ଫନି ପରେ ଇଲେକ୍ଟ୍ରୋନିକ୍ସ ବଜାର : ମାଡ଼ ଖାଇଲା ୫୦ କୋଟିର କାରବାର

ଭୁବନେଶ୍ବର, (ରୁଦ୍ର ପ୍ରସାଦ ଜେନା): ଖରାଦିନ ଆସି ଯାଇଥିଲା। ଏଥିସହିତ ଅକ୍ଷୟ ତୃତୀୟା ଏବଂ ବିବାହ ଋତୁ ମଧ୍ୟ। ଟିଭି, ରେଫ୍ରିଜରେଟର, ଏସି, କୁଲର, ‌ୱାସିଂ ମେସିନ ଭଳି ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନେ ଭଲ ବେପାର କରିବେ ବୋଲି ଆଶା ବାନ୍ଧି ବସିଥିଲେ। କମ୍ପାନିଗୁଡ଼ିକରୁ ଅଧିକ ମାତ୍ରାରେ ସାମଗ୍ରୀ ଆଣିଥିଲେ। ସାଧାରଣତଃ ଗ୍ରୀଷ୍ମ ଋତୁରେ ସୋ’ରୁମଗୁଡ଼ିକ ବିକ୍ରି କରୁଥିବା ସମୁଦାୟ ସାମଗ୍ରୀ ମଧ୍ୟରୁ କୁଲିଂ ସାମଗ୍ରୀର ଅଂଶ ପ୍ରାୟ ୭୦ ପ୍ରତିଶତ ରହିଥାଏ। ତେଣୁ ଏସି, ଫ୍ୟାନ, ରେଫ୍ରିଜରେଟର, କୁଲର୍‌ ଭଳି ଉତ୍ପାଦକୁ ବ୍ୟାପକ ମାତ୍ରାରେ ସୋ’ରୁମ୍ ଗୁଡ଼ିକରେ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ୩ ତାରିଖରେ ମାଡ଼ି ଆସିଲା ସାମୁଦ୍ରିକ ଝଡ଼ ‌ଫନି। ସବୁକିଛି ଛାରଖାର କରିଦେଲା। ରାଜ୍ୟର ୧୪ଟି ଜିଲ୍ଲାରେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବିଦ୍ୟୁତ୍, ଇଣ୍ଟରନେଟ୍ ଏବଂ ଟେଲିଫୋନ୍ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଲା। ବିଜୁଳି ନଥିବାରୁ ‌ସୋ’ରୁମ୍ ଗୁଡ଼ିକ ପ୍ରାୟ ୧୦/୧୨ ଦିନ ବନ୍ଦ ରହିଲା। ରାଜ୍ୟର ୧୪ଟି ଜିଲ୍ଲାରେ ବାତ୍ୟା ଫନି ବ୍ୟବସାୟକୁ ପ୍ରଭାବିତ କରିଥିଲେ ବି ଭୁବନେଶ୍ବର, କଟକ ଏବଂ ପୁରୀରେ ବ୍ୟବସାୟ ଅଧିକ ପ୍ରଭାବିତ ହୋଇଛି। ଗତ ୧୫ ଦିନ ମଧ୍ୟରେ ଫନି ପ୍ରଭାବିତ ୩ଟି ପ୍ରମୁଖ ସହରରେ ପ୍ରାୟ ୫୦ କୋଟି ଟଙ୍କାର ବ୍ୟବସାୟ ଠପ୍ ହୋଇଯାଇଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବ୍ୟବସାୟୀଙ୍କ ମତ‌ରେ ବିମୁଦ୍ରୀକରଣ ପରେ ଗ୍ରାହକଙ୍କୁ କ୍ୟାସଲେସ୍ କାରବାର ସହିତ ଅଭ୍ୟସ୍ତ କରି ଦିଆଯାଇଥିଲା। ବାତ୍ୟା ପରେ ଏଟିଏମ୍ କାମ ନକରିବାରୁ ଲୋକମାନେ ଟଙ୍କା ଉଠାଇ ପାରିଲେ ନାହିଁ। ଲୋକଙ୍କ ପାଖରେ ଯାହା ପଇସା ଥିଲା ସେମାନେ ବାତ୍ୟା ପରେ ଜେନେରେଟର, ଇନଭର୍ଟର କିଣିବା, ଜେନେରେଟର୍‌ରେ ଟାଙ୍କିକୁ ପାଣି ଉଠାଇବା, ଭାଙ୍ଗି ଯାଇଥିବା ଘର ଏବଂ ପାଚେରିକୁ ସଜାଡ଼ିବା, ସ୍କୁଲ, କଲେଜରେ ପିଲାଙ୍କ ନାମ ଲେଖାଇବା ଆଦି ବାବଦରେ ଅର୍ଥ ଖର୍ଚ କରିବାକୁ ଅଗ୍ରାଧିକାର ଦେଲେ। ତେଣୁ ଏସି ଏବଂ ରେଫ୍ରିଜରେଟର ଭଳି ସାମଗ୍ରୀ କ୍ରୟକୁ ଘୁଞ୍ଚାଇ ଦେଲେ। ତେଣୁ ଦୋକାନକୁ ନୂଆ ସାମଗ୍ରୀ କିଣିବା ପାଇଁ ଗ୍ରାହକମାନେ ଏବେ ପ୍ରାୟତଃ ଆସୁନାହାନ୍ତି। ପୂର୍ବରୁ କିଣିଥିବା ସାମଗ୍ରୀ ବାତ୍ୟାରେ ଖରାପ ହୋଇଯାଇଥିବାରୁ ସେଗୁଡ଼ିକୁ ସଜାଡ଼ିବା ପାଇଁ ଗ୍ରାହକମାନେ କମ୍ପାନିର ସର୍ଭିସ ସେଣ୍ଟର ସହିତ ଯୋଗାଯୋଗ କରୁଛନ୍ତି। କିନ୍ତୁ ଇଣ୍ଟରନେଟ୍ ଏବଂ ଟେଲିଫୋନ ସେବା ଠିକ୍‌ରେ କାର୍ଯ୍ୟ କରୁ ନଥିବାରୁ ସେମାନେ ଏଥିରେ ବିଫଳ ହେଉଛନ୍ତି। ତେଣୁ ପୁରୁଣା ଗ୍ରାହକମାନେ ସୋ’ରୁମ୍‌କୁ ବିକ୍ରି ପରବର୍ତୀ ସେବା ପାଇବା ପାଇଁ ଆସୁଛନ୍ତି। ସୋ’ରୁମ୍ ଗୁଡ଼ିକ ମଧ୍ୟ ଗ୍ରାହକମାନେ ‌କିଭଳି ସେମାନଙ୍କ ସାମଗ୍ରୀର ମରାମତି କରିବେ ‌ତାହା ଉପରେ ଗୁରୁତ୍ବ ଦେଉଛନ୍ତି। ତେଣୁ ନୂଆ ସାମଗ୍ରୀ ବିକ୍ରି ଆଶାତୀତ ଭାବେ କମିଯାଇଛି ବୋଲି ଏହି ଟ୍ରେଡ୍ ସହ ସଂପୃକ୍ତ ବ୍ୟବସାୟୀମାନେ ମତ ଦେଇଛନ୍ତି।

ସ୍ଥିତି ଠିକ୍ ହେବାକୁ ମାସେ ଲାଗିଯିବ
ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ ବ୍ୟବସାୟର ସ୍ଥିତି ଠିକ୍ ହେବାକୁ ପ୍ରାୟ ମାସେ ଲାଗିଯିବ। କାରଣ ଲୋକଙ୍କ ଘରଦ୍ବାର ଭାଙ୍ଗିବା ସହିତ ସୋ’ରୁମ୍‌ ଗୁଡ଼ିକର ମଧ୍ୟ କ୍ଷତି ହୋଇଛି। ତାହାକୁ ସଜଡ଼ାସଜଡ଼ି କରିବାରେ ଏବେ ବ୍ୟବସାୟୀମାନେ ବ୍ୟସ୍ତ ଅଛନ୍ତି। ଏତଦ୍‌ବ୍ୟତୀତ ସୋ’ରୁମ୍‌କୁ ଗ୍ରାହକ ନୂଆ ସାମଗ୍ରୀ କିଣିବାକୁ ଆସିବା ପରିବର୍ତେ ପୂର୍ବରୁ କ୍ରୟ କରିଥିବା ସାମଗ୍ରୀ ସଜାଡ଼ିବାକୁ ଅଧିକ ସଂଖ୍ୟାରେ ଆସୁଛନ୍ତି। ଲୋକଙ୍କ ଅବସ୍ଥା ସ୍ବାଭାବିକ ଏବଂ ବିଜୁଳି ଠିକ୍‌ରେ ନଆସିବା ପର୍ଯ୍ୟନ୍ତ ଇଲେକଟ୍ରୋନିକ୍ସ ସାମଗ୍ରୀ ବିକ୍ରି ସ୍ବାଭାବିକ ହୋଇପାରିବ ନାହିଁ।
ଦେବରାଜ ରଥ, ସତ୍ବାଧିକାରୀ, ସ୍ପେକ୍ଟ୍ରାଭିଜନ, ଭୁବନେଶ୍ବର

