ଭୁବନେଶ୍ୱର: କୃଷି ଭିତ୍ତିକ ପରମ୍ପରା ଏବଂ କଳା ସୌନ୍ଦର୍ଯ୍ୟର ପରିଚୟ ବହନ କରିବ ନୂତନ କୃଷି ଭବନ। ରବୀନ୍ଦ୍ର ମଣ୍ଡପରୁ କମିସନରେଟ୍ ପୁଲିସ କାର୍ଯ୍ୟାଳୟ ଆଡ଼କୁ ଗଲେ ଜଣେ ତରୁଣୀ ସମ୍ବଲପୁରୀ ଶାଢ଼ିଟିଏ ପରିଧାନ କରି ଦଣ୍ଡାୟମାନ ହୋଇଥିବାର ଅନୁଭବ ମିଳିବ। ସମ୍ବଲପୁରୀ ଇକ୍କତ ଶାଢ଼ି ଢାଞ୍ଚାରେ ନିର୍ମିତ କୃଷି ଭବନର ନୂତନ ବିଲ୍ଡିଂ ଏଭଳି ନିଆରା ଅନୁଭବ ଦେବ। ଏହି ବାଟ ଦେଇ ଯାତାୟାତ ସମୟରେ ଏହା ରାସ୍ତାରେ ଯାଉଥିବା ଲୋକଙ୍କ ଧ୍ୟାନ ଆକର୍ଷଣ କରିବ। ଅଟ୍ଟାଳିକାରେ ୪୦ରୁ ଊର୍ଧ୍ୱ ସ୍ଥପତି ଶିଳ୍ପୀଙ୍କ କାରିଗରୀ ସ୍ପର୍ଶ ରହିଥିବା ବେଳେ ଖୁବ୍ଶୀଘ୍ର ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେବ। ଉପର ପାର୍ଶ୍ୱ ସମ୍ବଲପୁରୀ ଶାଢ଼ିରେ ସଜେଇ ହୋଇଥିବା ବେଳେ ଅଟ୍ଟାଳିକା ମଧ୍ୟ ଭାଗରେ ଚାଷୀମାନଙ୍କର ବିଭିନ୍ନ କାର୍ଯ୍ୟକଳାପ ଓ ଚାଷ ସମ୍ପର୍କିତ ଜୀବନୀକୁ ବିଲ୍ଡିଂ କାନ୍ଥରେ ଖୋଦିତ କରାଯାଇଛି। ମାଙ୍କଡ଼ା ପଥରରେ ବିଲ୍ଡିଂ କାମ ହୋଇଥିବା ବେଳେ କାରୁକାର୍ଯ୍ୟପୂର୍ଣ୍ଣ କାମ ଖଣ୍ଡୋଲାଇଟ୍ ପଥରରେ କରାଯାଇଛି ବୋଲି କହିଛନ୍ତି ଡିଜାଇନର୍ ଶିବାନନ୍ଦ ଭୋଳ। ଓଡ଼ିଶାର ନୟାଗଡ଼, ବାଳକାଟି ସମେତ ଅନ୍ୟ ଅଞ୍ଚଳରୁ ଆସିଥିବା କାରିଗରମାନେ ଏହି ବିଲ୍ଡିଂର କାରିଗରୀ କାମ କରିଥିବା ବେଳେ ଛତିଶଗଡ଼ରୁ କିଛି କାରିଗର ଲୁହା କାମ କରିଛନ୍ତି। ଏହି ନୂତନ ବିଲ୍ଡିଂର ନିର୍ମାଣ ଶୈଳୀ
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବିଲ୍ଡିଂରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସମେତ କୃଷି ନିର୍ଦେଶାଳୟ ଏବଂ ଉଦ୍ୟାନକୃଷି ନିର୍ଦେଶାଳୟ ରହିବ। କୃଷକମାନଙ୍କୁ ଶିକ୍ଷା, ସୂଚନା ଓ ତାଲିମ୍ ଦେବା ପାଇଁ ଏହି ବିଲ୍ଡିଂରେ ସମସ୍ତ ସୁବିଧା କରାଯିବ। ଏଥିସହ ଏହା ମଧ୍ୟରେ ବୈଠକ ଗୃହ ସମେତ ସମ୍ମିଳନୀ କକ୍ଷ ରହିଛି। ଏଥିସହ ଏକ ଏଗ୍ରି ବିଜ୍ନେସ୍ ସେଣ୍ଟର୍ ତଥା କୃଷି ବ୍ୟବସାୟିକ କେନ୍ଦ୍ର ମଧ୍ୟ ଏହି ପରିସର ମଧ୍ୟରେ ରହିବ। ଯାହା ଚାଷୀଙ୍କୁ ସମସ୍ତ ପ୍ରକାର ସୂଚନା ପ୍ରଦାନ କରିବ। ସମ୍ପୂର୍ଣ୍ଣ ବିଲ୍ଡିଂର ନିର୍ମାଣ ମୁଖ୍ୟମନ୍ତ୍ରୀଙ୍କ ତଦାରଖ ଓ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କରାଯାଇଛି। ମେ ମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଉକ୍ତ ଅଟ୍ଟାଳିକାର ସ୍ଥିତି ଅନୁଧ୍ୟାନ କରିଥିଲେ।