ଧଉଳି କଳିଙ୍ଗ ମହୋତ୍ସବ ୯ରୁ

ସୋନାଲ ମାନସିଂହ ପାଇବେ ବୁଦ୍ଧ ସମ୍ମାନ

ଭୁବନେଶ୍ୱର : ତାଳ, ଲୟ ଓ ମଧୁମୟ ଛନ୍ଦରେ ବହିିବ ନିର୍ଝରିଣୀ ନଦୀ। ନଦୀକୁ ଶାସ୍ତ୍ରୀୟ ନୃତ୍ୟରେ ପରିପ୍ରକାଶ କରିବାର ଏହିଭଳି ଏକ ବିଶେଷ ଅବକାଶ ଭେଟିଦେବ ୧୪ତମ ‘ଧଉଳି କଳିଙ୍ଗ ମହୋତ୍ସବ’। ଧଉଳି ପାଦଦେଶରେ ‘ଓଡ଼ିଶା ଡ୍ୟାନ୍ସ ଏକାଡେମି’ ଏବଂ ‘ଓଡ଼ିଶା ପର୍ଯ୍ୟଟନ ବିଭାଗ’ ପକ୍ଷରୁ ‘ଆର୍ଟ ଭିଜନ୍‌’ ସହଯୋଗରେ ଆୟୋଜିତ ହେବ ଏହି ନୃତ୍ୟ ଉତ୍ସବ।

ଆସନ୍ତା ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ନୃତ୍ୟ ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ଏକ ଶାସ୍ତ୍ରୀୟ ନୃତ୍ୟ ସମେତ ଲୋକକଳା ଓ ସାମରିକ କଳାର ପ୍ରଦର୍ଶନ ଦେଖିବାକୁ ମିଳିବ। ଏଥିସହିତ ଓଡ଼ିଶା ଡ୍ୟାନ୍ସ ଏକାଡେମି ଏଥର ସ୍ୱତନ୍ତ୍ର ଭାବେ ଭେଟିଦେବ ନୃତ୍ୟ ନାଟିକା ‘ଅହିଂସା’। ଶିବାଙ୍ଗୀ ପକ୍ଷରୁ ସଂଗୀତ ଫ୍ୟୁଜନ୍‌ରୁ ଆରମ୍ଭ ହେବ ଏହି ଉତ୍ସବ। ଲୀଲା ସାମ୍‌ସନ୍‌, ଭିଦା ଲାଲ୍‌, ପ୍ରତୀକ୍ଷା କାଶି, ମଧୁ ନଟରାଜ, ଶୁଭଶ୍ରୀ ମୁଖାର୍ଜୀ, ପ୍ରୀତି ପଟେଲ୍‌ ଓ ସାଥୀମାନେ ନୃତ୍ୟ ପରିବେଷଣ କରିବେ। ଏଥିସହିତ ସମସାମୟିକ ନୃତ୍ୟ, ଛଉ, ମାଲଖମ୍ବ, ପାଇକ ଓ ସାହିଯାତ ନୃତ୍ୟ ଦେଖିବାକୁ ମିଳିବ। ଏହି ଅବସରରେ ପଦ୍ମବିଭୂଷଣ ସୋନାଲ ମାନସିଂହଙ୍କୁ ରୁଚି ପ୍ରତିଭା ଫାଉଣ୍ଡେସନ୍‌ ପକ୍ଷରୁ ‘ବୁଦ୍ଧ ସମ୍ମାନ’ ପ୍ରଦାନ କରାଯିବ। ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ସେହିପରି ଭବନ୍‌ସ ସେଣ୍ଟର ଫର୍‌ କମ୍ୟୁନିକେସନ୍‌ ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ୍‌ର ଡିନ୍‌ ତଥା ନିର୍ଦେଶକ ଏସ୍‌କେ ତାମୋଟିଆ, ଗୀତିକାର ତଥା ଅଭିନେତା ଅତୁଲ୍ୟ ମହାକୁଡ଼, ଓଡ଼ିଶୀ ର୍ମଦଳ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଓଡ଼ିଶୀ ବସ୍ତ୍ର କାରିଗର ଭାଗୀରଥି ଦାସଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ‘ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ଆଜି ଓଡ଼ିଶା ଡ୍ୟାନ୍ସ ଏକାଡେମି ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗର ନିର୍ଦେଶକ ନିତିନ ଭାନୁଦାସ ଜଓ୍ଵାଲେ, ଏକାଡେମିର ମୁଖ୍ୟ ଗୁରୁ ଅରୁଣା ମହାନ୍ତି, ଆର୍ଟ ଭିଜନ୍‌ର ଗୁରୁ ଇଲିଆନା ସିତାରିଷ୍ଟି, ପର୍ଯ୍ୟଟନ ବିଭାଗର ଉପନିର୍ଦେଶକ ଉତ୍ପଳ ପତି ଏବଂ ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର