ଯୁବ ବ୍ୟବସାୟୀଙ୍କ ନିଆରା ପ୍ରୟାସ : ଷଣ୍ଢ ପାଇଁ ଏକାଦଶାହ

ଚାଲିଥିଲା ଏକାଦଶାହ। ଜମିଥିଲା ଭଜନ ସହ ଭୋଜନର ଆସର। ହିନ୍ଦୁ ରୀତିରେ ହୋଇଥିଲା କର୍ମକାଣ୍ଡ ସହ ଭୋଜିରେ ଆପ୍ୟାୟିତ ହୋଇଥିଲେ ୩ ହଜାରରୁ ଊର୍ଧ୍ୱ ସ୍ଥାନୀୟ ବାସିନ୍ଦା। ତେବେ ମଣିଷ ନୁହେଁ ବରଂ ଏକ ଷଣ୍ଢର ଏକାଦଶାହରେ ଏମିତି ଏକ ଆୟୋଜନ କରିଥିଲା ‘ଧବଳେଶ୍ୱର ସଂଘ’।

ୟୁନିଟ୍‌ ୧ସ୍ଥିତ ପେଟ୍ରୋଲ୍‌ ପମ୍ପ୍‌ ପାର୍‌ ହେଉ ହେଉ ନଜରରେ ପଡ଼ିଥିଲା ଏକ ବ୍ୟାନରରେ ଲେଖାଯାଇଥିବା କିଛି ନିଆରା ଶବ୍ଦ ‘ସ୍ୱର୍ଗଗାମୀ ବୃଷଭର ଅନ୍ତ୍ୟେଷ୍ଟିକ୍ରିୟା ପାଳନ’। ଏହା ଦେଖି ଆମ ମନରେ କୌତୂହଳ ଜାତ ହୋଇଥିଲା। ସଂଘ ନିକଟରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଆୟୋଜନ ବାବଦରେ ଶୁଣି ତାଜୁବ୍‌ ହୋଇ ଯାଇଥିଲୁ। କିନ୍ତୁ ସଂଘର କିଛି ଯୁବ ବ୍ୟବସାୟୀଙ୍କ ଏହି ଅଭିନବ ଉଦ୍ୟମ ଯିଏ ବି ଦେଖୁଥିଲା, ନିଶ୍ଚେ କ୍ଷଣେ ଅଟକିଯିବାକୁ ବାଧ୍ୟ ହେଉଥିଲା।

ଭୁବନେଶ୍ୱର ସ୍ଥିତ ୧ ନମ୍ବର ପେଟ୍ରୋଲ ପମ୍ପ ପାଖରେ ଅଛି କିଛି ଫୁଲ ଦୋକାନ। ଏହି ଫୁଲ ଦୋକାନୀମାନେ ବୁଲା ପଶୁପକ୍ଷୀ ଦୁର୍ଘଟଣାଗ୍ରସ୍ତ ହେଲେ ତାଙ୍କର ସେବା ସୁଶ୍ରୂଷା କରନ୍ତି। କିଛିଦିନ ହେଲା ନିକଟରେ ସଂପୃକ୍ତ ଷଣ୍ଢଟି ବୁଲାବୁଲି କରୁଥିଲା। ଦୋକାନୀମାନେ ଯାହା ଖାଇବାକୁ ଦିଅନ୍ତି ଖାଇ ସେଇଠାରେ ଶୋଇଯାଉଥିଲା। କିନ୍ତୁ ଜାନୁଆରି ୨୮ ତାରିଖରେ ହଠାତ ଷଣ୍ଢଟି ପଡ଼ିଯାଇଥିଲା। ଏହା ଦେଖି ଦୋକାନୀମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଚିକିତ୍ସା ସତ୍ତ୍ୱେ ଷଣ୍ଢଟି ପ୍ରାଣ ହରାଇଥିଲା। ମଲାପରେ ସଂଘର ସଦସ୍ୟମାନେ ତାର ଅନ୍ତିମ ସଂସ୍କାର କରିଥିଲେ। ଏଭଳି ମର୍ମସ୍ପର୍ଶୀ ଆୟୋଜନ ପ୍ରମାଣିତ କରୁଥିଲା ଯେ ଏବେ ବି ଜୀବେ ଦୟାର ଭାବ ସମାଜରେ ଅତୁଟ ରହିଛି।

ସମ୍ବନ୍ଧିତ ଖବର