ବିଦ୍ୟୁତ ଆଘାତରେ ଇନ୍‌ଡୋର ହଲ୍‌ କର୍ମଚାରୀଙ୍କ ମୃତ୍ୟୁ

କ୍ଷତିପୂରଣ, ପୁଅକୁ ଚାକିରି ଦାବିରେ ଧାରଣା

ଭୁବନେଶ୍ୱର: ବୁଧବାର ଅପରାହ୍‌ଣରେ ବିଦ୍ୟୁତ୍‌ ଆଘାତରେ ୟୁନିଟ୍‌-୯ ଫ୍ଲାଟ୍‌ ଅଞ୍ଚଳର ଦୁଇ ଯା’ଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ସହିଦନଗର ଇନ୍‌ଡୋର୍‌ ହଲ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ନାଁ ଗୌତମ ଚରଣ ସାହୁ(୪୩)। ଘର ପିପିଲି ଥାନା ଅଧୀନ ବଉଳ ଅଞ୍ଚଳ। ଗୌତମଙ୍କ ମୃତ୍ୟୁକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରତିବାଦରେ ଅନ୍ୟ କର୍ମଚାରୀମାନେ ଶବକୁ ନୂଆପଲ୍ଲୀ ନୂଆସାହି ସ୍ଥିତ ସ୍ପୋର୍ଟସ ନିର୍ଦେଶାଳୟ ସମ୍ମୁଖରେ ରଖି ଧାରଣା ଦେଇଥିଲେ। ପୁଅକୁ ଚାକିରି ଓ କ୍ଷତି ପୂରଣ ବାବଦକୁ ୧୦ଲକ୍ଷ ଟଙ୍କା ଦେବା ନେଇ ଉତ୍ତ୍ୟକ୍ତ କର୍ମଚାରୀମାନେ ଦାବି କରିଥିଲେ। ପୁଲିସ ସୂଚନା ମୁତାବକ, ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଗୌତମ ଇନ୍‌ଡୋର ହଲ୍‌ ବାହାରେ କାମ କରୁଥିଲେ। ହଲ୍‌କୁ ପାଣି ନଆସିବାରୁ କେହି ଜଣେ କର୍ମଚାରୀ ମଟର ଚଲାଇବା ପାଇଁ ଗୌତମଙ୍କୁ କହିଥିଲେ। ଗୌତମ ମଟର୍‌ ସୁଇଚ୍‌ ଚିପିବା ମାତ୍ରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଚିତ୍କାର କରି ସେ ସେଠାରେ ପଡ଼ି ଯାଇଥିଲେ। ପାଟିଶୁଣି ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେ ବେହୋସ ହୋଇ ତଳେ ପଡ଼ିଥିଲେ। ତାଙ୍କ ବାମ ହାତ ସମ୍ପୂର୍ଣ୍ଣ କଳା ପଡ଼ିଯାଇଥିଲେ। କର୍ମଚାରୀମାନେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଶବ ଜବତ କରିଥିଲା। ପୁଲିିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ କର୍ମଚାରୀମାନେ ଗୌତମଙ୍କ ଶବକୁ ଧରି ସ୍ପୋର୍ଟସ ନିର୍ଦେଶାଳୟରେ ପହଞ୍ଚିଥିଲେ। ସେଠାରେ ଶବ ରଖି ପୁଅକୁ ଚାକିରି ଓ କ୍ଷତିପୂରଣ ଦାବି କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା।

ସମ୍ବନ୍ଧିତ ଖବର