ପୂର୍ବଭଳି ଗ୍ରାହକ ଆସୁନାହାନ୍ତି
ଭୁବନେଶ୍ବରରେ ୧୦/୧୨ ଦିନ ଧରି ବିଜୁଳି ଆସିଲା ନାହିଁ। ସୋ’ରୁମ୍ ବନ୍ଦ ରହିଲା। ‌ଗ୍ରାହକ ସାମଗ୍ରୀ କିଣିପାରିଲେ ନାହିଁ। ଦୀର୍ଘଦିନ ପରେ ବିଜୁଳି ଆସିଲେ ମଧ୍ୟ ଏପର୍ଯ୍ୟନ୍ତ ନିରନ୍ତର ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରି ନାହିଁ। ୫ ମିନିଟ ରହିଲେ ଦୀର୍ଘସମୟ କଟିଯାଉଛି। ବିଜୁଳି ସଂଯୋଗରେ ଫଲ୍ଟ ରହୁଥିବାରୁ ବୈଦ୍ୟୁତିକ ସାମଗ୍ରୀ ଗୁଡ଼ିକ ପୋଡ଼ି ନଷ୍ଟ ହୋଇଯାଉଛି। ଟିଭି ଆଣ୍ଟିନା ଉଡ଼ିଯାଇଛି। ଜିନିଷ କିଣିବାକୁ ଗ୍ରାହକମାନେ ଯେଉଁଭଳି ଆସିବା କଥା ତାହା ହେଉନଥିବାରୁ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି।
ପ୍ରକାଶ ବିଶ୍ବାଳ, ସ୍ବତ୍ବାଧିକାରୀ, ରାଜ୍ ଇଲେକଟ୍ରୋନିକ୍ସ, ଭୁବନେଶ୍ବର

ଗ୍ରାହକ ନିରୁତ୍ସାହିତ ହୋଇଯାଇଛନ୍ତି
ଫନି ବାତ୍ୟା ପ୍ରଭାବିତ ‌ଅଞ୍ଚଳର ଲୋକମାନେ ଏବେ ବି କଷ୍ଟକର ଜୀବନ ବଞ୍ଚୁଛନ୍ତି। ଗ୍ରାହକମାନେ ନିରୁତ୍ସାହିତ ହୋଇଯାଇଛନ୍ତି। ଟଙ୍କା ଉଠାଇ ହେଉ ନଥିବାରୁ ଲୋକଙ୍କ ପାଖରେ ଟଙ୍କା ନାହିଁ। କାର୍ଡରେ ମଧ୍ୟ ପେମେଣ୍ଟ ହେବା କଷ୍ଟ ହେଉଛି। ସହର ‌ଲୋକେ ନିଜ ପାଖରେ ଯାହା କିଛି ଟଙ୍କା ରଖିଥିଲେ ବାତ୍ୟା ପରେ ପାଣି କିଣିବାରେ ଖର୍ଚ୍ଚ କରିଛନ୍ତି। ଏଥିଯୋଗୁ ଇଲେକଟ୍ରୋନିକ୍ସ ବଜାର ମାତ୍ରାଧିକ ପ୍ରଭାବିତ ହୋଇଛି। ଏହି ବଜାର ସ୍ବାଭାବିକ ହେବାକୁ ୨୫ରୁ ୩୦ ଦିନ ଲାଗିଯିବ।
ପିଙ୍କି ହଂସ, ସ୍ବତ୍ବାଧିକାରୀ, ହିନ୍ଦୁସ୍ତାନ ଇଲେକଟ୍ରୋନିକ୍ସ, ଭୁବନେଶ୍ବର

ସମ୍ବନ୍ଧିତ ଖବର