ପରିମଳ ବ୍ୟବସ୍ଥା ନେଇ ଅସନ୍ତୁଷ୍ଟ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ଆୟୁର୍ବେଦିକ ହସ୍ପିଟାଲ ପରିଦର୍ଶନ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ସରକାରୀ ଆୟୁର୍ବେଦିକ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିଥିଲେ। ଆୟୁର୍ବେଦିକ ହସ୍ପିଟାଲର ବିଭିନ୍ନ ଓ୍ଵାର୍ଡ ବୁଲିବା ସହିତ ରୋଗୀଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ତେବେ ହସ୍ପିଟାଲରେ ପରିମଳ ବ୍ୟବସ୍ଥାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହିତ ଏହା କିଭଳି ବଜାୟ ରହିବ ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ।

ଆଜି ଦିନ ପ୍ରାୟ ୧୨ଟା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ପହଞ୍ଚିଥିଲେ। ପ୍ରାୟ ୪୫ମିନିଟ୍‌ ଧରି ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲର ଉଭୟ ତଳ ଓ ଉପର ମହଲାରେ ଥିବା ବିଭିନ୍ନ ଓ୍ଵାର୍ଡ ବୁଲିଥିଲେ। ଆଉଟଡୋର ରେଜିଷ୍ଟ୍ରାର ଓ ଉପସ୍ଥାନ ରେଜିଷ୍ଟ୍ରାରର ଯାଞ୍ଚ କରିଥିଲେ। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ କିଭଳି ବିନା ମୂଲ୍ୟରେ ଆବଶ୍ୟକ ଔଷଧ ପ୍ରଦାନ କରାଯିବ ସେ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ହସ୍ପିଟାଲରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ଆଲୋଚନା କରାଯିବ। ଏହାସହ ହସ୍ପିଟାଲରେ ରହିଥିବା ସମସ୍ୟାର ସମାଧାନ କରାଯାଇ କିଭଳି ରୋଗୀଙ୍କୁ ଉନ୍ନତ ମାନର ସେବା ମିଳିବ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଜେନା ଆୟୁଷ ନିର୍ଦେଶାଳୟର ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ହସ୍ପିଟାଲର ଉନ୍ନତି କରଣ ପାଇଁ ଆଗାମୀ ଦିନରେ ଏକ ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର