ବାର୍‌ରେ ଡାନ୍ସ ପ୍ରସଙ୍ଗ : ଲାଇସେନ୍ସ ନ ମିଳିବା ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ

ସର୍ତ୍ତ ମାନୁ ନଥିବାରୁ ମିଳୁନି ସାଉଣ୍ଡ ପରମିସନ

ଭୁବନେଶ୍ୱର : କମିସନରେଟ୍‌ ପୁଲିସ୍‌ ପକ୍ଷରୁ ରାତିଅଧିଆ ବାର୍‌ରେ ଚଢ଼ଉକୁ ନେଇ ଚର୍ଚ୍ଚା ଥମୁ ନାହିଁ। ଆଜି ଏ ସଂପର୍କରେ ଖୋଦ୍‌ ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି ବୟାନ ଦେଇଛନ୍ତି। ସେ କହିଛନ୍ତି, ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ନ ମିଳିବା ପର୍ଯ୍ୟନ୍ତ ବାର୍‌ରେ ଯୁବତୀ ନୃତ୍ୟ କରିପାରି‌‌ବେ ନାହିଁ। ଏଥିପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାର୍‌ ମାଲିକମାନେ ସାଉଣ୍ଡ ପାଇଁ ମିଳିଥିବା ସ୍ବୀକୃତିର ସର୍ତ୍ତକୁ ବାରମ୍ବାର ଖିଲାପ କରୁଛନ୍ତି। ସାଉଣ୍ଡ ପାଇଁ ୩ ମାସକୁ ଥରେ ମିଳୁଥିବା ସ୍ବୀକୃତିକୁ ନବୀକରଣ କରୁନାହାନ୍ତି। ଏହି ୨ଟି କାରଣ ପାଇଁ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାର୍‌ଗୁଡ଼ିକ ଉପରେ ଚଢ଼ଉ କରାଯାଇଥିଲା।

ଅପରପକ୍ଷେ ବାର୍‌ରେ ଯୁବତୀଙ୍କ ନୃତ୍ୟ ଚାଲିବା ନେଇ ଅବକାରୀ ବିଭାଗକୁ ସୂଚନା ଦିଆଯାଇଛି। ଏହା ବେଆଇନ ଭାବରେ ଚାଲିଥିବାରୁ ଏହା ଉପରେ କାର୍ଯ୍ୟ‌ାନୁଷ୍ଠାନ ନେବାକୁ ସୁପାରିସ କରାଯାଇଛି। ଲାଇସେନ୍ସ ଦିଆଯାଉନଥିବାରୁ ଏମାନେ ବେଆଇନ ଭାବେ ବାର୍‌ ଚଳାଉଛନ୍ତି। ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମଧ୍ୟ ଆଦେଶ ହେଉନଥିବାରୁ ଯେ କୌଣସି ମୁହୂର୍ତ୍ତରେ ଏମାନେ ଚଳାଇବା ପାଇଁ ପ୍ରସ୍ତୁତ ହୋଇରହୁଛନ୍ତି। ଏଣୁ ପୁଲିସ ଉପରେ ଚାପ ରହୁଛି। କେତେବେଳେ ଏମାନେ ଏହି ବେଆଇନ ବାର୍‌ ଚଳାଇଲେ, ତାହା ଜଗିବା ସମ୍ଭବ ହେଉନାହିଁ। ତେବେ ପୁଲିସ ନିୟମିତ ଚଢ଼ଉ ଜାରି ରହିବ ବୋଲି ବୋଲି ପୁଲିସ କମିସନର୍‌ ଶ୍ରୀ ମହାନ୍ତି କହିଛନ୍ତି।

ପୁଲିସ ସୂଚନା ଅନୁସାରେ, ଭୁବନେଶ୍ବରରେ ଏଭଳି ୧୪ ବାର୍‌ ରହିଛି ଯେଉଁଠି ଯୁବତୀମାନେ ମଦ ପରଷିବା ସହ ଅର୍ଦ୍ଧନଗ୍ନ ନୃତ୍ୟ କରନ୍ତି। ଏଥିମଧ୍ୟରୁ କେବଳ କଟକ ରୋଡ୍‌ରେ ୧୧ଟି, ଖାରବଳେ ନଗରରେ ଗୋଟିଏ ଓ ପଟିଆରେ ତିନୋଟି ରହିଛି। କଟକ ରୋଡ୍‌ର ଥିବା ବାର୍‌ଗୁଡ଼ିକ ଉପରେ ଚଢ଼ଉ ପରେ ଅନ୍ୟ ତିନୋଟି ବାର୍‌ରେ ନାଚ ବନ୍ଦ ହୋଇଯାଇଛି। ଏହି ବାର୍‌ଗୁଡ଼ିକରେ ଯିଏ ଯେତେ ଗ୍ରାହକଙ୍କୁ ଆକୃଷ୍ଟ କରିପାରିଲା, ସେତେ ବେପାର ହେବା ମାନସିକତା ନେଇ ସେଠାରେ ଯୁବତୀମାନେ ନୃତ୍ୟ କରିଥାନ୍ତି। ଏଣୁ ନଗ୍ନତା ଭର୍ତ୍ତି ହୋଇ ରହିଥାଏ। ବିଭିନ୍ନ ବାର୍‌‌ରେ ଏହି ନାଚର ଏକପ୍ରକାର ପ୍ରତିଯୋଗିତା ହୋଇଥାଏ। ବିଭିନ୍ନ ସମୟରେ ଏଠାରେ ଗଣ୍ଡଗୋଳ ହେବା ସହ ସେଠାରେ କାର୍ଯ୍ୟରତ ବାଉନସର ଗ୍ରାହକଙ୍କୁ ମାଡ଼ ମାରିବା ମଧ୍ୟ ଅଭିଯୋଗ ହୋଇଥାଏ। ଏଭଳି ବାରମ୍ବାର ହେବା ଅଭିଯୋଗ ମିଳିବା ପରେ ପୁଳିସ ୧୧ ବାର୍‌ରେ ଚଢ଼ାଉ କରି ୯୬ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର