ପୁଲିସ୍‌କୁ ଡରନି, ପୁଲିସ ତୁମ ବନ୍ଧୁ

କମିସନରେଟ୍‌ ପୁଲିସ୍‌ ପକ୍ଷରୁ ‘ନୋ ଇଓର୍‌ ପୁଲିସ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ପୁଲିସ ପ୍ରତି ଏକ ଖରାପ ମନୋଭାବ ରହିଛି। କାହା ନଜରରେ ପୁଲିସ ଅତ୍ୟନ୍ତ ନୃଶଂସ ତ କାହା ନଜରରେ ପୁଲିସ ପାଖରେ ଅଭିଯୋଗ କଲେ କିଛି ଫାଇଦା ମିଳିବନି। ଏବେବି ପିଲା ଦୁଷ୍ଟ ହେଲେ ଡରାଇବା ପାଇଁ ପୁଲିସର ଭୟ ଦେଖାଉଛନ୍ତି। କେବଳ ଏତିକି ନୁହେଁ ଲୋକଙ୍କ ମନରେ ଧାରଣା ଅଛି ଯେ, ଥାନାକୁ ଗଲେ ପୁଲିସକୁ ଲାଞ୍ଚ ନଦେଲେ କିଛି କାମ ହୁଏନି। ଅଭିଯୋଗ ବି ରଖେନି। ହାଜତରେ ରହିଲେ ପୁଲିସ ଖରାପ ବ୍ୟବହାର କରିବା ସହ ବହୁତ ମାଡ଼ ମାରେ। କିନ୍ତୁ ପୁଲିସର ଚରତ୍ର ଏପରି ନୁହେଁ। ପୁଲିସ ଲୋକଙ୍କ ସୁଖଦୁଃଖର ସାଥୀ। ପୁଲିସ ଏକ ବ୍ୟବସ୍ଥା। ଯାହା ଲୋକଙ୍କୁ ନ୍ୟାୟ ପ୍ରଦାନ କରିଥାଏ। ଅସୁବିଧା ନେଇ ଆସୁଥିବା ଲୋକ ଯେପରି ନ୍ୟାୟ ପାଇବ ସେଥିପାଇଁ ପୁଲିସ ଅଧିକାରୀମାନେ ପଦକ୍ଷେପ ନିଅନ୍ତି। ପିଲାମାନେ ତ ବିଲକୁଲ୍‌ ପୁଲିସକୁ ଡରିବା କଥା ନୁହେଁ। ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଯେପରି ପୁଲିସ ବ୍ୟବସ୍ଥା ବିଷୟରେ ଜାଣିବେ, ନିଜେ ସଚେତନ ହେବା ସହ ପରିବାର ଲୋକ ଏବଂ ଆତ୍ମୀୟ ସ୍ୱଜନଙ୍କୁ ଏନେଇ ସଚେତନ କରାଇପାରିବେ ସେଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଆଜିଠାରୁ ‘ନୋ ଇଓର୍‌ ପୁଲିସ୍‌’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ନନ୍ଦନକାନନ ଏବଂ କ୍ୟାପିଟାଲ ଥାନାରେ ଏହି କାର୍ଯ୍ୟକ୍ରମକୁ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ଉଦ୍‌ଘାଟନ କରିବା ସହ କୁନିକୁନି ପିଲାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କ ମନରେ ଥିବା ସନ୍ଦେହକୁ ଦୂର କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, କେହି ବି ପୁଲିସକୁ ଡରିବା କଥା ନୁହେଁ, କାରଣ ପୁଲିସ ତାଙ୍କର ବନ୍ଧୁ। ଆଜି ନନ୍ଦନକାନନ ଥାନାରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବାବେଳେ କ୍ୟାପିଟାଲ ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ୟୁନିଟ-୧ ହାଇସ୍କୁଲର ପିଲାମାନେ ଭାଗ ନେଇଥିଲେ। ଏଥିରେ ପିଲାମାନଙ୍କୁ ଥାନାର ରିସେପ୍‌ସନ୍‌ ଡେକ୍ସରୁ ଆରମ୍ଭ କରି କଣ୍ଟ୍ରୋଲ ରୁମ୍‌, ହାଜତ, ମାଲଖାନା, ଇଣ୍ଟେରୋଗେସନ୍‌ ରୁମ୍‌ ଆଦି ବୁଲାଇ ଥାନାରେ ଥିବା ବ୍ୟବସ୍ଥା ବିଷୟରେ ବୁଝାଯାଇଥିଲା। ସେହିପରି ଏଫ୍‌ଆଇଆର୍‌ କ’ଣ, କିପରି ଗ୍ରହଣ କରାଯାଏ, ଭିଏଚ୍‌ଏଫ୍‌ର କାମ କ’ଣ, କଣ୍ଟ୍ରୋଲ ରୁମ୍‌ରେ କ’ଣ ହୁଏ, ଚାର୍ଜସିଟ୍‌ କେବେ ଓ କେମିତି ପ୍ରସ୍ତୁତ କରାଯାଏ ତାହା ଉପରେ ପିଲାମାନଙ୍କୁ ପୁଲିସ ଅଧିକାରୀମାନେ ବୁଝାଇଥିଲେ।

ଏହାପରେ ପୁଲିସ ଓ ପିଲାଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପିଲାମାନେ ପୁଲିସ ବିଷୟରେ ଅନେକ ପ୍ରଶ୍ନ କରିଥିଲେ। ଆମେ ସମସ୍ୟାରେ ପଡ଼ିଲେ ପୁଲିସ ପାଖକୁ ଯାଉଛୁ। ହେଲେ ପୁଲିସ ସମସ୍ୟାରେ ପଡ଼ିଲେ କାହାପାଖକୁ ଯାଏ ବୋଲି ପ୍ରଶ୍ନ କରିଥିଲେ। ପୁଲିସ ଯେଉଁ ଜିନିଷ ଜବତ କରୁଛି ତାକୁ କ’ଣ କରୁଛି? ଚୋର ଓ ଡକାୟତଙ୍କଠାରୁ ଜବତ ହେଉଥିବା ଟଙ୍କା ଓ ସୁନାଗହଣ କୁଆଡ଼େ ଯାଉଛି? ଏହିଭଳି ଅନେକ ପ୍ରଶ୍ନ ପଚାରିଥିଲେ। ପୁଲିସ କମିସନର ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଏହାର ଉତ୍ତର ଦେଇଥିଲେ। ପୁଲିସ ପକ୍ଷରୁ ମଧ୍ୟ ପିଲାମାନଙ୍କୁ କେତେକ ପ୍ରଶ୍ନ ପଚରାଯାଇଥିଲା। ଠିକ୍‌ ଉତ୍ତର ଦେଇଥିବା ପଲିମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ ସିଂହ, ସମସ୍ତ ଜୋନ୍‌ ଏସିପି, ବିଭିନ୍ନ ଥାନାର ଥାନାଧିକାରୀ, ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ସାହୁ, ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଓ ୟୁନିଟ୍‌-୧ ହାଇସ୍କୁଲର ଛାତ୍ରଛତ୍ରୀଙ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଅଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ସମସ୍ତ ଥାନାରେ କରାଯିବା ସହ ସମସ୍ତ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ସାମିଲ୍‌ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର