ଡିଏସ୍‌ବିଏମ୍‌ରେ ଧ୍ୟାନ-ଯୋଗ କର୍ମଶାଳା

ଭୁବନେଶ୍ୱର : ୟୁନିଟ୍‌-୮ସ୍ଥିତ ଡିଏଭି ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ (ଡିଏସ୍‌ବିଏମ୍‌) ପକ୍ଷରୁ ‘ଉନ୍ନତ ଶୈଳୀ-ସୁସ୍ଥ ଜୀବନ’ ଶୀର୍ଷକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ୟୁଏନ୍‌ଏଫ୍‌ପିଏର ଡ. ଦୀପା ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଯୁବ ସମାଜ କିଭଳି ବିଭିନ୍ନ ପ୍ରକାରର ରୋଗ-ବ୍ୟାଧିର ସମ୍ମୁଖୀନ ହେଉଛନ୍ତି, ତା’ର ପ୍ରତିକାର ଏବଂ ଭାରତର ଯୁବପିଢ଼ିର ସାମର୍ଥ୍ୟ ଓ ଶକ୍ତି ଆଦି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଭୁବନେଶ୍ୱର)ରୁ ଯୋଗ ଦେଇଥିବା ବିକେ ଅଲେଖ ଏବଂ ବିକେ ଗୀତା ନିଜ ନିଜର ମତ ଉପସ୍ଥାପନ କରିଥିଲେ। ବିକେ ଅଲେଖ ଧ୍ୟାନର ବିଭିନ୍ନ ଦିଗ ଏବଂ ତା’ର ପ୍ରଭାବ ମଣିଷ ଜୀବନ ଉପରେ କିଭଳି ଭାବେ ପଡେ ସେ ନେଇ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ବିକେ ଗୀତା ଡିଏସ୍‌ବିଏମ୍‌ର ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୁଦ୍ଧ କରାଇ ଏକ ଧ୍ୟାନ-ଯୋଗର ଆସନ ଶିଖାଇଥିଲେ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ଶିଶିର ଗ୍ରହଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭୁବନେଶ୍ୱରବାସୀ କିଭଳି ଏକ ସୁନ୍ଦର ଓ ସୁସ୍ଥ ପରିବେଶରେ ଜୀବନ ଅତିବାହିତ କରିପାରିବେ, ସେ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଡିଏନ୍‌ ମିଶ୍ର କର୍ମଶାଳାରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଜଣାଇଥିଲେ। କର୍ମଶାଳାକୁ ଡିଏସ୍‌ବିଏମ୍‌ର ଗଣିତଏବଂ ପରିସଂଖ୍ୟାନ ବିଭାଗ ଅଧ୍ୟାପକ ସୁଧାଂଶୁ ଶେଖର ସାହୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର