ମରିଗଲା ମାନବିକତା: ଗର୍ଭବତୀ କୁକୁରକୁ ପିଟି ମାରିଦେଲେ ମହିଳା!

ଅସ୍ତ୍ରୋପଚାର ପରେ ଜନ୍ମ ନେଲେ ଦୁଇ ଛୁଆ, ଛୁଆର ମୁହଁ ଦେଖିବା ଆଗରୁ ଆଖି ବୁଜିଲା ମା’
ଭୁବନେଶ୍ବର: ଖାଦ୍ୟ ବଦଳରେ ମିଳିଲା ପାହାର। ନିଜ ପାଇଁ ନୁହେଁ, ପେଟରେ ଥିବା ଛୁଆଙ୍କ ପାଇଁ ଯାଇଥିଲା ଦାନା ଗଣ୍ଡେ ପାଇଁ। କିନ୍ତୁ ମାନବିକତା ବଦଳରେ ଅମଣିଷ ପାଲଟି ଯାଇଥିଲେ ଜଣେ ମହିଳା। ଅମାନୁଷିକ ଭାବେ ଲୁହାରଡ୍‌ରେ ପିଟିପିଟି ଦରମରା କରି ଦେଇଥିଲେ ଏକ ଗର୍ଭବତୀ କୁକୁରକୁ। ହସ୍ପିଟାଲ ବେଡ୍‌ରେ ଅସ୍ତ୍ରୋପଚାର ପରେ ଦୁଇ ଛୁଆଙ୍କୁ ଜନ୍ମ ଦେଇ କୁକୁରଟି ଆଖି ବୁଜି ଦେଇଛି। ଏ ହେଉଛି ପୁରୁଣା ଭୁବନେଶ୍ବର ଶ୍ରୀରାମନଗର ଅଞ୍ଚଳରେ ଗୋଟିଏ ମା’ କୁକୁରର କାହାଣୀ।

ଲକ୍‌ଡାଉନରେ ଖାଦ୍ୟ ପାଇଁ ବୁଲା ଜୀବଜନ୍ତୁ ଡହଳବିକଳ ହେଉଥିବା ବେଳେ କିଛି ବ୍ୟକ୍ତି ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ହେଲେ ଏଠି ମରି ଯାଇଛି ମାନବିକତା। ମହିଳାଜଣକ ଖାଦ୍ୟ ଦେବା ଦୂରର କଥା କୁକୁରକୁ ପିଟି ପିଟି ମାରି ଦେଇଛନ୍ତି। ଏ ନେଇ ଆନିମଲ ଵେଲଫେୟାର ଟ୍ରଷ୍ଟ ଏକାମ୍ର ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନାରେ ସମ୍ପୃକ୍ତ ମହିଳାଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଏହି ମାଈ କୁକୁରଟି ଗତ ୨୧ତାରିଖରେ ଶ୍ରୀରାମନଗର ଅଞ୍ଚଳରେ ଖାଦ୍ୟ ଅନ୍ବେଷଣରେ ଜଣେ ବ୍ୟକ୍ତିଙ୍କ ଘରକୁ ପଶି ଯାଇଥିଲା। କୁକୁରଟି ଭୁକୁଥିବା ବେଳେ ଜଣେ ମହିଳା ଘରୁ ବାହାରି ଏକ ଲୁହାରଡ୍‌ରେ ନିସ୍ତୁକ ମାଡ଼ ମାରିଥିଲେ। କୁକୁରଟି ଦରମରା ଅବସ୍ଥାରେ ନିକଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିବା ବେଲେ ସମ୍ପୃକ୍ତ ମହିଳାଙ୍କର ଜଣେ ପଡ଼ୋଶୀଙ୍କଠାରୁ ଖବର ପାଇ ଆନିମଲ ୱେଲଫେୟାର ଟ୍ରଷ୍ଟର ସଦସ୍ୟ ସେଠାରେ ପହଞ୍ଚିଥିଲେ। ରାତିରେ ଗୁରୁତର ଅବସ୍ଥାରେ କୁକୁରକୁ ଉଦ୍ଧାର କରି ଏକ ଘରୋଇ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅଲଟ୍ରାସାଉଣ୍ଡ ପରେ କୁକୁର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଗତ ୨୬ ତାରିଖରେ ଅସ୍ତ୍ରୋପଚାର ପରେ ଦୁଇଟି ଛୁଆ ଜନ୍ମ ନେଇଥିଲେ। ଗୁରୁତର ଥିବା ମା’ କୁକୁର ଛୁଆଙ୍କ ମୁହଁ ଦେଖି ପାରି ନ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୋଟିଏ ଛୁଆ ଗତକାଲି ଆଖି ବୁଜିଥିବା ବେଳେ ମା’ କୁକୁରର ଆଜି ମୃତ୍ୟୁ ହୋଇଥିଲା। ଆଉ ଗୋଟିଏ ଛୁଆ କୁକୁରର ସଂକାଟପନ୍ନ ଅବସ୍ଥାରେ ଚିକିତ୍ସା ଚାଲିଛି।
ଅପରପକ୍ଷରେ ସେମିତି କୌଣସି ଘଟଣା ଘଟି ନାହିଁ କିମ୍ବା ଯାହା ନାଁରେ ଅଭିଯୋଗ ଆସିଛି ସେପରି କୌଣସି ମହିଳା ସେଠାରେ ରହୁନାହାନ୍ତି ବୋଲି ଅନୁସନ୍ଧାନରୁ ଜଣା ପଡ଼ିଥିବା ପୁଲିସ କହିଛି। ଗତ ରବିବାର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଟିଏ କୁକୁରକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କିଛି ମାସ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୪ କୁକୁର ଛୁଆଙ୍କ ଉପ‌ରେ କାର୍‌ ଚଢ଼ାଇ ହତ୍ୟା ଅଭିଯୋଗ ମାମଲାରେ ଜଣେ କାର ଚାଳକ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର