ବିଏମ୍‌ସିରେ ନୋ ୱାର୍କ ନୋ ପେ’ ବ୍ୟବସ୍ଥା: ୧୫ କର୍ମଚାରୀଙ୍କୁ ନୋଟିସ୍‌

‘ଆସିବା ସମୟ କଡ଼ାକଡ଼ି କଲ, ଯିବା ସମୟ ବି ଧାର୍ଯ୍ୟ କର’

ଭୁବନେଶ୍ବର: ବିଏମ୍‌ସିରେ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି। ନୂଆବର୍ଷରୁ ‘ନୋ ୱାର୍କ ନୋ ପେ’ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉପସ୍ଥାନ ନ ଦେଇ ପାରିଲେ ତାହା ଅନୁପସ୍ଥିତ ବୋଲି ବିବେଚନା କରାଯାଇ ଦରମା କଟାଯିବ। ବିଏମ୍‌ସିର ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗ ଏହି କଟକଣାକୁ ମନିଟର କରୁଛି। କଟକଣାକୁ ଗୋଟିଏ ସପ୍ତାହ ବିତିଛି। ଏହି ସମୟ ମଧ୍ୟରେ ୧୫ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏ ନେଇ ଯଥାର୍ଥ କାରଣ ଦର୍ଶାଇବା ପାଇଁ ନୋଟିସ୍‌ରେ କୁହାଯାଇଛି। ନୋଟିସ୍‌ ଜାରି ହେବା ପରେ କାର୍ଯ୍ୟାନୁଷ୍ଠାନ ଥୟ ଭାବି କେତେକ କର୍ମଚାରୀ ଛାନିଆ ହୋଇଥିବା ବେଳେ ଆଉ କେତେକ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ବିଏମ୍‌ସିରେ କଡ଼ାକଡ଼ି ହୋଇଥିବା ନୋ ୱାର୍କ ନୋ ପେ ବ୍ୟବସ୍ଥା ମୁତାବକ, ନିୟମିତ ହୁଅନ୍ତୁ କି ଡିଏଲ୍‌ଆର, ଠିକା ହୁଅନ୍ତୁ କି ଆଉଟ୍‌ସୋର୍ସିଂ, ସମସ୍ତେ ସକାଳ ୯ଟା ୪୫ରୁ ୧୦ଟା ୧୫ ମଧ୍ୟରେ ଅଫିସ୍‌ରେ ପହଞ୍ଚି ବାୟୋମେଟ୍ରିକ୍‌ ଉପସ୍ଥାନ ଦେବେ। ୧୦ଟା ୩୦ ପରେ ଉପସ୍ଥାନ ଦେଲେ ତାହାକୁ ଅନୁପସ୍ଥିତ ବୋଲି ଧରାଯିବ। ଏହାକୁ ମନିଟର କରିବା ପାଇଁ ବିଏମ୍‌ସି-ଆଇସିଓଏମ୍‌ସିର କୋଠାର ବିଭିନ୍ନ ଫ୍ଲୋର୍‌ରେ ଅଫିସରମାନଙ୍କୁ ଦାୟିତ୍ବରେ ଦିଆଯାଇଛି। ପ୍ରତ୍ୟେକ ଫ୍ଲୋର୍‌ରେ ଲାଗିଥିବା ବାୟୋମେଟ୍ରିକ୍‌ ଉପସ୍ଥାନ ମେସିନ୍‌ ତଥ୍ୟ ଆଧାରରେ ଅଧିକାରୀମାନେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏହି ରିପୋର୍ଟ ଆଧାରେ ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗ ‘ସୋ କଜ୍‌’ ନୋଟିସ୍‌ ଜାରି କରିଛି। ୭ ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଛି। ଉତ୍ତର ସନ୍ତୋଷଜନକ ନ ହେଲେ ସେହି ଦିନଟିକୁ ଅନୁପସ୍ଥିତ ଦର୍ଶାଇ ବିଏମ୍‌ସି ଦରମା କାଟିବ ବୋଲି ସ୍ପଷ୍ଟ କରିଛି।

