ଟଙ୍କା ଫେରାଇବାରେ ବିଳମ୍ବ ହେବାରୁ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପିଟିଲେ

ଭୁବନେଶ୍ବର, ୨୧/୪ (ଇମିସ): ରାଜଧାନୀରେ ଜଣେ ମଦ ଦୋକାନ କର୍ମଚାରୀଙ୍କ ପତ୍ତା ମିଳୁନି। କଟକରୋଡରେ ଥିବା ଏକ ବିଦେଶୀ ମଦ ଦୋକାନ ସେଲ୍ସମ୍ୟାନ ଉତ୍କଳ ପ୍ରିୟଦେବ ସିଂହ ଗତକାଲିଠାରୁ ନିଖୋଜ ଅଛନ୍ତି ବୋଲି ତାଙ୍କ ପତ୍ନୀ ସସ୍ମିତା ଆଜି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଉତ୍କଳ ପ୍ରିୟଦେବଙ୍କ ନିଜ ଘର ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ। ସେ ଭୁବନେଶ୍ବର ନୂଆଗାଁ ଅଞ୍ଚଳରେ ରହନ୍ତି। ସବୁଦିନ ଭଳି ଗତକାଲି ମଧ୍ୟ ଦୋକାନକୁ ଆସିଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ରାତି ୧୧ଟାରେ ଶେଷଥର ପାଇଁ ସ୍ବାମୀ ଉତ୍କଳଙ୍କ ସହ କଥା ହୋଇଥିଲେ ବୋଲି ପତ୍ନୀ ସସ୍ମିତା କହିଛନ୍ତି। ଏହା ପରେ ତାଙ୍କର ଦୁଇଟି ଯାକ ମୋବାଇଲ ଫୋନ୍ ନମ୍ବର ସୁଇଚ୍ଅଫ୍ ରହିଥିଲା। ଆଜି ସକାଳ ପର୍ଯ୍ୟନ୍ତ ଘରକୁ ସେ ଫେରି ନ ଥିଲେ। ସମ୍ପର୍କୀୟ କିମ୍ବା କୌଣସି ସାଙ୍ଗସାଥୀଙ୍କ ଘରେ ମଧ୍ୟ ନ ଥିବା ଜାଣିବା ପରେ ସସ୍ମିତା ଆଜି ସକାଳେ ଲକ୍ଷ୍ମୀସାଗର ଥାନାରେ ନିଖୋଜ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ମଦ ଦୋକାନ ମାଲିକ ଉତ୍କଳଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଅର୍ଥ ହଡ଼ପ ଅଭିଯୋଗ କରିଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ସେ ୧୬ ଲକ୍ଷ ୩୨ ହଜାର ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗରେ ଦର୍ଶାଯାଇଥିବା ଲକ୍ଷ୍ମୀସାଗର ଥାନାଧିକାରୀ ଭରତ ଚନ୍ଦ୍ର ସାହୁ କହିଛନ୍ତି। ଘଟଣାର ଅନୁସନ୍ଧାନ ଜାରି ରହିଥିବା ବେଳେ ଉତ୍କଳଙ୍କୁ ଠାବ କରିବା ପାଇଁ ଚେଷ୍ଟା ଚାଲିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର