ରାଜଧାନୀରେ ଥମୁନି ଡେଙ୍ଗୁ: କ୍ୟାପିଟାଲ ହସ୍ପିଟାଲରେ ୬ ଆକ୍ରାନ୍ତ

ଆଉ ୨ନମୁନା ପଜିଟିଭ୍‌

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଏବେ ୬ଜଣ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତ ୨/୩ ଦିନ ମଧ୍ୟରେ ସମସ୍ତ ଆକ୍ରାନ୍ତ ହସ୍ପିଟାଲରେ ଆଡମିଟ୍‌ ହୋଇଥିବା ଜଣାପଡ଼ିଛି। ସେଥିରୁ ଜଣେ ଆଇସିୟୁରେ ଭର୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପୂର୍ବରୁ ଚିକିତ୍ସିତ ହେଉଥିବା ୨ଜଣ ଆକ୍ରାନ୍ତଙ୍କୁ ଆଜି ସକାଳେ ଡିସଚାର୍ଜ କରାଯାଇଥିଲା। ତେବେ ଦ୍ୱିପ୍ରହରରେ ଚନ୍ଦ୍ରଶେଖରପୁର ବିଡିଏ କଲୋନିର ଜଣେ ବ୍ୟକ୍ତି ଆଡମିଟ୍‌ ହୋଇଥିଲେ। ଏହାକୁ ମିଶାଇ ଡେଙ୍ଗୁ ଓ୍ଵାର୍ଡରେ ଏବେ ୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ଲାଗି ଆଜି ମଧ୍ୟ ବୈଠକ ଜାରି ରହିଥିଲା। ଖୋର୍ଧା ସିଡିଏମ୍‌ଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବା ସହିତ ଡେଙ୍ଗୁକୁ କିଭଳି ନିୟନ୍ତ୍ରଣ କରାଯିବ, ଆଲୋଚନା ହୋଇଥିଲା। ଡେଙ୍ଗୁ ଚିହ୍ନଟ ହୋଇଥିବା ସାଲିଆସାହି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଜି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ପରିଦର୍ଶନ କରିବା ସହିତ ସ୍ଥାନୀୟ ଅଞ୍ଚଳରେ କୌଣସି ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହାର ଯାଞ୍ଚ କରିଥିଲେ। ଏହାସହ ସ୍ଥାନୀୟ ଅଞ୍ଚଳରେ ଫଗିଂ ଜାରି ରହିବା ସହିତ ବୁଦାଗୁଡ଼ିକୁ କାଟିବା କାମ ଜାରି ରହିଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ରାଜଧାନୀରେ ଡେଙ୍ଗୁ ପାଇଁ ନୀଳାଦ୍ରିବିହାର ପିଏଚ୍‌ସିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହା କେବଳ ରାଜଧାନୀରେ ଡେଙ୍ଗୁ ସଂପର୍କିତ ସମସ୍ତ ତଥ୍ୟର ଆଦାନ ପ୍ରଦାନ କରିବ। ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର