ଭୁବନେଶ୍ୱର: ଝଟକିଛିି ଭାରତୀୟ ଖେଳାଳିଙ୍କ ହକି ଷ୍ଟିକ୍। ବିଦାୟ ରଜନୀରେ ଆଖିଝଲସା ଅନୁଭୂତି ସହ ଓଡ଼ିଶା ମାଟି ରଚିଛି ପୁଣି ଏକ ଇତିହାସ। ଜର୍ମାନୀକୁ ମାତ୍ଦେଇ ଭାରତୀୟ ଖେଳାଳିମାନେ ଖାଲି ମନ ଜିଣିନାହାନ୍ତି ବରଂ ବିଦାୟ ରଜନୀର ବିଜୟ ସ୍ମୃତିକୁ ଅବିସ୍ମୃତ ଇତିହାସରେ ଯୋଡ଼ି ଦେଇଛନ୍ତି। ଓଡ଼ିଶା ହକି ବିଶ୍ୱ ଲିଗ୍ ଫାଇନାଲ୍ର ଶେଷଦିନକୁ ଉପଭୋଗ କରିଛନ୍ତି ହଜାର ହଜାର ଦର୍ଶକ। କ୍ରିକେଟ୍ ମନସ୍କ ଭାରତୀୟ ଯେ ହକି ପାଇଁ ଏତେ ପାଗଳ ତାହା ୧୦ଦିନର ଖଚାଖଚ ଷ୍ଟାଡିୟମ ଓ ହୋହଲ୍ଲାର କମ୍ପନରୁ ପ୍ରତୀୟମାନ ହୋଇଛି। ଭାରତୀୟ ମ୍ୟାଚ୍ ପରେ ବି ଖାଲି ପଡ଼ି ନଥିଲା ଗ୍ୟାଲେରି। ବରଂ ସେଇ ଉତ୍ସାହ ଓ ଉଦ୍ଦାମତା ଦେଖିବାକୁ ମିଳିଥିଲା। ଫାୟାର ଜଗ୍ଲରର ଆଡ଼ମ୍ବର ଭିତରେ ଖେଳାଳିଙ୍କୁ ପଦକରେ ବିଭୂଷିତ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରଥମ ମ୍ୟାଚ୍ର ବିଜେତାଙ୍କୁ ପୁରସ୍କୃତ କରିଥିଲେ। ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଶେଷ ମ୍ୟାଚ୍ର ଖେଳାଳିଙ୍କୁ ରାଜ୍ୟପାଳ ଏସ୍ସି ଜମିର୍, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଥିଲେ। ମ୍ୟାଚ୍ ସରିଥିଲେ ମଧ୍ୟ ରୋମାଞ୍ଚ କମୁ ନଥିଲା। ମ୍ୟାଚ୍ ପରେ ପୁରସ୍କାର ବିତରଣ ଦେଖିବା ପାଇଁ ବସି ରହିଥିଲେ। ପୁରସ୍କାର ପ୍ରଦାନ ପରେ ଆତସବାଜିର ଦୃଶ୍ୟକୁ ଦର୍ଶକ ମୋବାଇଲ୍ରେ କଏଦ କରି ରଖୁଥିଲେ। ୫ଦିନର ଏସିଆନ୍ ଆଥ୍ଲେଟିକ୍ ଗେମ୍ ପରେ ଏହି ୧୦ ଦିନିଆ ହକି ମହାକୁମ୍ଭର ଅପାସୋରା ସ୍ମୃତିର ଝଲକ ବାବଦରେ ଗପିଗପି ଷ୍ଟାଡିୟମ୍ ବାହାରକୁ ବାହାରିଥିଲେ। କେହିକେହି ତ ବିଷାଦ ସ୍ୱରରେ କହୁଥିଲେ, ପୁଣି ଆର ବର୍ଷକୁ ଅପେକ୍ଷା…
ଅ…ଆ…ଇ…
ବିଶ୍ୱ ହକି ଲିଗ୍ ଫାଇନାଲର ବିଜେତା ହୋଇଛି ‘ଅଷ୍ଟ୍ରେଲିଆ’। ଆଉ ଉପ ବିଜେତା ହୋଇଛି ‘ଆର୍ଜେଣ୍ଟିନା’। ତୃତୀୟ ସ୍ଥାନରେ ରହି ବ୍ରୋଞ୍ଚ ପଦକ ହାତେଇଛି ‘ଇଣ୍ଡିଆ’। ତିନୋଟି ଯାକ ଦଳ ଆଜି କଳିଙ୍ଗ ଷ୍ଟାଡିୟମ୍ର ଖଚାଖଚ୍ ଦର୍ଶକଙ୍କ ଗହଣରେ ଦମଦାର ଖେଳ ପ୍ରଦର୍ଶନ କରି ବିଜେତା ହୋଇଛନ୍ତି। ଖେଳ ଶେଷ ହେବା ପରେ ତିନି ପଦକ ବିଜେତା ଦଳକୁ ଦର୍ଶକମାନେ ‘ଅ…ଆ…ଇ…’ ଭାବେ ଅବିହିତ କରିଥିଲେ। ‘ଅଷ୍ଟ୍ରେଲିଆ’ ପ୍ରଥମ ଅକ୍ଷୟ ‘ଅ’ ହୋଇଥିବା ବେଳେ ‘ଆର୍ଜେଣ୍ଟିନା’ର ପ୍ରଥମ ଅକ୍ଷୟ ‘ଆ’ ଏବଂ ‘ଇଣ୍ଡିଆ’ର ପ୍ରଥମ ଅକ୍ଷୟ ‘ଇ’ ରହିଥିଲା।
ଫୁଲ ଫିଙ୍ଗି ଖୁସି ଜାହିର୍ କଲେ
ଭାରତୀୟ ଖେଳାଳିମାନେ ପ୍ରଥମ ମ୍ୟାଚ୍ରେ ବ୍ରୋଞ୍ଜ୍ ପଦକ ଲଢ଼େଇରେ ବିଜୟୀ ହେବା ହିଁ ଥିଲା ଆଜିର ମୁଖ୍ୟ ଆକର୍ଷଣ। କଡ଼ା ଟକ୍କର ଭିତରେ ଭାରତ ବିଜୟ ଲାଭ କରିବା ପରେ ଭାରତୀୟମାନଙ୍କୁ ଫୁଲ, ଉତ୍ତରୀୟ, ମେଡାଲ୍ ଓ ଚେକ୍ ଦେଇ ସମ୍ବର୍ଧିତ କରାଯାଇଥିଲା। ଭାରତୀୟ ଖେଳାଳି ଏହି ବିଜୟ ଭେଟି ଦେଇଥିବାରୁ ଦର୍ଶକ ଶେଷ ପର୍ଯ୍ୟନ୍ତ ତାଳିମାରି ଭରପୂର ପ୍ରଶଂସା କରିଥିଲେ। ଉତ୍ସାହିତ କିଛି ଭାରତୀୟ ଖେଳାଳି ନିଜେ ପାଇଥିବା ଫୁଲ ତୋଡ଼ା ଦର୍ଶକ ଗ୍ୟାଲେରିକୁ ଫିଙ୍ଗି ବିଜୟ ଉତ୍ସବକୁ ଦର୍ଶକଙ୍କ ସହ ବାଣ୍ଟିଥିଲେ। ତେବେ ଜର୍ମାନୀ ଖେଳାଳିମାନେ ହାରିବା ପରେ ମଧ୍ୟ ଦର୍ଶକଙ୍କ ସମର୍ଥନ ପାଇଁ ମୁଣ୍ଡ ନୁଆଁଇ ସମ୍ମାନ ବ୍ୟକ୍ତ କରିଥିଲେ। ଦର୍ଶକ ବି ପ୍ରତି ସମ୍ମାନ ସ୍ୱରୂପ ତାଙ୍କୁ ସେଇ ପ୍ରକାରେ କୃତଜ୍ଞତା ଜଣାଇଥିଲେ।
ଆକର୍ଷଣ ସାଜିଲା ଓଲି କଣ୍ଢେଇ
ଶେଷ ଦିନରେ ବିଜୟୀ ଖେଳାଳିଙ୍କୁ ଚେକ୍ ଓ ମେଡାଲ୍ ସହ ଓଲି କଣ୍ଢେଇ ଦେଇ ପୁରସ୍କୃତ କରାଯାଇଥିଲା। ଏହି କଣ୍ଢେଇକୁ ହାତରେ ପାଇବା ମନବୋଧ ହେଲା ଯାଏଁ କଣ୍ଢେଇ ଉପରେ ଉତ୍ସାହର ସହ ଆଖି ବୁଲଉଥିଲେ। ଯେତେବେଳେ ଅଷ୍ଟ୍ରେଲିଆ ଚାମ୍ପିୟନ୍ ବ୍ୟାନର୍ ପଶ୍ଚାତଭାଗରେ ଫଟୋ ଉଠାଉଥିଲେ ହାତରେ ଓଲି କଣ୍ଢେଇକୁ ଟେକି ଧରି ଉତ୍ସବ ମନାଇଥିଲେ। ‘ଓଲି’ର ଲୋକପ୍ରିୟତା ଏଇଥିରୁ ବୁଝାପଡ଼ୁଥିବା ବେଳେ ବିଦେଶୀ ଖେଳାଳିଙ୍କୁ ଏହି ସ୍ମୃତିର କଣ୍ଢେଇ ଦେବା ନେଇ ଦର୍ଶକ ମହଲରେ ବି ଚର୍ଚ୍ଚା ହୋଇଥିଲା। ଭାରତୀୟ ଦଳର ବିଜୟ ପରେ କିଛି ସମୟ ପାଇଁ ଓଲି ମାସ୍କଟ୍ର ନୃତ୍ୟ ମଧ୍ୟ ବେଶ୍ ମନଛୁଆଁ ହୋଇଥିଲା।
ଚିଅର୍ ଗାର୍ଲ ଚିଲେଇଲେ
ଉଦ୍ଯାପନୀ ଦିବସରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଦର୍ଶକ ଭାବିଥିଲେ। ହେଲେ ସେଭଳି କିଛି ବି ଆକର୍ଷଣ ଦେଖିବାକୁ ମିଳିଲାନି। ଅଷ୍ଟ୍ରେଲିଆ ବିଜୟ ମୁକୁଟ ପିନ୍ଧିବା ପରେ ଦର୍ଶକଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଅତସବାଜୀ ବି ବହୁତ କମ୍ ହୋଇଥିଲା। କେବଳ ଯାହା ୪ରୁ ୫ ଜଣ ଚିଅର୍ ଗାର୍ଲଙ୍କ ନୃତ୍ୟ ଆକର୍ଷଣ ପାଲଟିଥିଲା। ସେମାନେ ଚିଲେଇ ଚିଲେଇ ମଞ୍ଚ ଦୁଲୁକେଇ ଦେଇଥିଲେ।
ହାରି… ହୃଦୟ ଜିତିଲା ଜର୍ମାନୀ
ଭାରତଠାରୁ ହାରି ୪ର୍ଥ ସ୍ଥାନରେ ରହିଲା ଜର୍ମାନୀ। ପଦକ ପାଇବାରୁ ବଞ୍ଚିତ ହୋଇଥିଲେ ମଧ୍ୟ କଳିଙ୍ଗ ଦର୍ଶକଙ୍କ ହୃଦୟ ଜିଣିନେଇଥିଲେ ଏହି ଦେଶର ଖେଳାଳି। ହାରିବା ପରେ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଖେଳାଳିଙ୍କ ମୁହଁରେ ନିରାଶା ଭାବ ରହିଥିଲା। ଖେଳର ସବୁ ତ୍ରୁଟିକୁ ଭୁଲି ସେମାନେ ପଡ଼ିଆ ଭିତରେ ଫଟୋ ଉଠାଇଥିଲେ। ପଡ଼ିଆ ଭିତରେ ବୁଲି ବୁଲି ଦର୍ଶକଙ୍କ ଆଡ଼କୁ ଅନାଇ ହାତ ହଲାଇଥିଲେ। ଷ୍ଟାଡିୟମ୍ ଛାଡ଼ିବା ପୂର୍ବରୁ ହାତ ମୁଣ୍ଡ ନୁଆଁଇଥିଲେ, ଯାହାକୁ ନେଇ ଦର୍ଶକ ଛିଡ଼ା ହୋଇ ତାଳି ମାରି ଉତ୍ସାହିତ କରିଥିଲେ।
‘ଅଲ୍ ଦ ବେଷ୍ଟ’…
ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ଫାଇନାଲ ପୂର୍ବରୁ ରାଜ୍ୟପାଳ ଏସ୍.ସି. ଜମିର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟବର୍ଦ୍ଧନ ସିଂ ରାଠୋର ଉଭୟ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ରାଠୋର ଉଭୟ ଦେଶର ଖେଳାଳିଙ୍କୁ ‘ଅଲ୍ ଦ ବେଷ୍ଟ…’ କହୁଥିଲେ।
କଏନ୍ କଟକଣା ବାଟବଣା
ଗ୍ୟାଲେରିକୁ କଏନ୍ ନେବା ଉପରେ କଟକଣା ଜାରି ହୋଇଥିଲା। ପ୍ରଥମ ଦିନରେ ଗେଟ୍ ନିକଟରୁ ଯାଞ୍ଚ ହୋଇଥିଲା। ହେଲେ ଶେଷ ଦିନ ସବୁ କିଛି କଟକଣା ଯେପରି ଘୋଷଣାରେ ରହିଯାଇଥିଲା। ମୁଖ୍ୟ ପ୍ରବେଶ ପଥରେ କୌଣସି ଯାଞ୍ଚ ହୋଇ ନ ଥିଲା। ଗ୍ୟାଲେରି ଉପରକୁ ଯିବା ସମୟରେ ସୁରକ୍ଷା କର୍ମୀମାନେ ଖାମଖିଆଲି ଭାବେ ଯାଞ୍ଚ କରି କାଁ ଭାଁ କଏନ୍ ପାଉଥିଲେ। ଆଉ ସଙ୍ଗେ ସଙ୍ଗେ ତାହାକୁ ପକେଟ୍ରେ ପୂରାଇ ଦେଉଥିଲେ। ବିଶେଷକରି ଭିଆଇପି, ଭିଭିଆଇପିମାନେ ବିନା ବାଧାରେ ସାଙ୍ଗରେ କଏନ୍ ନେଉଥିବା ଦେଖିବାକୁ ମିଳିଥିଲା।
ସବୁଠି ସେଲ୍ଫି
ପଡ଼ିଆ ଭିତରେ, ବାହାରେ ସବୁଟି ସେଲ୍ଫି ନିଶା ଘାରିଥିଲା। ସତେ ଯେମିତି ଆଉ କେବେ ସୁଯୋଗ ମିଳିବନି। ପଡ଼ିଆ ସହ ସେଲ୍ଫି ଉଠାଇଥିଲେ ଦର୍ଶକ। ସିଟ୍ରେ ବସି ସାଙ୍ଗମାନଙ୍କ ସହ ସେଲ୍ଫି ନେଇଥିଲେ। ସୁଯୋଗ ପାଇଲେ ଖେଳାଳିଙ୍କ ସହ ବି ନେଇଯାଉଥିଲେ। ପଡ଼ିଆ ବାହାରେ ରଖାଯାଇଥିବା ଏକ ନକଲି ଟ୍ରଫି ସହ ବି ସେଲ୍ଫି ନେବାକୁ ଭିଡ଼ ଜମିଥିଲା।