ଚନ୍ଦକା ଜଙ୍ଗଲରେ ବନ୍ଦୀ ଥିବା ଯାଜପୁରର ନରହନ୍ତା ଦନ୍ତା ହାତୀ ନରସିଂହାକୁ ମାରିଦେଲେ

ଅନୁପଯୁକ୍ତ ଚିକିତ୍ସା ଓ ଖାଦ୍ୟାଭାବ କାଳ ହେଲା, ଛଟପଟ ହୋଇ ଜୀବନ ଗଲା, ଦାୟୀ କିଏ?

ଭୁବନେଶ୍ବର : ସୋମବାର ସକାଳ ପ୍ରାୟ ୮ଟାବେଳେ ଚନ୍ଦକା ଜଙ୍ଗଲରେ ବନ୍ଦୀ ଥିବା ଯାଜପୁରର ନରହନ୍ତା ଦନ୍ତା ହାତୀ ନରସିଂହା ଶେଷ ନିଃଶ୍ବାସ ତ୍ୟାଗ କରିଛି। କୁମାରଖୁଣ୍ଟିରେ ବନ୍ଦୀ ଅବସ୍ଥାରେ ରୋଗ ଯନ୍ତ୍ରଣାରେ ଛାଟିପିଟି ହୋଇ ସେ ଅକାଳରେ ଆଖି ବୁଜିଛି। ଚାରି ଗୋଡ଼ରେ ହୋଇଥିବା ଘା’ ସବୁ ଉପଯୁକ୍ତ ଚିକିତ୍ସା ଅଭାବ ଯୋଗୁଁ ନ ଶୁଖିବାରୁ ସଂକ୍ରମଣଜନିତ ରୋଗରେ ତା’ର ମୃତ୍ୟୁ ହୋଇଛି। ତିନି ସପ୍ତାହ ମଧ୍ୟରେ ପ୍ରାୟ ଚାରିଚାରି ଥର ନିଶ୍ଚେତକ ପ୍ର‌ୟୋଗ ଓ ଖାଦ୍ୟାଭାବ କାରଣରୁ ଯୁବ ଦନ୍ତା ହାତୀଟି ଅକାଳରେ ମୃତ୍ୟୁବରଣ କରିଛି। ବନ ବିଭାଗର ଦାୟିତ୍ବହୀନତା ଓ ଅପରିଣାମଦର୍ଶିତା ନରସିଂହାର ମୃତ୍ୟୁ ପାଇଁ ଦାୟୀ ବୋଲି ଅଭିଯୋଗ ହେଉଛି। ବନ ବିଭାଗ ହିଁ ଦନ୍ତା ହାତୀକୁ ଜାଣି ଜାଣି ହତ୍ୟା କରିଛି ବୋଲି ବି‌ଶେଷଜ୍ଞମାନେ ଅଭିଯୋଗ କରିଛନ୍ତି। ତେଣୁ ଏଥିପାଇଁ କାହାକୁ ଦାୟୀ କରାଯିବ ଓ କାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୨୮ ତାରିଖରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ଏହି ଦନ୍ତା ହାତୀକୁ ରାତାରାତି ଯାଜପୁରରୁ ଚନ୍ଦକା ଅଣାଯାଇଥିଲା। ଯାଜପୁରରୁ ଚନ୍ଦକା ମିସନ୍‌କୁ ପୂରା ଗୋପନ ରଖାଯାଇଥିଲା ଓ ଚନ୍ଦକା କୁମାରଖୁଣ୍ଟିରେ ତା’ର ଚାରିଗୋଡ଼ ବାନ୍ଧି ପକାଇ ଦିଆଗଲା। ତା’ ଚାରି ଗୋଡ଼କୁ ଲୁହା ଶିକୁଳିରେ ବାନ୍ଧି ଦିଆଯାଇଥିଲା। ଫଳରେ ଦୁର୍ଦାନ୍ତ ଦନ୍ତା ସ୍ବାଭାବିକଭାବେ ଚଳପ୍ରଚଳ ହୋଇ ପାରିନଥିଲା। କ୍ରମେ ଛାଟିପିଟି ହେବାରୁ ଲୁହା ଶିକୁଳି ଘଷି ହୋଇ ହୋଇ ତାର ୪ଟି ଯାକ ଗୋଡ଼ରେ ଘା’ ହେଲା। ପୁଣି ସେଥିରେ ସେଥିରେ ଲୁହା ଶିକୁଳି ଘଷି ହେବା କାରଣରୁ ଘା’ କ୍ରମେ କ୍ରମେ ବଡ଼ ହେଲା ଓ ସେଥିରେ ପୋକ ହେବାକୁ ଲାଗିଲେ। ନନ୍ଦନକାନନର ଡାକ୍ତରମାନେ ତା’ର ଚିକିତ୍ସା ପାଇଁ ନିୟମିତ ଆସୁଥିଲେ ବି କିଛି ସୁଫଳ ମିଳିନଥିଲା। ପାଖ ମଡ଼ାଇ ଦେଉନଥିବାରୁ ଠିକଣାଭାବେ ଘା’ ଡ୍ରେସିଂ କରିବା ସମ୍ଭବ ହେଲା ନାହିଁ। ତେଣୁ ପୁଣି ଟ୍ରାଙ୍କୁଲାଇଜ୍ କରିବାକୁ ପଡ଼ିଲା। ଏମିତି ତା’ ଘା’ ଡ୍ରେସିଂ ପାଇଁ ପ୍ରାୟ ୩ ଥର ଟ୍ରାଙ୍କୁଲାଇଜ୍ କରିବାକୁ ପଡ଼ିଥିଲା। କ୍ରମେ ୩ଟି ଗୋଡ଼ର କ୍ଷତ ଶୁଖିବାକୁ ଲାଗିଥିଲେ ବି ପଛ ବାମ ଗୋଡ଼ର ଘା’ ‌ମୋଟେ ଶୁଖିନଥିଲା। ଏହା ମଧ୍ୟରେ ହାତୀର ଖାଦ୍ୟ ଗ୍ରହଣ କମିବାକୁ ଲାଗିଥିଲା। ମୁଖ୍ୟତଃ କେହି ତା’ ପାଖ ମାଡ଼ି ନପାରିବାରୁ ତାକୁ ଖୁଆଇବା ସମ୍ଭବ ହେଲା ନାହିଁ। ଖାଦ୍ୟାଭାବରୁ ତା’ଠାରେ ରକ୍ତହୀନତା ଦେଖାଗଲା ଓ କ୍ରମେ ତା’ର ଫୁସ୍‌ଫୁସ୍‌ ଓ ଯକୃତରେ ସଂକ୍ରମଣ ହେଲା। ଶେଷରେ ସେପ୍‌ଟିସେମିଆରେ ଆକ୍ରାନ୍ତ‌ ହୋଇ ସେ ଆଖି ବୁଜିଲା। ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନଙ୍କ ସୂଚନାନୁସାରେ ବାରମ୍ବାର ନିଶ୍ଚେତକ ପ୍ରୟୋଗ, କ୍ଷତଗୁଡ଼ିକର ଚିକିତ୍ସାରେ ଅବହେଳା ଏବଂ ପ୍ରତିକୂଳ ପରିବେଶର ଚାପ କାରଣରୁ ଯୁବଦନ୍ତାଟି ରୋଗାକ୍ରାନ୍ତ ହୋଇ ମରିଛି। ବିଶେଷଜ୍ଞମାନଙ୍କ ଅଭିଯୋଗ ଅନୁସାରେ ଉପଯୁକ୍ତ ଯୋଜନା ଅଭାବରୁ ହାତୀର ମୃତ୍ୟୁ ହୋଇଛି। ପ୍ରଥମତଃ ଟ୍ରାଙ୍କୁଲାଇଜ୍ କରି ତାକୁ ଯାଜପୁରରୁ ଆଣି ଚନ୍ଦକାରେ ବନ୍ଦୀ କରି ରଖିବା ଦରକାର ନଥିଲା। ତାକୁ ବଣାଇ କିମ୍ବା ବାମରା ଭଳି ଘନ ଜଙ୍ଗଲରେ ଛାଡ଼ି ଦେବାର ଥିଲା। ଦ୍ବିତୀୟତଃ ତା’ର ଗୋଡ଼ରେ ଘା’ ଆରମ୍ଭ ହେବା ମାତ୍ରେ ଲୁହା ଶିକୁଳି ବାହାର କରିବାର ଥିଲା। ତେଣୁ ଟ୍ରେଞ୍ଚ ଖୋଳି ମିନି ଏନ୍‌କ୍ଲୋଜର ଭିତରେ ଛଡ଼ାଯିବାର ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାର ଥିଲା। ମାତ୍ର ସେସବୁ ଯୋଜନା ପ୍ରତି ବନ ବିଭାଗ ତତ୍ପରତା ପ୍ରଦର୍ଶନ କଲା ନାହିଁ। ବଡ଼ ବଡ଼ ପଦାଧିକାରୀମାନଙ୍କ ଯୋଜନା କେବଳ ଫାଇଲ୍ ଭିତରେ ହିଁ ରହିଗଲା। ତେଣୁ ଏହି ହାତୀ ମୃତ୍ୟୁ ପାଇଁ କେବଳ ଯୋଜନା ପ୍ରସ୍ତୁତ କରିଥିବା ପଦାଧିକାରୀମା‌ନେ ହିଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏମିତି ଦିନେ ମରିଥିଲା ଶଙ୍କର
