ପରୀକ୍ଷାମନସ୍କ ରାଜଧାନୀ

ଚୂଡ଼ାନ୍ତ ପର୍ଯ୍ୟାୟରେ ମାଟ୍ରିକ୍‌ ପରୀକ୍ଷା। ଆଉ ଗୋଟିଏ ଦିନ ପରେ ସରିବ। ସେପଟେ ଆଜିଠାରୁ ଆରମ୍ଭ ହୋଇଛି ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା। ଏଥିସହ ଯୁକ୍ତ୨ ପରୀକ୍ଷା ବି ଆଜିଠୁ ଆରମ୍ଭ ହୋଇଛି। ଗୋଟିଏ ଦିନରେ ଏକାଥରେ ୩ଟି ବୋର୍ଡର ପରୀକ୍ଷା ଥିବାରୁ ଆଜି ସାରା ରାଜଧାନୀ ହୋଇଉଠିଥିଲା ପରୀକ୍ଷାମନସ୍କ। ବିଦ୍ୟାଳୟଠାରୁ କଲେଜ ପର୍ଯ୍ୟନ୍ତ ସବୁଠି କଡ଼ା ସୁରକ୍ଷା ମଧ୍ୟରେ ଚାଲିଥିଲା

ପରିଷଦ କାର୍ଯ୍ୟାଳୟରେ ପୂଜାର୍ଚ୍ଚନା
ପରୀକ୍ଷା କିଭଳି ସୁରୁଖୁରରେ ସରିବ ଦୁଇ ଦିନ ହେଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଚାଲିଛି ପୂଜାର୍ଚ୍ଚନା। ଗତକାଲି ଘଟଗାଁ ମା’ ତାରିଣୀଙ୍କ ପୀଠରେ ୧୦୮ ନଡ଼ିଆ ଭୋଗ ହୋଇଥିବା ବେଳେ ଆଜି ସକାଳୁ ପରିଷଦ ଅଧିକାରୀମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ସେଠାରେ ଭୋଗ କରିବା ସହ ଶାନ୍ତିଶୃଙ୍ଖଳାର ସହ ଶେଷ ହେବା ନେଇ ପ୍ରାର୍ଥନା କରିଥିଲେ। ପରିଷଦରେ ବି ଭୋଗ ବଣ୍ଟାଯାଇଥିଲା।

କାଁ ଭାଁ ପୁଲିସ ଅଧିକାରୀ
କଡ଼ା ସୁରକ୍ଷା କରିବାକୁ କୁହାଯାଇଥିଲେ ମଧ୍ୟ ଭୁବନେଶ୍ୱରର ଅନେକ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ଢ଼ିଲା ଥିଲା। କାଁ ଭାଁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ପରୀକ୍ଷାର୍ଥୀମାନେ ପ୍ରବେଶ ଲାଗି ଠେଲାପେଲା ହେଉଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି ବି ବ୍ୟବସ୍ଥା ହୋଇ ନ ଥିଲା। ବିଜେବି, ମହର୍ଷି, କିସ୍‌, ରାଜଧାନୀ କଲେଜରେ ଏକ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଥିବାରୁ ସମସ୍ତ ପିଲାଙ୍କୁ ଯାଞ୍ଚ କରାଯାଇ ପାରି ନ ଥିଲା। କେତେକ କେନ୍ଦ୍ରରେ ଜଣେ ମାତ୍ର କନେଷ୍ଟବଳ ନିୟୋଜିତ ରହିଥିଲେ।

ପରୀକ୍ଷା। ପରୀକ୍ଷା କେନ୍ଦ୍ର ବୁଲିଲେ ମନ୍ତ୍ରୀ

ଯୁକ୍ତ୨ ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଭୁବନେଶ୍ୱରର ୩ଟି ପରୀକ୍ଷା କେନ୍ଦ୍ର ବୁଲିଥିଲେ। ପ୍ରଥମେ ପୂର୍ବାହ୍ନ ପ୍ରାୟ ୧୦ଟାରେ ଦେବରାୟ କଲେଜ ଗସ୍ତ କରିଥିଲେ। ଏହାପରେ ବିଜେବି ଜୁନିଅର କଲେଜ ଓ ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’ରେ ହୋଇଥିବା ପରୀକ୍ଷା କେନ୍ଦ୍ର ବୁଲି ଦେଖିଥିଲେ। ପୂର୍ବାହ୍ନ ୧୧ଟା ୪୦ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷାର ସ୍ଥିତି ଯାଞ୍ଚ କରିଥିଲେ। ଏହି କେନ୍ଦ୍ରଗୁଡ଼ିକରେ ଏକ ହଜାରରୁ ଅଧିକ ଲେଖାଏ ପରୀକ୍ଷାର୍ଥୀ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ଦେବାକୁ କହିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଜିଲ୍ଲା ପ୍ରଶାସନର ୬ଟି ସ୍କ୍ଵାଡ୍‌ ଆଜି ସହର ଭିତରେ ୭ଟି କେନ୍ଦ୍ର ବୁଲିଥିଲେ। ଛୋଟ କଲେଜରେ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ସ୍କ୍ଵାଡ୍‌ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ପାଚେରି ପାଖକୁ ମନା

ଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେଉଥିବାରୁ କଡ଼ାକଡ଼ି ହୋଇଛି ଯୁକ୍ତ୨ ପରୀକ୍ଷା। କେନ୍ଦ୍ର ଭିତରକୁ ଯିବା ଦୂରର କଥା। ପାଚେରି ନିକଟରେ ବି କାହାକୁ ଛିଡ଼ା ହେବାକୁ ଅନୁମତି ଦିଆଯାଇ ନ ଥିଲା। ସବୁ ପରୀକ୍ଷା କେନ୍ଦ୍ର ମୁଖ୍ୟ ପ୍ରବେଶ ପଥ ସମ୍ମୁଖରେ ନୋଟିସ୍‌ ଲଗାଯାଇ ମୋବାଇଲ୍‌ ନେବା ଉପରେ କଟକଣା ବୋଲି ଉଲ୍ଲେଖ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଭିତରକୁ ଛଡ଼ାଯାଇ ନ ଥିଲା। କେତେକ କେନ୍ଦ୍ରରେ ପାଚେରୀ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରେ ହୋଇଥିବା ୪ଟି ଉପକେନ୍ଦ୍ର ସିସିଟିଭି ନଜରରେ ରହିଥିଲା।

ସିବିଏସ୍‌ଇ ଢାଞ୍ଚା ପାଠ୍ୟକ୍ରମରେ ପରୀକ୍ଷା
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୨୦୧୬ରେ ସିବିଏସ୍‌ଇ ଢ଼ାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଥିଲା। ସେହିବର୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏଥର ଯୁକ୍ତ୨ ପରୀକ୍ଷା ଦେଉଛନ୍ତି। ସିବିଏସ୍‌ଇ ଢ଼ାଞ୍ଚା ଅନୁଯାୟୀ ବି ପ୍ରଶ୍ନପତ୍ର ବି ଆସିଥିବା ଛାତ୍ରଛାତ୍ରୀ କହିଛନ୍ତି। ସଂକ୍ଷିପ୍ତ ପ୍ରଶ୍ନପତ୍ର ଅଧିକ ଥିବାରୁ ପରୀକ୍ଷାର୍ଥୀମାନେ ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର