ଘନେଇଲାଣି ବିଜୁଳି ଓ ପାଣି ସଂକଟ, ବଢ଼ୁଛି ଅସନ୍ତୋଷ

ଖଣ୍ଡଗିରି: ବାତ୍ୟା ଫନିକୁ ୧୦ ଦିନ ବିତିଲା। ଲୋକଙ୍କ ନିକଟରେ ପହଞ୍ଚି ପାରିଲାନି ପାନୀୟ ଜଳ ଓ ବିଜୁଳି। ସାଙ୍ଗକୁ ଅସହ୍ୟ ଗରମ। ଫଳରେ ଜୀବନ ଛଟପଟ ହେଲାଣି ଓ ଲୋକଙ୍କ ଧୈର୍ଯ୍ୟଚ୍ୟୁତ ହେଲାଣି। ତେଣୁ କେଉଁଠି ଲୋକେ ରାଜପଥ ଅବରୋଧ କଲେଣି ତ କେଉଁଠି ସରକାରୀ କାର୍ଯ୍ୟାଳୟକୁ ଘେରାଉ କଲେଣି। ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀମାନଙ୍କୁ ଲୋକେ ଅଟକ ରଖିଲେଣି। ତେବେ ଏହି ଛୋଟମୋଟ ଗଣ୍ଡଗୋଳ ଆଗକୁ ବଢ଼ିବା ଆଶଙ୍କା ଜଳଜଳ ହୋଇ ଦିଶିଲାଣି। ଏ ହେଉଛି ରାଜଧାନୀ ଉପକଣ୍ଠ ଅଞ୍ଚଳର ଅବସ୍ଥା। ଯଦି ବିଜୁଳି ଓ ପାନୀୟ ଜଳ ଯୋଗାଣ ସଂକଟ ତୁରନ୍ତ ସମାଧାନ ନ ହୁଏ, ଆଗାମୀ ଦିନରେ ବଡ଼ ଧରଣର ଗଣ୍ଡଗୋଳ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ସୂଚନାନୁସାରେ ଭୁବନେଶ୍ବର ବ୍ଲକର ତମାଣ୍ଡୋ, ନଁପୁଟ ଓ ଜଟଣୀ ବ୍ଲକର ଯାଁଳା, ମଦନପୁର, ଗଙ୍ଗପଡ଼ା, ଅଙ୍ଗାରପଡ଼ା ଓ ପଞ୍ଚୁପଲ୍ଲୀ ଆଦି ଅଞ୍ଚଳରେ ଏ ପର୍ଯ୍ୟନ୍ତ ବିଦ୍ୟୁତ୍ ଲାଇନ୍ ମରାମତି ହୋଇ ପାରିନାହିଁ। ଫଳରେ ଏ ସବୁ ଅଞ୍ଚଳ‌ରେ ବସୁଧା ଯୋଜନା ଏକ ପ୍ରକାର ଠପ୍ ହୋଇ ଯାଇଛି। ପାଇପ୍ ଜଳଯୋଗାଣ ବନ୍ଦ ହୋଇଯିବାରୁ ‌ଲୋକମାନେ ପଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଉଥିଲେ ବି ତାହା ଯଥେଷ୍ଟ ହେଉନାହିଁ। ସୁବଦିନ ସବୁ ଗାଁକୁ ବା ୱାର୍ଡକୁ ଟ୍ୟାଙ୍କର ଜଳ ଯୋଗାଣ ହୋଇପାରୁନାହିଁ। ପୁଣି ଟ୍ୟାଙ୍କର ଜଳ ଯୋଗାଣ ପାତରଅନ୍ତର ନୀତିରେ ଚାଲିଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକ ପ୍ରତିନିଧିମାନେ ନିଜ ଭୋଟରଙ୍କୁ ଟ୍ୟାଙ୍କର ଜଳ ଦେଉଥିବାବେଳେ ଅନ୍ୟମାନେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଫଳରେ ବହୁ ପଞ୍ଚାୟତରେ ଗଣ୍ଡଗୋଳ ଦେଖିବାକୁ ମିଳୁଛି। ଅସହ୍ୟ ଗରମ ସାଙ୍ଗକୁ ପଇବା ପାଣି ଅଭାବ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ତୁରନ୍ତ ବିଜୁଳି ଯୋଗାଣ ଦାବିରେ ଗତକାଲି କଳିଙ୍ଗନଗର ଲୋକେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ସେହିଭଳି କଳିଙ୍ଗନଗର ସେସୁ କର୍ମଚାରୀଙ୍କୁ ବାରମ୍ବାର ଧମକ ମିଳୁଥିବାରୁ ସେମାନଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଛି। ସମାନ ଅବସ୍ଥା ଯାଁଳା ସେସୁ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି। ଏଠାରେ ଲୋକେ ସେସୁ ଓ ଫେଡ୍‌କୋ ଉପରେ ରାଗି ରହିଛନ୍ତି। ସ୍ଥାନୀୟ ଲୋକଙ୍କ ସହ‌ଯୋଗରେ କେବଳ କିଛି ବିଦ୍ୟୁତ୍ ଖୁଣ୍ଟ ପୋତା ସରିଥିଲେ ବି ତାର ଟଣା କାମ କରାଯାଉନାହିଁ। ଫଳରେ ଏ ଅଞ୍ଚଳରେ ବିଦ୍ୟୁତ୍ ସେବା ମିଳୁମିଳୁ ଆହୁରି କିଛି ଦିନ ଲାଗିବ ବୋଲି ଜଣାପଡ଼ିବା ପରେ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଲାଣି।

ସମ୍ବନ୍ଧିତ ଖବର