ସାଇବର ଭବନକୁ ବର୍ଷେ ପୂରିଲା: କର୍ମଚାରୀ ନାହାନ୍ତି, ଠିଆ ହୋଇଛି ୩ ମହଲା କୋଠା

ଥାନା ପାଇଁ ସ୍ଥାୟୀ ଘର ଖଣ୍ଡେ କରିବାକୁ ଇଚ୍ଛା ନାହିଁ

ଭୁବନେଶ୍ବର : ୨ ନଭେମ୍ବର ୨୦୨୦। ଭୁବନେଶ୍ବରସ୍ଥିତ ୟୁନିଟ୍‌-୬ରେ କ୍ରାଇମ୍‌ବ୍ରାଞ୍ଚ ନୂଆ କରି ସାଇବର ଭବନ ଖୋଲିଲା। ପୁଲିସ ଡିଜି ଅଭୟଙ୍କ ଠାରୁ ଆରମ୍ଭ କରି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ବହୁ ବରିଷ୍ଠ ଅଫିସର୍ ଯୋଗ ଦେଇ ଆଡ଼ମ୍ବର ଭାବେ ୩ ମହଲା ବିଶିଷ୍ଟ ସାଇବର ଭବନକୁ ଉଦ୍‌ଘାଟନ କଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଭବନରେ କେବଳ ସାଇବର ଥାନା ସହିତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କେନ୍ଦ୍ର, ମହିଳା ଓ ଶିଶୁଜନିତ ସାଇବର ଠକେଇର ବିଶ୍ଳେଷଣ କରି ଏହାକୁ ନିୟନ୍ତ୍ରଣ କରିବା, ସାମାଜିକ ଗଣମାଧ୍ୟମରୁ ହେଉଥିବା ଠକେଇ ଏବଂ ସର୍ବୋପରି ଅଭ୍ୟାସଗତ ଅପରାଧୀଙ୍କ ତାଲିକା କରାଯାଇ ସେମାନଙ୍କୁ ଟ୍ରାକ୍ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହିଭଳି ଏକାଧିକ ଯୋଜନା କରି ନିର୍ମାଣ ହୋଇଥିବା ସାଇବର ଭବନକୁ ଇତି ମଧ୍ୟରେ ପ୍ରାୟ ବର୍ଷେ ପୂରିଲାଣି। ମାତ୍ର ସବୁ ଯୋଜନା ଏବେ ଯୋଜନ ଯୋଜନ ଦୂରରେ ଥିବା ବେଳେ ତିନି ମହଲା କୋଠାଟି ସେମିତି ଠିଆ ହୋଇରହିଛି। କର୍ମଚାରୀ ଅଭାବରୁ କିଛି ଯୋଜନା କାର୍ଯ୍ୟକାରୀ ହୋଇପାରୁନଥିବା ଜଣାପଡ଼ିଛି।

କ୍ରାଇମ୍‌ବ୍ରାଞ୍ଚ୍‌ର ୨ଟି ଅପରାଧ ନିୟନ୍ତ୍ରଣ ଶାଖା ଏସ୍‌ଟିଏଫ୍ ଓ ଇଓଡବ୍ଲୁକୁ ଲାଗି ଯେତେବେଳେ ଏହି ସାଇବର ଭବନ ତିଆରି କରାଯାଇଥିଲା, ସାଧାରଣ ଲୋକଙ୍କ ମନରେ ବିଭିନ୍ନ ଠକେଇ ବିଶେଷକରି ସାଇବର ଠକେଇ ଧରାପଡ଼ିବ ବୋଲି ଆଶା ସଂଚାର ହୋଇଥିଲା। ବଡ଼ବଡ଼ ଅପରାଧୀ ଧରିବାରେ ଯେପରି ଇଓଡବ୍ଲୁ ଓ ଏସ୍‌ଟିଏଫ୍ ସିଦ୍ଧହସ୍ତ ବୋଲି ପ୍ରମାଣିତ ହେବା ପରେ ସାଧାରଣ ଲୋକମାନେ ଏହି ସାଇବର ଭବନ ପାଖରୁ ବହୁତ କିଛି ଆଶା ରଖିଥିଲେ। ଅଥଚ ଏବେ ଗେଟ୍‌ରେ ତାଲା ପଡ଼ିବା ଦେଖି ଲୋକଙ୍କ ଆଶା ମଉଳି ଗଲାଣି।

