ଶତାବ୍ଦୀର କଳାକାର ପକ୍ଷରୁ ନାଟକ: ‘ଅଗନା ଅଗନି ବନଲୋ ସଙ୍ଗାତ’

ଭୁବନେଶ୍ୱର: ଦେଶରେ ଶିଶୁ ଶ୍ରମିକ ସମସ୍ୟା ଚରମ ସୀମାରେ ପହଞ୍ଚିଲାଣି। ଯେଉଁ ବୟସରେ ଶିଶୁଟିଏ ଖେଳିବା କଥା, ପଢ଼ିବା କଥା; ସେହି ବୟସରେ ପିଲାଙ୍କ ହାତରେ କାମର ବୋଝ ପଡ଼ିଯାଉଛି। ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହ ଦେଶର ଭବିଷ୍ୟତ ମଧ୍ୟ ନଷ୍ଟ ହେଉଛି। ଏହିଭଳି ଏକ ଅଭିବ୍ୟକ୍ତିକୁ ରାଜାଘର କାହାଣୀ ମାଧ୍ୟମରେ ରୂପାନ୍ତରିତ କରାଯାଇଛି। ଜଣେ ରାଜା ନିଜ ଝିଅ ପାଇଁ ପୋଖରୀ ଖୋଳାଇବାକୁ ରାଜ୍ୟର ପ୍ରଜାମାନଙ୍କୁ ବେଠି ଖଟାଉଛନ୍ତି। ଏପରିକି ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଛୋଟ ଛୋଟି ପିଲାମାନଙ୍କୁ ଏହି କାମରେ ନିୟୋଜିତ କରାଉଛନ୍ତି। କିନ୍ତୁ ରାଜ୍ୟରେ ଥିବା କିଛି ବିଦ୍ୱାନ ଏଥିପାଇଁ ରାଜାଙ୍କୁ ସମାଲୋଚନା କରିବାରୁ ରାଜା ସେମାନଙ୍କୁ ରାଜ୍ୟରୁ ବାହାର କରି ଦେଉଛନ୍ତି। କିନ୍ତୁ ସମୟ କଡ଼ ଲେଉଟାଇଲା, ହଠାତ୍‌ ଦିନେ ରାଜା ବଡ଼ ସମସ୍ୟାର ସମ୍ମୁଖୀନ ହେଲେ। ଶିକ୍ଷା ଓ ଶିକ୍ଷିତଙ୍କ ଅଭାବରୁ ଏହାର ସମାଧାନ ହୋଇ ପାରିଲା ନାହିଁ। ପଡ଼ୋଶୀ ରାଜ୍ୟର ରାଜାପୁଅ, ମନ୍ତ୍ରୀପୁଅ ପହଞ୍ଚି ସମସ୍ୟାର ସମାଧାନ କଲେ। ତେବେ ଏହି ଶିଶୁ ଶ୍ରମିକ ସମସ୍ୟା ବଢ଼ିବାର କୁପରିଣତି ନେଇ ଆଜି ମଞ୍ଚସ୍ଥ ହୋଇଥିଲା ନାଟକ ‘ଅଗନା ଅଗନି ବନଲୋ ସଙ୍ଗାତ’। ସାତ୍ୱିକ୍‌ ରାଜାଙ୍କ ରଚିତ ଏହି ନାଟକକୁ ଆଲୋକ ଅଗ୍ନିବେଶ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ୧୮ଜଣ ଶିଶୁ କଳାକାର ଅଭିନୟ କରିଥିଲେ। ‘ଶତାବ୍ଦୀର କଳାକାର’ ପକ୍ଷରୁ ନୂଆପଲ୍ଲୀସ୍ଥିତ ବିଜୁ ନାଟ୍ୟକେନ୍ଦ୍ରଠାରେ ଅନୁଷ୍ଠିତ ଏହି ନାଟକରେ ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓ ନିର୍ଦ୍ଦେଶକ ତଥା ଅଭିନେତା ଅଜିତ ନାରାୟଣ ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଥିରେ ୧୫ଜଣ ପିଲାଙ୍କୁ ସମ୍ବର୍ଧିତ କରାଯାଇଥିଲଶ। ବିଶିଷ୍ଟ କଥାକାର ଗୌରହରି ଦାସ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶକ୍ଳେଶ୍ୱର ପଟ୍ଟନାୟକ।

ସମ୍ବନ୍ଧିତ ଖବର