ଭୁଲ ଠିକଣାରେ ମଦ ମଗାଇ ପିଇଲେ

ଅନ୍‌ଲାଇନ୍ ମଦ ଠକେଇ ‌ଅଭିଯୋଗ

ବାଲିଅନ୍ତା/ଧଉଳି : ଅନ୍‌ଲାଇନରେ ମଦ ‌ଯୋଗାଣ ହେବା ନେଇ ଘୋଷଣା ହେବା ପରେ ବାଲିଅନ୍ତା ଓ ଧଉଳି ଅଞ୍ଚଳରେ ମଦ୍ୟପମାନେ ଖୁବ୍ ଉତ୍ସାହିତ ହୋଇପଡ଼ିଥିଲେ। ନିଶା ଅଭ୍ୟାସ ଥିବା ବୟସ୍କ ବ୍ୟକ୍ତିମାନେ ଘର ଠିକଣାରେ ମଦ ପାଇବା ପାଇଁ ଅର୍ଡର ଦେଇଥିଲେ। ହେଲେ ଲୁଚି ଛପି ମଦ ପିଉଥିବା କିଛି ଯୁବକ ପରିବାର ଲୋକଙ୍କ କବଳରୁ ରକ୍ଷା ପାଇବା ପାଇଁ ଗାଁ କ୍ଲବ ଘର ଓ କୋଠଘର ଠିକଣାରେ ମଦ ମଗାଇ ସେଠାରେ ଆସର ଜମାଇଥିଲେ। ଅପରପକ୍ଷରେ ବାଲିଅନ୍ତା ଥାନା ଅଧୀନ ବ୍ରାହ୍ମଣଷଡ଼ଙ୍ଗୀ ବିଦେଶୀ ମଦ ଦୋକାନ, ହଂସପାଳ, ଅନନ୍ତପୁର ସ୍ଥିତ ମଦ ଦୋକନ ଆଗରେ ମଦ୍ୟପମାନଙ୍କର ନାହିଁନଥିବା ଭିଡ଼ ଜମିଥିଲା। ସେହିପରି ଧଉଳି ଥାନା ଅଧୀନ ସରଦେଇପୁର ସ୍ଥିତ ମଦ କାଉଣ୍ଟର ନିକଟରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା।

ଅନ୍‌ଲାଇନରେ ମଦ ମିଳିବ ବୋଲି ଜାଣିଥିବା ସତ୍ତ୍ବେ ପୂର୍ବାହ୍ନରୁ ରାତି ପର୍ଯ୍ୟନ୍ତି ଉକ୍ତ ଦୋକାନଗୁଡ଼ିକ ନିକଟରେ ଲୋକମାନେ ଚକ୍କର କାଟିଥିଲେ। ମଦ ଦୋକାନ ନିକଟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ ପୁଲିସ ସେମାନଙ୍କୁ ତାଗିଦ କରିଥିଲା। ‌କିଛି ଲୋକ ମଦ ଦୋକାନ ନିକଟରେ ଲାଗିଥିବା ନୋଟିସରୁ ମୋବାଇଲ ଫୋନ ଓ ହ୍ବାଟ୍‌ସଆପ ନମ୍ବର ସଂଗ୍ରହ କରି ବୁକିଂ କରିଥିଲେ। ହେଲେ ଆଉ କିଛି ନିଶାଡ଼ି ମଦ ଦୋକାନ ଖୋଲିବ ଭାବି ଜାଗା ନଛାଡ଼ି ଦୀର୍ଘ ସମୟ ଧରି ସେଠାରେ ଚକ୍କର କାଟିଥିଲେ। ପୁଲିସ ବାରଣ କରିବା ସତ୍ତ୍ବେ ବି ସେମାନେ କିଛି ଶୁଣିନଥିଲେ। ଧୀରେ ଧୀରେ ମଦ ଦୋକାନ ଆଗରେ ବହୁ ଲୋକଙ୍କର ଭିଡ଼ ଜମିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ନିଶାଡ଼ିଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା। ଏପରିକି ଧଉଳି ଥାନା ଅଧୀନ ସରଦେଇପୁର ଅଞ୍ଚଳରେ ଥିବା ଗୋଟିଏ ମଦ କାଉଣ୍ଟର ନିକଟରେ ପିସିଆର ଭ୍ୟାନ ପୁଲିସ ସେମାନଙ୍କୁ ଲାଠି ଧରି ଗୋଡ଼ାଇଥିବା ଦେଖାଯାଇଥିଲା। ହଂସପାଳ ମଦ ଦୋକାନ ବନ୍ଦ ଥିଲା। କିନ୍ତୁ ଜଣେ କର୍ମଚାରୀଙ୍କ ଇସାରାରେ ବେଆଇନ ଭାବେ ନିକଟରେ ମଦ ଡେଲିଭରି ହେଉଥିଲା। ପାହାଳ ପୁଲିସ ସେଠାରେ ଚଢ଼ଉ କରି ମାଡ଼ ମାରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ସେହିପରି ଅନନ୍ତପୁର ଠିପି ବନ୍ଦ ମଦ ଦୋକାନ ଠାରୁ କିଛି ଦୂରରେ ଏକ ପରିତ୍ୟକ୍ତ ସ୍ଥାନରେ ଚୋରାରେ ମଦ ବିକ୍ରି ହେଉଥିବା ଆଡ୍ଡାରେ ପୁଲିସ ଚଢ଼ଉ କରିଥିବା ସୂଚନା ମିଳିଛି।

