ଫେବ୍ରୁଆରି ୧ରୁ ତିନି ଭବନରେ ଇ-ପାସ୍, ପାସ୍‌ ପାଇଁ ଆସିବ ମୋବାଇଲ୍‌ ଆପ୍

ଭୁବନେଶ୍ବର : ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ଏଠାରେ କର୍ମଚାରୀ ଓ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ଇ-ପାସ୍‌ ବ୍ୟବସ୍ଥା କରାଯିବ। ଫେବ୍ରୁଆରି ୧ରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଥିରେ ଏହି ତିନିଟି ଭବନକୁ ଯିବାକୁ ପାସ୍‌ ପାଇଥିବା ଲୋକଙ୍କର ମୁହଁ ଦେଖି ଛଡ଼ାଯିବ। କିନ୍ତୁ ଏପ୍ରିଲ ୧ରୁ ରେଡିଓ ଫ୍ରିକ୍ବେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ଗାଡ଼ି ପାସ୍ ଏବଂ କର୍ମଚାରୀଙ୍କ ପରିଚୟପତ୍ର ସ୍କାନ୍ କରି ଛଡ଼ାଯିବ। ସେହିପରି ଏହି ତିନିଟି ଭବନକୁ ଆସୁଥିବା ଲୋକଙ୍କର କଡ଼ା ଚେକିଂ ହେବ। ଏଥିପାଇଁ ତିନିଟି ଭବନର ପ୍ରବେଶ ପଥରେ ବ୍ୟାଗ ସ୍କାନର, ଶରୀର ସ୍କାନର, ଗାଡ଼ି ସ୍କାନର, ବୋଲାର୍ଡ, ବୁମ୍ ବ୍ୟାରିଅର ଆଦି ଲାଗିବ। ଏହି ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ କରିବ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ଅର୍ଥ ଦେବ। ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓକାକ୍ କିଣିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଲୋକଙ୍କୁ ଆଉ କାଉଣ୍ଟରରେ ଛିଡ଼ା ହୋଇ ପାସ୍‌ କରିବାକୁ ପଡ଼ିବନି। ଏଥିପାଇଁ ସ୍ବତନ୍ତ୍ର ଭାବେ ମୋବାଇଲ୍ ଆପ୍ ପ୍ରସ୍ତୁତ ହେବ। ଏହି ଆପ୍ ମାଧ୍ୟମରେ ‌ସାଧାରଣ ଲୋକ, ଅଧିକାରୀ ପାସ୍‌ ଆବେଦନ କରିବେ ଏବଂ ପାସ୍ ଦେବାକୁ ଥିବା ଅଧିକାରୀ ପାସ୍‌ ଅନୁମୋଦନ କରିବେ।

ସମ୍ବନ୍ଧିତ ଖବର