ଅପରପକ୍ଷେ ବିନା କୌଣସି ଯୋଜନାରେ ସାଇବର ଭବନ ତିଆରି କରି ଗୃହ ବିଭାଗ ଭୂତ କୋଠି କରିବାକୁ ଛାଡ଼ିଦେଇଛି। କିନ୍ତୁ ସ୍ଥାନୀୟ ଥାନା ପ୍ରତି ସାମାନ୍ୟ ଗୁରୁତ୍ବ ନାହିଁ। ଗୋଟିଏ ଥାନା ପ୍ରାୟ ୨ଦଶନ୍ଧିରୁ ଅଧିକ ଦିନ ହେବ ସରକାରୀ କ୍ବାର୍ଟର୍ସରେ ଚାଲୁଥିବା ବେଳେ ଆଉ ଗୋଟିଏ ଥାନା ଫାଣ୍ଡି ଘରେ ସୀମିତ ଅଛି। ସାଧାରଣ ଲୋକଙ୍କ କଥା ଦୂରେ ଥାଉ; ଥାନା କର୍ମଚାରୀ ବି ଶାନ୍ତିରେ ନିଶ୍ବାସ ମାରିପାରୁନାହାନ୍ତି। କୌଣସି ଏତଲାକୁ ଆଧାର କରି ପୁଲିସ ଯଦି ଅଭିଯୁକ୍ତଙ୍କୁ ଧରୁଛି, ସେମାନଙ୍କୁ କୋଉଠି ରଖି ଜେରା କରିବ ତା’ ବାଟ ପାଉନି। ଚଢ଼ଉ କରି ଆଣୁଥିବା ଅପରାଧୀଙ୍କୁ ହାଜତରେ ରଖିବା ବେଳକୁ ଜାଗା ପାଉନି। ଅନେକ ସମୟରେ ବାଧ୍ୟ ବାଧକତାରେ ଜୋର୍‌ କରି ହାଜତରେ ଗୁଂଜି ଦେଉଛି ପୁଲିସ। ନୂଆପଲ୍ଲୀ ଥାନା ଦୀର୍ଘ ୨୫ ବର୍ଷ ହେଲା ସରକାରୀ କ୍ବାର୍ଟର୍ସରେ ଚାଲୁଛି। ଗତ ୨୦୦୮ରେ ନୂଆପଲ୍ଲୀ ଭୋଇ ସାହିରେ ଏକ ଜାଗା ଚିହ୍ନଟ ହୋଇଥିଲା।

