କ୍ବାରାଣ୍ଟିନ୍‌ ସେଣ୍ଟର୍‌ରେ ବାପାଙ୍କ ଏକାଦଶାହ କର୍ମ

ଭୁବନେଶ୍ବର: କରୋନା ଖାଲି ସ୍ବାଭାବିକ ଜୀବନକୁ ମୋଡ଼ି ମକଚି ଦେଇନି, ମଣିଷର ଶେଷ ଇଚ୍ଛାକୁ ବି ମାରି ଦେଉଛି। ନିକଟରେ ଭଦ୍ରକ ଜିଲ୍ଲା ବାସୁଦେବପୁରର କଳାକାର ମଲ୍ଲିକ ତାମିଲନାଡ଼ୁରେ ଫସି ରହିଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। କଳାକାର ଶତ ଚେଷ୍ଟା ସତ୍ତ୍ବେ ମଧ୍ୟ ଓଡ଼ିଶା ଫେରିବା ସମ୍ଭବ ହେଲା ନାହିଁ। ପ୍ରବାସୀ ଶ୍ରମିକ ଭାବେ ସେଠାରେ କାର୍ଯ୍ୟରତ ଥିବାରୁ ଲକ୍‌ଡାଉନ ଯୋଗୁଁ କାମ ହରାଇ ସେ ବେସାହାରା ହୋଇପଡ଼ିଥିଲେ। କାକୁତି ମିନତି ହୋଇ ତାଙ୍କୁ ଭିଟାମାଟିକୁ ଫେରାଇ ଦେବାକୁ ସେ ମଦୁରାଇରେ ଲୋକଙ୍କ ଆଗେ ଅଳି କରିଥିଲେ ବି କେହି ତାଙ୍କର ଏ ଦୁଃଖରେ ଛିଡ଼ା ହୋଇନଥିଲେ। ତେବେ ଅଭିନେତା ସବ୍ୟସାଚୀଙ୍କ କାନରେ ଏ କଥା ପଡ଼ିବା ପରେ ସେ ତାଙ୍କୁ ଫେରାଇ ଆଣିଥିଲେ।

ବାପାଙ୍କ ମୃତ୍ୟୁର ୮ଦିନ ପରେ ଫେରିଥିବାରୁ କଳାକାରଙ୍କୁ କ୍ବାରାଣ୍ଟିନ କେନ୍ଦ୍ରରେ ରହିବାକୁ ପଡ଼ିଥିଲା। ଆଜି ତାଙ୍କ ବାପାଙ୍କ ଏକାଦଶାହ ଥିଲେ ମଧ୍ୟ ତାଙ୍କୁ ଶୁଦ୍ଧିକ୍ରିୟାରେ ସାମିଲ୍‌ ହେବାକୁ ଦିଆଯାଇନଥିଲା। କ୍ବାରାଣ୍ଟିନ ନିୟମ ଭାଙ୍ଗି ସେ ଯାଇପାରିଲେ ନାହିଁ। ତେଣୁ ସେ ରହୁଥିବା କ୍ବାରାଣ୍ଟିନ କେନ୍ଦ୍ରରେ ନିଜେ ପାରୁ ପର୍ଯ୍ୟନ୍ତ ଶୁଦ୍ଧିକ୍ରିୟା କରିଥିଲେ। କଳାକାର କହିଛନ୍ତି, ଆଜି ପିତୃ ଦିବସ। ହେଲେ ଏମିତି ହତଭାଗା ପୁତ୍ର ଯେ ବାପାଙ୍କୁ ଘରେ ଆସି ଶେଷ ଦର୍ଶନ କରିପାରିଲିନି। ପୁଣି ସାହି ଭାଇ ସମ‌ସ୍ତେ ମୋ ବାପାଙ୍କ ଶୁଦ୍ଧିକ୍ରିୟାରେ ସାମିଲ୍‌ ହୋଇଥିଲେ ହେଁ ମୁଁ ଆଜି ସେଥିରେ ବି ସାମିଲ୍‌ ହୋଇପାରିଲିନି।

ସମ୍ବନ୍ଧିତ ଖବର