ଜଣେ କର୍ମଚାରୀଙ୍କ ଯୁକ୍ତି ହେଉଛି, ଆସିବା ସମୟ ସର୍ବାଧିକ ୧୦ଟା ୩୦ ରଖାଯାଇଛି। ୧୦ଟା ୩୧ ହେଲେ ସେଦିନ ଅନୁପସ୍ଥିତ। ଉଚିତ୍‌ ସମୟରେ ଆସିବା ନିୟମ କଡ଼ାକଡ଼ି ହେବା ଓ କାର୍ଯ୍ୟାନୁଷ୍ଠାନ ହେବା ସ୍ବାଗତଯୋଗ୍ୟ। କିନ୍ତୁ କର୍ମଚାରୀ ଅଫିସ୍‌ କେତେବେଳେ ଛାଡ଼ିବେ? ଏ ନିୟମ ବି ବିଏମ୍‌ସି କଡ଼ା କଡ଼ି କରୁ। ଅଫିସ୍‌ ଟାଇମ୍‌ ପରେ ଆଉ କାମ ନ ଦେଉ। ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ ଘରେ ପହଞ୍ଚିବା ବେଳକୁ ରାତି ୧୦ଟା ହେଉଛି। ଯେଉଁ ଦାୟିତ୍ବ ନେଇ କାର୍ଯ୍ୟରେ ଯୋଗ ଦେଇଥିଲେ ତାହାର ୩ ଗୁଣ କାମ କରୁଛନ୍ତି। ଏହି ଅତିରିକ୍ତ କାମ ଚାପରୁ ମୁକ୍ତ କରାଗଲେ ଏହି କାର୍ଯ୍ୟାନୁଷ୍ଠାନକୁ ମୁଣ୍ଡପାତି ସହି ନେବାରେ କୌଣସି ଅସୁବିଧା ନାହିଁ।

ଆଉ ଜଣେ କର୍ମଚାରୀ କହିଛନ୍ତି, ଅନେକ କାମ ଫିଲ୍ଡରେ ରହୁଛି। ଅଫିସ୍‌ ଆସିବା ପୂର୍ବରୁ ତାହା ସାରିଦେଲେ ଆଉ ଥରେ ଅଫିସ୍‌ରୁ ଯିବାକୁ ପଡ଼ନ୍ତା ନାହିଁ। ତା’ ଛଡ଼ା ଏବେ ସହରରେ ଟ୍ରାଫିକ୍‌ ସମସ୍ୟା ଭୟଙ୍କର ହୋଇଛି। ବିଶେଷକରି ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଅସମ୍ଭାଳ ହେଉଛି। ଥରେ ଫସିଗଲେ ବାହାରିବା ମୁସ୍କିଲ ହେଉଛି। ଏଣୁ ଅଫିସ୍‌ ଟାଇମ୍‌ରେ ପହଞ୍ଚିବା କାଠିକର ପାଠ ହେଉଛି। ସପ୍ତାହ ସାରା ସମୟାନୁବର୍ତ୍ତିତା ଧାରା ବଜାୟ ରଖିବା କଷ୍ଟକର ହୋଇପଡ଼ୁଛି। ଅନ୍ୟପଟେ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା କଡ଼ାକଡ଼ି କରିଦେଲେ ଯେ କର୍ମଚାରୀମାନେ ସବୁ ସମୟରେ ନିଜ ସିଟ୍‌ରେ ବସି ରହିବେ ବା କାମ ତ୍ବରାନ୍ବିତ ହେବ ତାହା ଭୁଲ୍‌ କଥା। ବରଂ ସଅଳ ଆସି ଉପସ୍ଥାନ ପକାଇ ଦେଇ ବିଭିନ୍ନ ବାହାନା କରି ଯେ ଯାହା ବାଟରେ ଚାଲିଯିବେ। ଏଣୁ ଆଉ କିଛି ବିକଳ୍ପ ବ୍ୟବସ୍ଥା ଆବଶ୍ୟକତା ରହିଛି। ପୂର୍ବତନ କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ସମୟରେ ଠିକ୍‌ ଅନୁରୂପ ଢଙ୍ଗରେ ବାୟୋମେଟ୍ରିକ୍‌ ଉପସ୍ଥାନ କଡ଼ାକଡ଼ି କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମେସିନ୍‌ ଲାଗିଥିଲା। ହେଲେ ଏହି ସବୁ କାରଣରୁ ତାହାକୁ କଡ଼ାକଡ଼ି କରାଯାଇ ପାରିନଥିଲା। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, କାହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଭଳି ବ୍ୟବସ୍ଥା ହୋଇ ନାହିଁ। ବରଂ ୫-ଟି ଆଦର୍ଶ ଅନୁପାଳନ ସହ କର୍ମଚାରୀଙ୍କ ସମୟାନୁବର୍ତ୍ତିତା ପାଇଁ ଏଭଳି ହୋଇଛି। ନୂଆ ନିୟମ ହେଲେ ପ୍ରଥମେ ପ୍ରଥମେ ସମସ୍ୟା ହୋଇଥାଏ। କାମ କରିବା ଲୋକ କେବେ ବି କାର୍ଯ୍ୟାନୁଷ୍ଠାନର ଶିକାର ହେବ ନାହିଁ।

ସମ୍ବନ୍ଧିତ ଖବର