ଜାଗାରୁ ଜବରଦଖଲ ହଟାଇବା ପାଇଁ ଯିବା ବେଳେ ଭୋଇ ସାହି ବାସିନ୍ଦା ଓ ନୂଆପଲ୍ଲୀ ପୁଲିସ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା। ମାତ୍ର ଭୋଇସାହି ବାସିନ୍ଦା ନିଜ ଜିଦ୍‌ରେ ଅଟଳ ରହିବା କାରଣରୁ ଶେଷରେ ପ୍ରଶାସନ ନାବାର୍ଡ ବ୍ୟାଙ୍କ୍ ପାଖରେ ଜାଗା ଦେଇଛି। ମାତ୍ର ଏବେ ସେଠାରେ ପୁଲିସ କେବଳ ଅଧା ଖଣ୍ଡିଆ ପାଚେରି କରି ଛାଡ଼ିଦେଇଛି। ସେ ଜାଗା ଏବେ ଘରୋଇ ଟ୍ରାଭେଲ୍‌ର ଗାଡ଼ିର କବ୍‌ଜାରେ ରହିଛି। ଥାନାରେ ସ୍ଥାନାଭାବ କାରଣରୁ ଜବତ ହେଉଥିବା ଅପରାଧୀଙ୍କ ଚୋରା ଗାଡ଼ି ରାସ୍ତା ଅକ୍ତିଆର କଲାଣି। ପୂର୍ବରୁ ଏକ ଚୋରି ମାମଲାରେ ଜଣେ ନାବାଳକକୁ ଥାନାରେ ଆଣି ଅଟକ ରଖିଥିଲେ। ପୁଲିସ କର୍ମଚାରୀଙ୍କ ଖାମଖିଆଲି ଭାବ ଓ ହାଜତରେ ଜାଗା ଅଭାବରୁ ତାକୁ ବାହାରେ ରଖାଯାଇଥିଲା। ଏହାକୁ ଢାଲ କରି ନାବାଳକ ଥାନାରୁ ଫେରାର ହେବାକୁ ଉଦ୍ୟମ କରି ଛାତରୁ ଡେଇଁ ପଡ଼ିଥିଲା। ନୂଆପଲ୍ଲୀ ଥାନା ଅଧୀନରେ ସିଆର୍‌ପିଏଫ୍ ଗ୍ରୁପ୍ ସେଣ୍ଟର, ଇସ୍କନ ମନ୍ଦିର, ନାଲ୍‌କୋ ଅଫିସ, କଳିଙ୍ଗ ଷ୍ଟାଡିୟମ, ଏକାମ୍ର କାନନ ପାର୍କ, ମେ’ ଫେୟାର ହୋଟେଲ ପାସପୋର୍ଟ ଅଫିସ, ସିବିଆଇ ଅଫିସଠୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ରହିଛି। ସାଲିଆସାହିର ୪୨ଟି ବସ୍ତିଠୁ ନେଇ ଅନେକ ସରକାରୀ କାର୍ଯ୍ୟାଳୟ ଓ ଭିଭିଆଇପି ଅଞ୍ଚଳ ରହିଛି। ବସ୍ତି ଓ ତଳି ଅଞ୍ଚଳ ଅଧିକ ରହିଥିବାରୁ ଏଠାରେ ନିଶାକୁ ନେଇ ଅନେକ ହଣାକଟା ମଧ୍ୟ ହୁଏ। ସେହି ଅନୁସାରେ ଥାନାକୁ ଅନବରତ ଲୋକଙ୍କ ଅଭିଯୋଗ ମଧ୍ୟ ପହଞ୍ଚେ। ହେଲେ କ୍ବାର୍ଟର୍ସରେ ଚାଲିଥିବା ଏହି ଥାନା ଲୋକଙ୍କ ପାଇଁ ସେବା ଯୋଗାଇ ପାରୁନଥିବା ଅଭିଯୋଗ ହେଉଛି। ଅନେକ ସମୟରେ ଅଭିଯୋଗ କରିବାକୁ ଆସି ଲୋକେ ଥାନା ବାହାରେ ରାସ୍ତାରେ ବସୁଥିବା ଦେଖିବାକୁ ମିଳୁଛି।

ସେହିଭଳି ଭରତପୁର ଥାନା ମଧ୍ୟ ଶୋଚନୀୟ ସ୍ଥିତିରେ ଗତି କରୁଛି। ଫାଣ୍ଡିର ଗୋଟିଏ ଘରେ ଥାନା ଚାଲିବା ପରେ ଏବେ ଆଉ ଦୁଇଟି ଘର ନୂଆ କରି ତିଆରି ହୋଇଛି। ଅଥଚ ସେଠାରେ ମଧ୍ୟ ଆବଶ୍ୟକୀୟ ମୁତାବକ କୌଣସି ସୁବିଧା ନାହିଁ। ମାଳ ମାଳ ବସ୍ତିଠୁ ନେଇ ଏକାଧିକ ଗାଁ’ ରହୁଥିବାରୁ ଥାନାରେ ସବୁ ବେଳେ ଦେଶୀ ବିଦେଶୀ ମଦ, ଜମି ଜବରଦଖଲ ଓ ହଣାକଟା ଭଳି ବହୁ ସଙ୍ଗୀନ ମାମଲା ଆସୁଛି। ସେହିଭଳି ଆନ୍ତରାଜ୍ୟ ବସ୍ ଟର୍ମିନାଲ ଭାବେ ଗଢ଼ା ହେଉଥିବା ବସ୍‌ଷ୍ଟାଣ୍ଡ୍ ମଧ୍ୟ ଏଠାରେ ରହିଛି। ସେଥିପାଇଁ ରାଜ୍ୟ ବାହାରକୁ ଚୋରା ଗଂଜେଇ ଓ ବ୍ରାଉନସୁଗାର ମଧ୍ୟ ପଠାଯାଉଥିବା ଅନେକ ସମୟରେ ପୁଲିସ ଖବର ପାଇ ଚଢ଼ଉ କରିଛି। ହେଲେ ଚୋରା ବେପାରୀଙ୍କୁ ଥାନାରେ ରଖି ଜେରା କରିବାକୁ ଜାଗା ନାହିଁ। ଥାନାରେ କାର୍ଯ୍ୟରତ ପ୍ରାୟ ୫ ସବ୍‌ ଇନ୍ସପେକ୍ଟର ଓ ୨ ଏଏସ୍‌ଆଇ ନିଜ କାମ କରିବାକୁ ମଧ୍ୟ ଚୌକି ନଥିବା ଦେଖିବାକୁ ମିଳୁଛି। ତେବେ ଯେଉଁଠି ଥାନାର ନିଜ କର୍ମଚାରୀଙ୍କ ପାଇଁ ଜାଗା ନାହିଁ, ସେଠାରେ ଲୋକଙ୍କୁ କେଉଁଭଳି ସୁବିଧା ଯୋଗାଇ ଦିଆଯାଉଥିବା ତା’ ସ୍ପଷ୍ଟ ଅନୁମେୟ।

