ଭୁବନେଶ୍ୱର : ଘରୋଇ ହସ୍ପିଟାଲ୍‌ରେ ୬ଘଣ୍ଟା ବନ୍ଧା ପଡ଼ିଲା ଶବ

ଭୁବନେଶ୍ୱର : ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ପିଟାଲରେ ଶୋଷଣ କରାଯିବା ଘଟଣା ନୂଆ ନୁହେଁ। ମାତ୍ର ଶବକୁ ଅସମ୍ମାନ ଭଳି ଅମାନବୀୟ ଘଟଣା ଏବେ ବଢ଼ି ବଢ଼ି ଚାଲିଛି। ଏଭଳି ଏକ ଘଟଣା ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି। ଅର୍ଥ ଦାବି କରି ହସ୍ପିଟାଲ କର୍ତ୍ତୃପକ୍ଷ ଶବକୁ ୬ ଘଣ୍ଟା ଅଟକ ରଖିଥିଲେ। ସୂଚନା ଅନୁଯାୟୀ, ବାରିପଦାର ନଳିନୀଚନ୍ଦ୍ର ଦେଓ ସପ୍ତାହେ ହେଲା ଉକ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ୪୫ ହଜାର ଟଙ୍କା ପୈଠ କରି ତାଙ୍କୁ ଡିସଚାର୍ଜ କରି ନେଇଯିବା ପାଇଁ ଗତକାଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ତେବେ ପରିବାରଲୋକ ତାଙ୍କୁ ସାକ୍ଷାତ କରିବା ପାଇଁ କହିବାରୁ ସେମାନଙ୍କୁ ବାରଣ କରାଯାଇଥିଲା। ଆଜି ସକାଳେ ପୁଣି ୬୮ହଜାର ଟଙ୍କା ପୈଠ କରିବାକୁ କୁହାଯାଇଥିଲା। ରୋଗୀଙ୍କ ପରିବାରଲୋକ ହୋ-ହଲ୍ଲା କରିବାରୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି କହିଥିଲେ। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲା। ଶେଷରେ ରୋଗୀଙ୍କ ସମ୍ପର୍କୀୟ କିଛି ଅର୍ଥ ଜମା କରି ଶବ ନେଇଥିଲେ।

ସମ୍ବନ୍ଧିତ ଖବର