ସ୍ୱାସ୍ଥ୍ୟକେନ୍ଦ୍ର ପରେ ଆର୍‌ଟିଓଗୁଡ଼ିକୁ ଦଲାଲମୁକ୍ତ କରିବା ପାଇଁ ଘୋଷଣା ହେବା ପରେ ଆର୍‌ଟିଓରୁ ଦଲାଲ୍‌ ଉଭାନ୍‌

ଭୁବନେଶ୍ବର : ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦଲାଲ ମୁକ୍ତ କରାଯିବା ପାଇଁ ଧରପଗଡ଼ ଆରମ୍ଭ ହୋଇଯାଇଛି। ଏଥିପାଇଁ ସାରା ରାଜ୍ୟରେ ଜୋର୍‌ଦାର ତନାଘନା ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ର ପରେ ଆର୍‌ଟିଓଗୁଡ଼ିକୁ ଦଲାଲମୁକ୍ତ କରିବା ପାଇଁ ଘୋଷଣା ହେବା ପରେ ଆର୍‌ଟିଓ ଅଫିସ୍‌ରୁ ଦଲାଲ୍‌ ଉଭାନ୍‌ ହୋଇଯାଇଛନ୍ତି।

ସାଧାରଣତଃ ଭୁବନେଶ୍ବରରେ ଥିବା ଦୁଇଟି ଆର୍‌ଟିଓ ଅଫିସ ପ୍ରବେଶ ଦ୍ବାରରେ ଦଲାଲ୍‌ମାନେ ପସରା ମେଲାଇଥାନ୍ତି। ତାଙ୍କ ପାଖରେ ଆବେଦନକାରୀ ରୁଣ୍ଡ ହୋଇଥାନ୍ତି। କିନ୍ତୁ ଏଭଳି ଦୃଶ୍ୟ ଉଭୟ ଆର୍‌ଟିଓରେ ଆଜି ଦେଖାଯାଇ ନାହିଁ। ବନ୍ଧା ହେବା ଭୟରେ ଏମାନେ ଉଭାନ୍‌ ହୋଇଯାଇଥିବା କୁହାଯାଉଛି। ତେବେ କେତେକ ଦଲାଲ୍‌ ଅନ୍ୟଜାଗାରେ ବସି ସେମାନଙ୍କ ପ୍ରତିନିଧି (ଏଜେଣ୍ଟ)ଙ୍କୁ ଆର୍‌ଟିଓରେ ଛାଡ଼ି ଦେଇଛନ୍ତି। ଅଫିସରେ ରହିଥିବା ଏଜେଣ୍ଟ ଆବେଦନକାରୀଙ୍କୁ ଧରି ଦଲାଲ୍‌ ବସିଥିବା ଜାଗାରେ ପହଞ୍ଚୁଛି। ଲାଇସେନ୍ସ ଆବେଦନ, ଗାଡ଼ି ମାଲିକାନା ପରିବର୍ତ୍ତନ, ଗାଡ଼ି ରେଜିଷ୍ଟ୍ରେସନ ନବୀକରଣ ପ୍ରଭୃତି କାମ ଅଫିସ ନିକଟରୁ ଦୂରରେ ବସି କରୁଥିବା ଅଭିଯୋଗ ଆସିଛି। ଏହାକୁ ଜଗିବା କର୍ତ୍ତୃପକ୍ଷଙ୍କ ପକ୍ଷରେ ସମ୍ଭବ ହୋଇ ନାହିଁ। ଏଥିପାଇଁ ଆବେଦନକାରୀଙ୍କୁ ସଚେତନ କରାଯାଉଥିବା ଆର୍‌ଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି।

ସେହିଭଳି ଆବେଦନକାରୀଙ୍କୁ ଦଲାଲ୍‌ଙ୍କ ସହଯୋଗ ନେବା ଦରକାର ନାହିଁ, ଯେଉଁମାନେ ଅନ୍‌ଲାଇନ୍‌ରେ ଆବେଦନ ଜାଣି ପାରୁନାହାନ୍ତି ଆମ କର୍ମଚାରୀ ‌ଆବେଦନକାରୀଙ୍କୁ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି ଆର୍‌ଟିଓ-୨ ସଞ୍ଜୟ ବେହେରା।

ସମ୍ବନ୍ଧିତ ଖବର