ଏମିତି ଦିନେ ମରିଥିଲା ଶଙ୍କର ୨୦୦୬ ମସିହାରେ। ଠିକ୍ ଏଭଳି ଅବହେଳାର ଶିକାର ହୋଇ ମରିଥିଲା ଦୁର୍ଦାନ୍ତ ନରହନ୍ତା ଶଙ୍କର। ଚନ୍ଦକା ଅଭୟାରଣ୍ୟରୁ ବରୁଣେଇ ପାହାଡ଼ ଦେଇ ଚାଲି ଯାଇଥିଲା ଡେଲାଙ୍ଗ, କଣାସ ଓ ପରେ ସାକ୍ଷୀଗୋପାଳ ଅଞ୍ଚଳକୁ। ବରୁଣେଇରେ ବାଟବଣା ହୋଇ ସେ ତା ସାଥୀରେ ଥିବା ଅନ୍ୟ ଦୁଇ ହାତୀଙ୍କଠାରୁ ଦୂରେଇ ଯାଇଥିଲା ଓ ସାକ୍ଷୀଗୋପାଳ ଅଞ୍ଚଳରେ ୩ ଜଣଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ୨ ଜଣ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। ତେଣୁ ଶଙ୍କରକୁ ଆୟତ୍ତ କରିବା ପାଇଁ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରିଥିଲା ଓ ତାକୁ ସଂଜ୍ଞାହୀନ ଅବସ୍ଥାରେ ଚନ୍ଦକା ଫେରାଇ ଅଣାଯାଇଥିଲା। ଯାଜପୁର ନରସିଂହା ଭଳି ସେଦିନର ଶଙ୍କରକୁ ଲୁହା ଶିକୁଳିରେ ବାନ୍ଧି ପକାଇ ଦିଆଯାଇଥିଲା। ମାତ୍ର ଟ୍ରାଙ୍କୁଲାଇଜ୍‌ ପ୍ରଭାବରୁ ଶଙ୍କର ଆଉ ସୁସ୍ଥ ହୋଇପାରିନଥିଲା। ପ୍ରାୟ ୪ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ୨୦୦୬ ଫେବ୍ରୁଆରି ମାସରେ ସେ ଆଖି ବୁଜି ଥିଲା। ପରେ ତାର କଙ୍କାଳକୁ ଆଞ୍ଚଳିକ ମ୍ୟୁଜିୟମ୍‌ରେ ସାଇତି ରଖାଯାଇଛି। ତେବେ ତେଲକୋଇର ନରହନ୍ତା ଶଙ୍କର ଟ୍ରାଙ୍କୁଲାଇଜ୍‌ ମାଡ଼ ଖାଇଥିଲେ ବି ସୌଭାଗ୍ୟକ୍ରମେ ବଞ୍ଚିଯାଇଛି। ୨୦୧୫ ମସିହାରୁ ସେ କୁମାରଖୁଣ୍ଟିରେ ଏକାକୀ ନିର୍ବାସିତ ବନ୍ଦୀ ଜୀବନ କାଟୁଛି। ବିଶେଷଜ୍ଞମାନଙ୍କ ଅଭିଯୋଗ ଅନୁସାରେ ଉପଯୁକ୍ତ ପଦ୍ଧତିରେ ଟ୍ରାଙ୍କୁଲାଇଜ୍ ନ କଲେ, ହାତୀ ଭଳି ବିଶାଳ ବନ୍ୟପ୍ରାଣୀକୁ ବଞ୍ଚାଇବା ସମ୍ଭବ ନୁହେଁ। କାରଣ ଟ୍ରାଙ୍କୁଲାଇଜ୍ ପରେ ହାତୀ ତଳେ ପଡ଼ିଗଲେ ଆଉ ତାକୁ ବଞ୍ଚାଇ ରଖିବା ସମ୍ଭବ ହୋଇନଥାଏ।

ସମ୍ବନ୍ଧିତ ଖବର