କ୍ୟାପିଟାଲ୍‌ ହସ୍ପିଟାଲ୍‌ ପ୍ରସୂତି ୱାର୍ଡରେ ଅବ୍ୟବସ୍ଥା: ବାରଣ୍ଡାରେ ୬ ଘଣ୍ଟାର ଗର୍ଭ ଯନ୍ତ୍ରଣା

ଭୁବନେଶ୍ବର: ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏକ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଗର୍ଭ ଯନ୍ତ୍ରଣାରେ ବିକଳ ହେଉଥିବା ଜଣେ ମହିଳାଙ୍କୁ ଆଡ୍‌ମିସନ ପାଇଁ ୬ ଘଣ୍ଟା ଧରି ବାରଣ୍ଡାରେ ଅପେକ୍ଷା କରିବାକୁ ପଡ଼ିଛି। ମହିଳାଙ୍କ ସ୍ବାମୀ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିବା ପରେ ଡାକ୍ତରମାନଙ୍କର ଚରମ ଅବହେଳା ସାମ୍ନାକୁ ଆସିଛି। ସୂଚନାନୁସାରେ ଡୁମୁଡୁମା ଅଞ୍ଚଳର ମାନସ ସାହୁ ତାଙ୍କ ସ୍ତ୍ରୀଙ୍କୁ ନେଇ ଗତକାଲି ସାଢ଼େ ୧୨ଟାରେ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ସେତେବେଳକୁ ମହିଳାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇସାରିଥିଲା। ତେଣୁ ତୁରନ୍ତ ଆଡ୍‌ମିସନ୍‌ କରାଇବାକୁ ମାନସ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ସ୍ତ୍ରୀ ଗର୍ଭ ଯନ୍ତ୍ରଣାରେ କଷ୍ଟ ପାଉଥିବା ବେଳେ ମାନସ ବିକଳ ହୋଇ ଡାକ୍ତରଙ୍କୁ ଅନୁରୋଧ କରିଚାଲିଥିଲେ। କିନ୍ତୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀଙ୍କର ଆଡ୍‌ମିସନ ହୋଇ ପାରିଲା ନାହିଁ। ସ୍ତ୍ରୀ ଓ ପ୍ରସୂତି ବିଭାଗ ସମ୍ମୁଖ‌ରେ ବସିବା ପାଇଁ ସ୍ଥାନ ଅଭାବ ଥିବାରୁ ମାନସଙ୍କ ସ୍ତ୍ରୀ ସେମିତି ଠିଆ ହୋଇ କଷ୍ଟ ପାଉଥିଲେ। ଦୀର୍ଘ ସମୟ ଧରି ଅନୁରୋଧ କରିବା ପରେ ତାଙ୍କର ଆଡ୍‌ମିସନ ହୋଇଥିଲା।

ଆଜି ସକାଳେ ତାଙ୍କର ସନ୍ତାନ ଜନ୍ମ ନେଇଥିଲା। କିନ୍ତୁ ଅପରେସନ ଥିଏଟର ସମ୍ମୁଖରେ ମଧ୍ୟ ତାଙ୍କୁ ଅସୁବିଧା‌ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଓଟି ସମ୍ମୁଖରେ ତାଙ୍କ ବୃଦ୍ଧା ମା’ ଛିଡ଼ା ହୋଇଥିଲେ। ହଠାତ୍ ତାଙ୍କ ଅବସ୍ଥ‌ା ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କୁ ଦୁଇ ମହଲାରୁ ତଳକୁ ଆଣି ଜରୁରୀକାଳୀନ ବିଭାଗରେ ଦେଖାଇବାକୁ ମାନସ ଏକ ହୁଇଲ୍‌ ଚେୟାର କିମ୍ବା ଷ୍ଟ୍ରେଚର ପାଇଁ ସଂପୃକ୍ତ ବିଭାଗକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ମନା କରାଯାଇଥିଲା। ତେଣୁ ସେ ଜରୁରୀକାଳୀନ ବିଭାଗକୁ ଧାଇଁଥିଲେ। କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଭିତରୁ ଫାଙ୍କା ଥିବା ଏକ ଷ୍ଟ୍ରେଚର ନେବାକୁ ତାଙ୍କୁ କୁହାଯାଇଥିଲା। ସେ ନିଜେ ଯାଇ ଜରୁରୀକାଳୀନ ବିଭାଗରୁ ଏକ ଷ୍ଟ୍ରେଚର ନେଇ ତାଙ୍କ ମା’ଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଜରୁରୀକାଳୀନ ବିଭାଗକୁ ଆଣି ଚିକିତ୍ସା କରାଇଥିଲେ। ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ପାଇଁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାନସଙ୍କ ଅଭିଯୋଗ ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

ସମ୍ବନ୍ଧିତ ଖବର