ତେବେ ଏନେଇ ରାଜ୍ୟ ପୁଲିସ ଗୃହ ନିର୍ମାଣ ସଂସ୍ଥା(ଓପିଏଚ୍‌ଡବ୍ଲୁସି)କୁ ଯୋଗାଯୋଗ କରିବାରୁ ସୂଚନା ମିଳିଛି ଯେ ମାର୍ଚ୍ଚ ଶେଷ ସୁଦ୍ଧା ଭରତପୁର ଥାନା ପାଇଁ ଚିହ୍ନଟ ହୋଇଥିବା ଜମିରେ ଆକ୍ସନ ପ୍ଲାନ୍‌ର ରିପୋର୍ଟ ଦାଖଲ କରିବା ପାଇଁ ପୁଲିସ ଡିଜିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ହୋଇଛି। ସେହି ଆଧାରରେ କାମ ଚାଲିଛି। ଏହାର ବଜେଟ୍ ପ୍ରାୟ କୋଟିଏ ୭୧ଲକ୍ଷରୁ ୨କୋଟି ଟଙ୍କା ମଧ୍ୟରେ ରହିବ ବୋଲି ସୂଚନା ମିଳିଛି। ଏହା ପରେ ଏପ୍ରିଲ ଓ ମେ’ ସୁଦ୍ଧା ଟେଣ୍ଡର ପ୍ରକ୍ରିୟାକରଣ ଶେଷ ହେବା ପରେ କାମ ଆରମ୍ଭ ହେବ। ତେଣୁ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଚନ୍ଦକା ଓ ବାଲିଅନ୍ତାର କୋଠା ନିର୍ମାଣ ଶେଷ ହେବାକୁ ଥିବା ବେଳେ ଭରତପୁରର ମଧ୍ୟ କାମ ଆରମ୍ଭ ହେବ। ଭରତପୁର ଥାନା ମଧ୍ୟ ଚନ୍ଦକା ଥାନା ଶୈଳୀରେ ନିର୍ମାଣ ହେବାକୁ ନିଷ୍ପତି ହୋଇଛି। ଅପରପକ୍ଷରେ ନୂଆପଲ୍ଲୀ ଥାନା ପାଇଁ ଚଳିତ ଆର୍ଥିକ ବର୍ଷରେ କୌଣସି ଯୋଜନା ନଥିବା ଓପିଏଚ୍‌ଡବ୍ଲୁସି ପକ୍ଷରୁ କୁହାଯାଇଛି। ତେଣୁ ଏଭଳି କ୍ଷେତ୍ରରେ ନୂଆପଲ୍ଲୀ ଭଳି ଗୁରୁତ୍ବପୂର୍ଣ୍ଣ ଥାନାକୁ ଦୀର୍ଘ ୨୫ବର୍ଷ ହେବ ଅଣଦେଖା କରିବା କେତେ ଯୁକ୍ତିଯୁକ୍ତ ବୋଲି ଜଣେ ବରିଷ୍ଠ ପୁଲିସ କର୍ମଚାରୀ କହିଛନ୍ତି।

ସମ୍ବନ୍ଧିତ ଖବର