ଅନ୍‌ଲାଇନ୍ ମଦ ଠକେଇ ‌ଅଭିଯୋଗ
ଚନ୍ଦ୍ରଶେଖରପୁର : ମଦ ପିଇବାକୁ ପାଗଳ ହୋଇଥିବା ଜଣେ ଯୁବକ ଆଜି ଠକାମିର ଶିକାର ହୋଇଛନ୍ତି। ଅନ୍‌ଲାଇନ୍‌ରେ ମଦ ମଗାଇଥିଲେ ମଧ୍ୟ ମିଳି ନ ଥିଲା। ବରଂ ଆକାଉଣ୍ଟରୁ ପ୍ରାୟ ୩୬ ହଜାର ଟଙ୍କା କଟିଯାଇଥିଲା। ଏନେଇ ଯୁବକ ଜଣକ ଆଜି ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ବିଡିଏ କଲୋନି ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ୍‌ରେ କିଛି ମଦ ବୁକିଂ କରିଥିଲେ। ବୁକିଂ ବ‌େଳେ ତାଙ୍କ ଆକାଉଣ୍ଟ ୬ ହଜାର ଟଙ୍କା କଟିଥିଲା। ବୁକିଂ ସଫଳ ହୋଇଥିବା ଜଣାପଡ଼ିବା ପରେ ଯୁବକ ଜଣକ ଉତ୍ସାହିତ ହୋଇ ଆଉ ୩୦ ହଜାର ଟଙ୍କାର ମଦ ବୁକିଂ କରିଥିଲେ। ତେବେ ନିଦ୍ଧାରିତ ସମୟ ଅର୍ଥାତ୍‌ ଅପରାହ୍ନ ୪ଟା ସୁଦ୍ଧା ସମୟ ଗଡ଼ିଯିବା ପରେ ଗ୍ରାହକ ଜଣଙ୍କ ବୁକିଂ ହୋଇଥିବା ନମ୍ବର ଓ ପଇଠ କରାଯାଇଥିବା ଆକାଉଣ୍ଟ ନମ୍ବରରେ ଯୋଗାଯୋଗ କରିଥିଲେ। ସେଠାରୁ ଜାଣିବାକୁ ପାଇଥିଲେ ସେହି ନମ୍ବରଗୁଡ଼ିକ ବନ୍ଦ ରହିଛି। ‌ଏନେଇ ସେ ଡ଼ମଣା ଅଞ୍ଚଳରେ ଥିବା ମଦ କାଉଣ୍ଟରକୁ ‌ଯୋଗାଯୋଗ କରି ମଦ ମିଳିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବିଜ୍ଞାପନକୁ ଦେଖାଇଥିଲେ। ତେବେ ନିରାଶ ହେବା ପରେ ଚନ୍ଦ୍ରଶେଖରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ପୁଲିସ୍ ପ୍ର‌ଥମେ ଡମଣା ଅଞ୍ଚଳରେ ଥିବା ମଦ ଦୋକାନ ଓ ପରେ ବିଜ୍ଞାପନ ପ୍ରକାଶ ପାଇଥିବା ଦୁଇଟି ନମ୍ବରକୁ ଯାଞ୍ଚ କରିଥିଲା। ଏହାପରେ ଯୁବକଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍ ମାମଲା ରୁଜୁ କରି ପ୍ରଥମେ ସାଇବର୍ ଅପରାଧ ନିୟନ୍ତ୍ରଣ କାର୍ଯ୍ୟାଳୟର ସହଯୋଗ ପାଇଁ ଯୋଗାଯୋଗ କରିଥିଲା। ପରେ ସ୍ଥାନୀୟ ଅଞ୍ଚଳରେ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର