟଲ୍‌
ଏଠାରେ ବିଭିନ୍ନ ମସଲା ଓ ଆୟୁର୍ବେଦିକ ଔଷଧ ବିକ୍ରି ହେଉଛି। ମସଲା ଷ୍ଟଲ୍‌ଗୁଡ଼ିକରେ ବେଶ୍ ଭିଡ଼। କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ ଆଦି ଜିଲ୍ଲାରୁ ବିଭିନ୍ନ ମସଲା ଆସିଛି। ଏହାସିତ ମେଥି, ବ୍ରାହ୍ମୀ, ନିମପତ୍ର, ଚିରାଇତାକାଠି, ସିକାକାଇ, ଗୁଡ଼ମାରି, ସୋରିଷ, ରାଶି ଆଦି ବହୁ ଆୟୁର୍ବେଦିକ ସାମଗ୍ରୀ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର