ଏକାମ୍ର କ୍ଷେତ୍ରକୁ ପର୍ଯ୍ୟଟକ ସାହା

ପୁରୁଣା ଭୁବନେଶ୍ବର : ବିଶ୍ୱରେ କରୋନା ଭାଇରସ୍‌ ତାର କାୟା ବିସ୍ତାର କରି ଚାଲିଛି। ସାରା ଦେଶରେ ଆସନ୍ତା ମେ’ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ରହିଛି।

ଏହି ଲକ୍‌ଡାଉନ୍‌ ଯୋଗୁଁ ମନ୍ଦିରକୁ ଦର୍ଶନ ବନ୍ଦ ସହ ଦୋକାନ ବଜାର ବନ୍ଦ ରହିଛି। ଯାହା ଫଳରେ ପର୍ଯ୍ୟଟକଙ୍କ ଆଗମନକୁ ନିର୍ଭର କରି ଯେଉଁମାନେ ପେଟ ପୋ‌ଷନ୍ତି ସେମାନେ ଏବେ ଘରେ ହାତ ବାନ୍ଧି ବସିଛନ୍ତି। ଲକ୍‌ଡାଉନ୍‌ ପ୍ରଭାବରେ ପର୍ଯ୍ୟଟନସ୍ଥଳୀ ଏକାମ୍ର କ୍ଷେତ୍ର ଖାଁ ଖାଁ ହୋଇପଡ଼ିଛି। ଯେଉଁଠି ରାତି ପାହିଲେ ବିଭିନ୍ନ ରାଜ୍ୟ ତଥା ଦେଶ ବିଦେଶ ପର୍ଯ୍ୟଟକଙ୍କ ବସ୍‌ ଓ କାର ଆସି ଗହଳି ଚହଳି ହୁଏ ଏହା ଆଉ ଦେଖିବାକୁ ମିଳୁନାହିଁ। ସବୁ ବନ୍ଦ ଯୋଗୁଁ ମନ୍ଦିର ନିକଟ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି। ମନ୍ଦିର ନିକଟ ଓ ବଡ଼ଦାଣ୍ଡରେ ଥିବା କୋରାଖଇ ବ୍ୟବସାୟ ଉପରେ ପ୍ରଭାବ ପଡ଼ିଛି। ରଥ ଦାଣ୍ଡରେ ଦିନକୁ ୫୦ରୁ ୮୦କିଲୋ କୋରାଖଇ ବିକ୍ରି କରୁଥିବା ବ୍ୟବସାୟୀ ଏବେ ଘରେ ବସି ଲକ୍‌ଡାଉନ୍‌ ଖୋଲିବାକୁ ଅପେକ୍ଷା କରିଛନ୍ତି। ହେଲେ ଏହି ଲକ୍‌ଡାଉନ୍‌ ଯୋଗୁଁ ବଡ଼ କ୍ଷତି ହୋଇଛି ମନ୍ଦିର ଭିତରେ ଓ ବାହାରେ କରିଥିବା ୫୦ରୁ ଉର୍ଧ୍ବ ଭୋଗ, ଦୀପ ଓ ଫୁଲ ଦୋକାନୀ ଓ ସହଯୋଗୀଙ୍କର।

ପ୍ରତିଦିନ ଫୁଲ ବେଲ ପତ୍ର ତୋଳି ବିକ୍ରି କରି ନିଜ ଘରର ଗୁଜୁରାଣ ମେଣ୍ଟାଇଥାନ୍ତି। ସେହିପରି ପ୍ରାୟ ୩ଶହରୁ ଅଧିକ ଧୁଳିଆ ସେବାୟତ ପ୍ରତିଦିନ ବଡି ଭୋରୁ ରାତିର ପହୁଡ ପର୍ଯ୍ୟନ୍ତ ମନ୍ଦିରରେ ରହୁଥିଲେ। ପର୍ଯ୍ୟଟକଙ୍କୁ ମନ୍ଦିର ବୁଲାଇ ଯାହା ଅର୍ଥ ଉପାର୍ଜନ କରନ୍ତି ସେଥିରେ ଘର ଚଳୁଥିଲା। ଏବେ ସେମାନେ ପରିବାର ସହ ସମୟ କାଟୁଛନ୍ତି। ଏବେ ଅର୍ଥ ଉପାର୍ଜନର ବାଟ ବନ୍ଦ ହୋଇଯାଇ ଥିବାରୁ ଚିନ୍ତାରେ ମଧ୍ୟ ଅଛନ୍ତି। ସେହିପରି ପର୍ଯ୍ୟଟକ ଆଗମନରେ ଦୁଇଟି ଧର୍ମଶାଳା, ହୋଟେଲ, ଲଜ୍‌, ହସ୍ତଶିଳ୍ପ ଓ ଅନ୍ୟ ବ୍ୟବସାୟୀମାନେ ହାତବାନ୍ଧି ବସିଛନ୍ତି। ସେମାନଙ୍କ ଜୀବନ ଏକପ୍ରକାର ଦୁର୍ବିଷହ ହୋଇପଡ଼ିଛି। କେବଳ କେବେ ଲକ୍‌ଡାଉନ୍‌ ଉଠିବ ଓ ପର୍ଯ୍ୟଟକଙ୍କ ଆଗମନ ହେବ ତାକୁ ହିଁ ଅପେକ୍ଷା କରି ରହିଛନ୍ତି ସମ‌ସ୍ତେ।

ସମ୍ବନ୍ଧିତ ଖବର